ଆମେରିକା, ୟୁରୋପରେ ଶିଶୁମାନଙ୍କୁ ରହସ୍ୟମୟ ଯକୃତ ରୋଗ

Advertisment
ଆମେରିକା, ୟୁରୋପରେ ଶିଶୁମାନଙ୍କୁ ରହସ୍ୟମୟ ଯକୃତ ରୋଗ

ଲଣ୍ଡନ: ଆମେରିକା, ଇଂଲଣ୍ଡ, ସ୍ପେନ ଓ ଆୟର୍ଲାଣ୍ଡରେ ସମ୍ପ୍ରତି ଏକ ରହସ୍ୟମୟ ଯକୃତ ରୋଗ ପିଲାମାନଙ୍କୁ ହେଉଥିବା ଦେଖିବାକୁ ମିଳୁଛି। ଏହି ରୋଗ ଏତେ ଭୟଙ୍କର ଯେ, ଅନେକ କ୍ଷେତ୍ରରେ ଯକୃତ ପ୍ରତିରୋପଣ କରିବାକୁ ପଡ଼ୁଛି। କେଉଁ କାରଣରୁ ଏହି ରୋଗ ହେଉଛି ତାହା ବୈଜ୍ଞାନିକମାନେ ଜାଣିପାରୁ ନାହାନ୍ତି। ଇଂଲଣ୍ଡ ଏପରି ୭୪ଟି ମାମଲା ଉପରେ ଅନୁସନ୍ଧାନ କରୁଥିବା ବେଳେ ଆମେରିକାର ଆଲବାମାଠାରେ ୯ଟି ଅନୁରୂପ ମାମଲା ରିପୋର୍ଟ କରାଯାଇଛି। ଏହି ରୋଗ କେବଳ ପିଲାମାନଙ୍କୁ ହେଉଛି। ସ୍ପେନ୍ ଓ ଆୟର୍ଲାଣ୍ଡ ମଧ୍ୟ ରୋଗ ବିଷୟରେ ଅନୁସନ୍ଧାନ କରୁଛନ୍ତି। ଗତ ମାସକ ଭିତରେ ଏହି ରୋଗ ସଂକ୍ରମଣ ବୃଦ୍ଧି ପାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଅଧିକାରୀମାନେ ପ୍ରକାଶ କରିଛନ୍ତି। ଯଦିଚ ଏହି ରୋଗରେ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିନାହିଁ, ଛଅଟି ମାମଲାରେ ପୀଡ଼ିତ ଶିଶୁମାନଙ୍କର ଯକୃତ ପ୍ରତିରୋପଣ କରିବାକୁ ପଡ଼ିଥିବା ହୁ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ୧ରୁ ୬ ବର୍ଷର ଶିଶୁମାନଙ୍କୁ ଏହି ରହସ୍ୟମୟ ଯକୃତ ରୋଗ ହେଉଛି। ସେମାନଙ୍କଠାରେ ହେପାଟାଇଟିସ୍ ବା ଯକୃତ ପ୍ରଦାହ ଭଳି ଲକ୍ଷଣ ପ୍ରକାଶ ପାଉଛି। ଜଣ୍ଡିସ୍, ଡାଇରିଆ ଓ ପେଟ-ଯନ୍ତ୍ରଣା ହେଉଛି କିନ୍ତୁ ରୋଗର ମୂଳ କାରଣ ଜାଣିହେଉ ନାହିଁ। ଥଣ୍ଡା ସହ ସମ୍ପୃକ୍ତ କୌଣସି ଭୂତାଣୁ ଯୋଗୁ ଏହି ରୋଗ ହେଉଥିବ ବୋଲି ଅନୁମାନ କରାଯାଉଛି। ବିଜ୍ଞାନାଗାର ପରୀକ୍ଷାରୁ ଜଣାପଡ଼ିଲା ଯେ, ହେପାଟାଇଟିସ୍ ଏ, ବି, ସି ଓ ଇ ଭୂତାଣୁ ଏ ରୋଗର କାରଣ ନୁହେଁ। ଏହାପଛରେ ଅନ୍ତର୍ଜାତୀୟ ଯାତ୍ରାର ଭୂମିକା ଅଛି କି ନାହିଁ, ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କେତେକ ୟୁରୋପୀୟ ପିଲା ଆଡେନୋଭାଇରସ୍ ଓ ଆଉ କେତେକ ପିଲା କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଲବାମାରେ ଗତ ନଭେମ୍ବରରୁ ମାମଲା ଚିହ୍ନଟ ହୋଇଥିବା ବେଳେ ଇଂଲଣ୍ଡରେ ଗତ ଜାନୁଆରିରୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe