ଭୋପାଳ: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରୁ ଏକ ଦୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପତ୍ନୀଙ୍କ ମୃତଦେହ ନେବା ପାଇଁ କୌଣସି ପ୍ରକାର ସୁବିଧା ନମିଳିବାରୁ ସ୍ବାମୀ ବାଇକରେ ବାନ୍ଧି ଘର ଅଭିମୁଖେ ବାହାରିଥିଲେ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ସିଓନିର ବାସିନ୍ଦା ଅମିତ ଯାଦବ ରକ୍ଷାବନ୍ଧନ ପାଳନ କରିବାକୁ ତାଙ୍କ ସ୍ତ୍ରୀ ଗ୍ୟାରସିଙ୍କୁ ବାଇକରେ ବସାଇ ଭଉଣୀ ଘରକୁ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଅମିତଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଗ୍ୟାରସି ବାଇକରୁ ଛିଟିକି ରାସ୍ତାରେ କଚାଡ଼ି ହୋଇପଡ଼ିଥିଲେ। ଦୁର୍ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ଦୁର୍ଘଟଣାପରେ ଅମିତ ଯାଦବ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। କିନ୍ତୁ ତାଙ୍କୁ କେହି ସାହାଯ୍ୟ କରି ନଥିଲେ କି ମୃତଦେହକୁ ନେବାପାଇଁ କୌଣସି ଗାଡ଼ି ରାସ୍ତାରେ ଅଟକି ନଥିଲା। ଶେଷରେ ଅମିତ କିଛି ଉପାୟ ନପକାଇ ମୃତଦେହକୁ ନିଜ ବାଇକରେ ବାନ୍ଧି ଘର ଅଭିମୁଖେ ବାହାରିଥିଲେ।
ବାଇକରେ ସ୍ତ୍ରୀଙ୍କ ମୃତଦେହ ବାନ୍ଧୁଥିବା ସମୟରେ ଅମିତ ଯେମିତି ତାଙ୍କ ସ୍ତ୍ରୀଙ୍କୁ କହିଥିଲେ, ‘ମନ ଉଣା କରିବ ନାହିଁ। ଅନେକ ଲୋକଙ୍କୁ ସାହାଯ୍ୟ ମାଗିଲି। କିନ୍ତୁ କୌଣସି ପ୍ରକାର ସାହାଯ୍ୟ ନମିଳିବାରୁ ବାଧ୍ୟ ହୋଇ ମୋ ବାଇକ ପଛରେ ତୁମକୁ ବାନ୍ଧି ନେଉଛି।’
Follow Us