(Photo Credits: ANI)
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ବହୁ ପ୍ରତୀକ୍ଷିତ ଭାରତ ଗସ୍ତ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍ଙ୍କୁ ଗୁଜୁରାଟରେ ନିର୍ମିତ ମୋଟେରା ଷ୍ଟାଡିୟମ୍ରେ ପ୍ରାୟ ୧.୨୫ ଲକ୍ଷ ଲୋକ ଏକତ୍ରୀତ ହୋଇ ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମ ଜରିଆରେ ସ୍ବାଗତ ଜଣାଇଥିଲେ। ଏହାପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ଭାରତୀୟମାନଙ୍କର ଏହି ଭବ୍ୟ ସମ୍ବର୍ଦ୍ଧନା ଭୁଲି ହେବ ନାହିଁ ବୋଲି ଟ୍ରମ୍ପ୍ ମନ୍ତବ୍ୟ ଦେଇଥିଲେ। ନିଜ ଦୀର୍ଘ ଅଭିଭାଷଣରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ପ୍ରକୃତ ବନ୍ଧୁ କହିବା ସହ ଭୂରିଭୂରି ପ୍ରଶଂସା କରିଥିଲେ। ସେ କହିଥିଲେ, ମୋଦୀ ଜଣେ ଏଭଳି ନେତା ଯିଏ କି ଦିନରାତି ୨୪ ଘଣ୍ଟା କଠିନ ପରିଶ୍ରମ କରନ୍ତି ଓ ସବୁ ସମୟରେ ନିଜର ଦେଶ କଥା ଚିନ୍ତା କରୁଥାଆନ୍ତି।
ଟ୍ରମ୍ପ୍ ନିଜର ଭାଷଣରେ କହିଛନ୍ତି କି ‘କଠିନ ପରିଶ୍ରମ କରି ମୋଦୀ ଆଜି ସଫଳ ହୋଇଛନ୍ତି। ଦିନେ ଜଣେ ଚା ବିକାଳି ଥିବା ମୋଦୀ ଏବେ ଭାରତର ନେତା ପାଲଟିଛନ୍ତି। ଭାରତର ବିକାଶ ପାଇଁ ମୋଦୀ ଦିନ ରାତି ଏକାଠି କରି କାମ କରି ଚାଲିଛନ୍ତି। ଭାରତୀୟମାନେ କିପରି ନିଜର କଠିନ ପରିଶ୍ରମ ଦ୍ବାରା ସଫଳତା ଅର୍ଜନ କରିପାରନ୍ତି ମୋଦୀ ତାହାର ଏକ ଜ୍ବଳନ୍ତ ଉଦାହରଣ।’ ଏହା ବ୍ୟତୀତ ସେ ମୋଦୀଙ୍କୁ ତାଙ୍କର ଜଣେ ବାସ୍ତବ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି।
ଟ୍ରମ୍ପ୍ ଆହୁରି ବି କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ମୋଦୀ, ଆପଣ କେବଳ ଗୁଜୁରାଟର ଗର୍ବ ନୁହଁନ୍ତି। ଆପଣ ପ୍ରମାଣ କରି ଦେଇଛନ୍ତି ଯେ ନିଜର ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ରହିଲେ କେଉଁ ବି ଭାରତୀୟ ସଫଳ ହୋଇପାରିବେ।’ ଏଥି ପୂର୍ବରୁ ସେ ସାବରମତୀ ଆଶ୍ରମର ପରିଦର୍ଶକ ପୁସ୍ତିକାରେ ଲେଖିଥିଲେ-ମୋର ପରମ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଆନନ୍ଦଦାୟକ ଗସ୍ତ ଲାଗି ଧନ୍ୟବାଦ।
ଅସଂଖ୍ୟ ଜନଗହଳି ଭିତରେ ମୋଟେରା ଷ୍ଟାଡିୟମ୍ରେ ନିଜକୁ ପାଇ ଟ୍ରମ୍ପ୍ ସମ୍ମାନିତ ଅନୁଭବ କରୁଥିବା କଥା ନିଜ ଭାଷଣରେ କହିଛନ୍ତି। ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଯେଉଁଭଳି ଭାବେ ଧାଡ଼ି ଦେଇଥିଲେ ତାହାକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଟ୍ରମ୍ପ୍। ଭାରତର ଆତିଥ୍ୟ ସଦା ମନେ ରହିବ ବୋଲି ସେ ତାଙ୍କ ଭାଷଣରେ କହିଛନ୍ତି।’
Follow Us