ଭାରତରେ ପ୍ରଥମେ ଠାବ ରୂପାନ୍ତରିତ ଭୂତାଣୁର ନାମକରଣ କଲା ହୁ'

Advertisment

ଏଣିକି ଭାରତୀୟ ପ୍ରଜାତି ନୁହେଁ, ଡେଲ୍‌ଟା ଓ କାପ୍ପା ପ୍ରଜାତି

ଏଣିକି ଭାରତୀୟ ପ୍ରଜାତି ନୁହେଁ, ଡେଲ୍‌ଟା ଓ କାପ୍ପା ପ୍ରଜାତି

ଭାରତରେ ପ୍ରଥମେ ଠାବ ରୂପାନ୍ତରିତ ଭୂତାଣୁର ନାମକରଣ କଲା ହୁ'

ଜେନେଭା(ସ୍ବିଜରଲାଣ୍ଡ୍‌): ଗତ ଅକ୍ଟୋବର ମାସରେ ଭାରତରେ ପ୍ରଥମ କରି ଠାବ ହୋଇଥିବା ବି.୧.୬୧୭ ନାମକ ନୂତନ ପ୍ରଜାତିର ଦ୍ବୈତ ରୂପାନ୍ତରିତ କରୋନାଭୂତାଣୁକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ସୋମବାର ନୂତନ ନାମରେ ନାମିତ କରିଛି। ସେଥିରୁ ଏହି ନୂତନ ପ୍ରଜାତିର ବି.୧.୬୧୭.୧ ପ୍ରତିରୂପକୁ 'କାପ୍ପା' ଓ ବି.୧.୬୧୭.୨ ପ୍ରତିରୂପକୁ 'ଡେଲ୍‌ଟା' ନାମ ଦିଆଯାଇଥିବା ଜଣାଯାଇଛି। ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ ୟୁକେରେ ଟିହ୍ନଟ ହୋଇଥିବା ରୂପାନ୍ତରିତ ପ୍ରଜାତିକୁ 'ଆଲ୍‌ଫା'ନାମରେ, ଗତବର୍ଷ ମେ' ମାସରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଦେଖାଦେଇଥିବା ନୂତନ ପ୍ରଜାତିର କରୋନାଭୂତାଣୁକୁ 'ବିଟା' ନାମରେ ଏବଂ ଗତ ନଭେମ୍ବରରେ ବ୍ରାଜିଲ୍‌ରେ ଠାବ ନୂତନ ପ୍ରଜାତିକୁ 'ଗାମ୍ମା' ନାମରେ ନାମିତ କରାଯାଇଛି।

ସେହିପରି ଗତବର୍ଷ ମାର୍ଚ୍ଚରେ ଆମେରିକାରେ ଚିହ୍ନଟ ହୋଇଥିବା ଭୂତାଣୁକୁ 'ଏପ୍‌ସିଲନ୍‌' ଓ ଚଳିତବର୍ଷ ଜାନୁଆରିରେ ଫିଲିପାଇନ୍‌ସରେ ମିଳିଥିବା ନୂତନ ପ୍ରଜାତି କରୋନାଭୂତାଣୁକୁ 'ଥିଟା' ନାମ ଦିଆଯାଇଥିବା ଜଣାଯାଇଛି। ସୂଚନା ଥାଉ କି, ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ଦ୍ବୈତ ରୂପାନ୍ତରିତ କରୋନାଭୂତାଣୁକୁ ଭାରତୀୟ ପ୍ରଜାତି ଭାବେ ବର୍ଣ୍ଣନା କରିବାକୁ ଭାରତ ତୀବ୍ର ବିରୋଧ କରିବାର ଠିକ୍‌ ତିନି ସପ୍ତାହ ପରେ ହୁ' ଏପରି ନାମକରଣ କରିବା ଗୁରୁତ୍ବ ବହନ କରୁଛି। ଏହି ନୂତନ ପ୍ରଜାତିର କରୋନାଭୂତାଣୁମାନଙ୍କୁ ଆଲ୍‌ଫା, ବିଟା ଓ ଗାମ୍ମା ପରି ଲୋକପ୍ରିୟ ଗ୍ରୀକ୍‌ ବର୍ଣ୍ଣମାଳାର ବିଭିନ୍ନ ଅକ୍ଷର ନାମରେ ସମ୍ବୋଧନ କରିବାକୁ ଅଣବୈଜ୍ଞାନିକ ଶ୍ରୋତାମାନେ ସହଜ ମନେ କରିବେ ବୋଲି ଅନୁଭବ କରି ହୁ' ଏପରି ନାମକରଣ କରିଛି। ତେବେ ଏଥି ସହିତ ସେହି ଭୂତାଣୁମାନଙ୍କର ପୂର୍ବ ବୈଜ୍ଞାନିକ ନାମ ମଧ୍ୟ ସେହିପରି ଅକ୍ଷୁଣ୍ଣ ରହିବ ବୋଲି ହୁ' ପକ୍ଷରୁ କୁହାଯାଇଛି। କେବଳ ସର୍ବସାଧାରଣରେ ଆଲୋଚନା ପାଇଁ ଏହି ନୂଆ ନାମକରଣ କରାଯାଇଛି ବୋଲି ହୁ'ର କୋଭିଡ୍‌-୧୯ ବୈଷୟିକ ମୁଖ୍ୟ ଡା.ମାରିଆ ଭାନ୍‌ କେର୍କୋଭ୍‌ ସୋମବାର ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe