ଅଯୋଧ୍ୟା: ରାମମନ୍ଦିର ଆନ୍ଦୋଳନ ଶୀର୍ଷରେ ପହଞ୍ଚିଥିବା ୧୯୯୧ ମସିହା ବେଳର ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ଏଥିରେ ରାମ ଜନ୍ମଭୂମି ଅଯୋଧ୍ୟା ଠାରେ ଆନ୍ଦୋଳନକାରୀଙ୍କ ଗହଣରେ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ରହିଥିବା ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରାମ ଜନ୍ମଭୂମିସ୍ଥଳ ନିକଟରେ ଏକ ଫଟୋଷ୍ଟୁଡିଓ ବସାଇବାକୁ ଚେଷ୍ଟିତ ଥିବା ଫଟୋଗ୍ରାଫର ମହେନ୍ଦ୍ର ତ୍ରିପାଠୀ ଉକ୍ତ ବିରଳ ଫଟୋକୁ ସେ ସମୟରେ ଉଠାଇଥିବା ଦାବି କରିଛନ୍ତି। ଏହି ଅବସରରେ ତ୍ରିପାଠୀ କହିଛନ୍ତି ଯେ ୧୯୯୧ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ସହିତ ଅଯୋଧ୍ୟାର ଉକ୍ତ ବିବାଦୀୟ ସ୍ଥଳ ଗସ୍ତ କରିଥିଲେ। ସେତେବେଳେ ବିଶ୍ବ ହିନ୍ଦୁ ପରିଷଦ ପାଇଁ କାମ କରିବା ଲାଗି ଅଯୋଧ୍ୟାରେ ତ୍ରିପାଠୀ ହିଁ ଏକମାତ୍ର ଫଟୋଗ୍ରାଫର ଥିଲେ।
ସେ କହିଛନ୍ତି ଯେ ଏହି ଅବସରରେ ସେଠାରେ ଉପସ୍ଥିତ ଥିବା କିଛି ସାମ୍ବାଦିକମାନଙ୍କ ଆଗରେ ଯୋଶୀ ମୋଦୀଙ୍କୁ ପରିଚିତ କରାଇବାକୁ ଯାଇ ସେ ଜଣେ ଗୁଜରାଟର ବିଜେପି ନେତା ବୋଲି କହିଥିଲେ। ଏତିକି ବେଳେ କିଛି ସାମ୍ବାଦିକ ମୋଦୀଙ୍କୁ 'ଆଉ କେବେ ଅଯୋଧ୍ୟା ଆସିବେ' ବୋଲି ପ୍ରଶ୍ନ କରିବାରୁ ରାମମନ୍ଦିର ନିର୍ମାଣ ଆରମ୍ଭ ହେଲେ ଆସିବେ ବୋଲି ମୋଦୀ ଉତ୍ତର ରଖିଥିଲେ। ଆଗାମୀ ଅଗଷ୍ଟ ୫ ତାରିଖରେ ରାମନ୍ଦିର ଶିଳାନ୍ୟାସରେ ଶ୍ରୀ ମୋଦୀ ଯୋଗଦେବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସେ ୨୯ ବର୍ଷ ତଳର ଶପଥ ରଖିଛନ୍ତି ବୋଲି ତ୍ରିପାଠୀ ଭାବପ୍ରବଣ ହୋଇ କହିଛନ୍ତି।
Follow Us