Image Courtesy of NDTV
ୱାସିଂଟନ୍: ୩୦ ବର୍ଷରୁ ଅଧିକ କାଳ ଧରି ବିଶ୍ବ ବ୍ରହ୍ମାଣ୍ଡ ଉପରେ ଦୃଷ୍ଟି ରଖିଆସୁଥିବା ‘ହବଲ୍ ସ୍ପେସ୍ ଟେଲିସ୍କୋପ୍’ରେ ଅଳ୍ପ ଦିନ ହେବ ତ୍ରୁଟି ଉପୁଜିଥିବା କଥା ଶୁକ୍ରବାର ଦିନ ‘ନ୍ୟାସ୍ନାଲ୍ ଏରୋନଟିକ୍ସ୍ ଆଣ୍ଡ୍ ସ୍ପେସ୍ କମ୍ୟୁନିକେସନ୍’ (ନାସା) କହିଛି।
ଗତ ରବିବାର ଠାରୁ ଗୋଟାଏ ‘ପ୍ଲେଲୋଡ୍ କମ୍ପ୍ୟୁଟର୍’ ଅକାମି ହୋଇଯାଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ମହାକାଶ ଏଜେନ୍ସି ‘ନାସା’ କହିଛି। କିନ୍ତୁ, ଟେଲିସ୍କୋପ୍ ଏବଂ ସେଥିରେ ଥିବା ବୈଜ୍ଞାନିକ ଉପକରଣ ସବୁ ଠିକ୍ଠାକ୍ ଅଛି। ଉକ୍ତ ବୈଜ୍ଞାନିକ ଯନ୍ତ୍ରପାତିଗୁଡ଼ିକୁ ନିୟନ୍ତ୍ରଣ କରିବା ସହ ସେମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ଉପରେ ଦୃଷ୍ଟି ରଖିବା ଥିଲା ଏହି ‘ପ୍ଲେଲୋଡ୍ କମ୍ପ୍ୟୁଟର୍’ର କାମ।
ସୋମବାର ଦିନ ଉକ୍ତ ‘ପ୍ଲେଲୋଡ୍ କମ୍ପ୍ୟୁଟର୍’କୁ ପୁନର୍ବାର ଚଳାଇବା ଉଦ୍ୟମ ବ୍ୟର୍ଥ ହୋଇଯାଇଛି। ‘ନାସା’ କହିଛି, ‘କମ୍ପ୍ୟୁଟର୍ ମେମୋରି ମୋଡ୍ୟୁଲ୍’ର ଅବନତି ହିଁ ଉକ୍ତ କମ୍ପ୍ୟୁଟର୍ରେ ସୃଷ୍ଟି ହୋଇଥିବା ସମସ୍ୟାର ମୂଳ କାରଣ ବୋଲି ପ୍ରାପ୍ତ ପ୍ରାଥମିକ ପ୍ରମାଣରୁ ଜଣାପଡ଼ିଛି।
Image Courtesy of NDTVସେହିଭଳି, ଏଥିରେ ଥିବା ଏକ ‘ବ୍ୟାକ୍-ଅପ୍ ମେମୋରି ମୋଡ୍ୟୁଲ୍’କୁ କାର୍ଯ୍ୟକ୍ଷମ କରିବା ଉଦ୍ୟମ ମଧ୍ୟ ବିଫଳ ହୋଇଥିବା ଜଣାପଡ଼ିଛି।
ଏହି ‘ପ୍ଲେଲୋଡ୍ କମ୍ପ୍ୟୁଟର୍’ରେ ବ୍ୟବହୃତ ବୈଷୟିକ କୌଶଳ ୧୯୮୦ ଦଶକର। ୨୦୦୯ରେ ହୋଇଥିବା ମରାମତି ସମୟରେ ସେ ସବୁକୁ ପରିବର୍ତ୍ତନ କରାଯାଇଥିଲା।
୧୯୯୦ରେ ଉତ୍କ୍ଷେପିତ ‘ହବଲ୍ ସ୍ପେସ୍ ଟେଲିସ୍କୋପ୍’ ଜ୍ୟୋତିର୍ବିଜ୍ଞାନ ଜଗତ୍ରେ ବିପ୍ଳବ ଆଣିବା ସହ ସୌରଜଗତ୍, ଆକାଶଗଙ୍ଗା ଓ ଦୂରନ୍ତ ଛାୟପଥର ଫଟୋ ପ୍ରେରଣ କରି ବ୍ରହ୍ମାଣ୍ଡ ବିଷୟରେ ଥିବା ଆମର ଧାରଣାକୁ ବଦଳାଇ ଦେଇଥିଲା।
‘ଜେମ୍ସ୍ ୱେବ୍ ସ୍ପେସ୍ ଟେଲିସ୍କୋପ୍’ ନାମରେ ଗୋଟାଏ ନୂଆ ଓ ଅଧିକ କ୍ଷମତାଶାଳୀ ଦୂରବୀକ୍ଷଣ ଯନ୍ତ୍ର ଏବର୍ଷ ଶେଷ ଆଡ଼କୁ ମହାକାଶରେ ମୁତୟନ କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି। ପୂର୍ବାପେକ୍ଷା ମହାଜଗତ୍ର କୋଣ ଅନୁକୋଣକୁ ଆହୁରି ଗଭୀର ଭାବେ ପର୍ଯ୍ୟବେକ୍ଷଣ କରିପାରିବା ଭଳି ଏହି ଦୂରବୀକ୍ଷଣ ଯନ୍ତ୍ରଟିକୁ ନିର୍ମାଣ କରାଯାଇଛି।
Follow Us