ଦେଶ-ବିଦେଶ ଆଇନାରେ ୨୦୨୧: ଯାଉନି ମହାମାରୀ, କୋଭିଡ୍‌ର ନୂଆ ରୂପ ‘ଓମିକ୍ରନ୍‌’

Advertisment

ହସ୍ପିଟାଲ୍‌ ଅଗ୍ନିକାଣ୍ଡଜନିତ ମୃତ୍ୟୁ, ବିଶ୍ବର ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ

ହସ୍ପିଟାଲ୍‌ ଅଗ୍ନିକାଣ୍ଡଜନିତ ମୃତ୍ୟୁ, ବିଶ୍ବର ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ

ଦେଶ-ବିଦେଶ ଆଇନାରେ ୨୦୨୧: ଯାଉନି ମହାମାରୀ, କୋଭିଡ୍‌ର ନୂଆ ରୂପ ‘ଓମିକ୍ରନ୍‌’

୨୦୨୧ ଥିଲା ଭାରତ ପାଇଁ କୋଭିଡ୍‌ ମହାମାରୀ ବିଭୀଷିକାର ବର୍ଷ। ୨୦୨୨ ମଧ୍ୟ ଏବେ ନୂଆ ଚ୍ୟାଲେଂଜ ନେଇ ଆସୁଛି। କୋଭିଡ୍‌ର ଓମିକ୍ରନ୍‌ ପ୍ରଜାତି ପାଇଁ ଏବେ ସାରା ବିଶ୍ବରେ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିବା ବେଳେ ଭାରତ ଏହି ନୂଆ ପ୍ରଜାତି ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି। ଦେଶରେ କରୋନା ଦ୍ବିତୀୟ ଲହରରେ ମୃତ୍ୟୁର ତାଣ୍ଡବ ରଚିଥିଲା। ମାର୍ଚ୍ଚ ୨୦୨୧ରେ ଦ୍ବିତୀୟ ଲହର ଆରମ୍ଭ ହୋଇଥିଲା। ପ୍ରଥମ ଲହର ତୁଳନାରେ ଏହା ବହୁତ ବିପଜ୍ଜନକ ଥିଲା। ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିଲା। ଟିକାର ଅଭାବ ସାଙ୍ଗକୁ ହସ୍ପିଟାଲ୍‌ ବେଡ୍‌ର ଅଭାବ ଏବଂ ଦେଶର ବିଭିନ୍ନ ଅଂଚଳରେ ଅକ୍ସିଜେନ ସଙ୍କଟ ନିଦ ହଜାଇ ଦେଇଥିଲା। ଏପ୍ରିଲ ଶେଷ ବେଳରୁ ବିଶ୍ବର ସର୍ବାଧିକ ନୂଆ ସଂକ୍ରମଣ ମାମଲା ଭାରତରେ ହିଁ ରହିଥିଲା। ଏପ୍ରିଲ ୯ରେ ଦେଶର ସକ୍ରିୟ ମାମଲା ୧୦ ଲକ୍ଷ ଟପିଥିଲା। ୧୨ ଏପ୍ରିଲରେ ଭାରତ ସଂକ୍ରମଣ ମାମଲାରେ ବ୍ରାଜିଲ୍‌କୁ ଟପିଯାଇଥିଲା। ଏପ୍ରିଲ ଶେଷ ସପ୍ତାହ ବେଳକୁ ଭାରତରେ ଦୈନିକ ୩ ଲକ୍ଷ ନୂଆ ସଂକ୍ରମଣ ମାମଲା ଏବଂ ଦୈନିକ ୨ ହଜାର କରୋନା ମୃତ୍ୟୁ ହେଉଥିଲା। ଏପ୍ରିଲ ୩୦ରେ ଦେଶରେ ୪ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ମାମଲା ଥିଲା ଏବଂ ୩,୫୦୦ କରୋନା ମୃତ୍ୟୁ ହୋଇଥିଲା। ୨୪ ମେ’ ବେଳକୁ ଦେଶରେ ୩ ଲକ୍ଷରୁ ଅଧିକ କରୋନା ମୃତ୍ୟୁ ହୋଇଥିଲା। ଦ୍ବିତୀୟ ଲହର ଅତ୍ୟନ୍ତ ଭୟଙ୍କର ଥିଲା। ଅକ୍ସିଜେନ ଅଭାବ ଯୋଗୁଁ ଅନେକ ରାଜ୍ୟରେ କୋଭିଡ ହସ୍ପିଟାଲରେ ମୃତ୍ୟୁ ବଢ଼ିଥିଲା। କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ମଧ୍ୟ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁର ୫୦ ପ୍ରତିଶତରୁ ଅଧିକ କେବଳ ଏପ୍ରିଲରୁ ଜୁନ୍‌ ମଧ୍ୟରେ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୨,୩୫,୯୮୬ କରୋନା ମୃତ୍ୟୁ ହୋଇଛି। ଉକ୍ତ ୩ ମାସରେ କରୋନା ମୃତ୍ୟୁ ୫୬ ପ୍ରତିଶତ ବୃଦ୍ଧି ହୋଇଥିଲା। ମେ’ରେ କରୋନା ମୃତ୍ୟୁ ଶୀର୍ଷ ଛୁଇଁଥିଲା। ଏପ୍ରିଲରେ କରୋନା ମୃତ୍ୟୁ ୪୫,୮୬୨ ଥିବାବେଳେ ମେ’ରେ ଏହି ସଂଖ୍ୟା ୧,୨୦,୭୭୦ ଏବଂ ଜୁନ୍‌ରେ ୬୯,୩୫୪ ରହିଥିଲା। ଦ୍ବିତୀୟ ଲହରରେ ମହାରାଷ୍ଟ୍ରରେ ସର୍ବାଧିକ ୬୭,୩୮୨ କରୋନା ମୃତ୍ୟୁ ହୋଇଥିଲା। ଦେଶରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା‌ ଏବେ ୪,୭୮,୦୦୦ ଅତିକ୍ରମ କରିଯାଇଛି।

କୋଭିଡ୍‌ର ନୂଆ ରୂପ ‘ଓମିକ୍ରନ୍‌’

publive-image CalMatters

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ଓମିକ୍ରନ୍‌ ପ୍ରଜାତି ୯୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଲାଣି। କରୋନାର ଅନ୍ୟ ପ୍ରଜାତି ତୁଳନାରେ ଏହା ଅତ୍ୟନ୍ତ ସଂକ୍ରାମକ। କେନ୍ଦ୍ର ସରକାର ମଧ୍ୟ କହିଛନ୍ତି ଯେ, ଡେଲ୍‌ଟାଠାରୁ ଓମିକ୍ରନ୍‌ ୩ ଗୁଣା ଅଧିକ ସଂକ୍ରାମକ। ଓମିକ୍ରନ୍‌ ପାଇଁ ଦେଶରେ ତୃତୀୟ ଲହର ଆରମ୍ଭ ହୋଇପାରେ। ଆସନ୍ତା ଫେବ୍ରୁଆରିରେ ତୃତୀୟ ଲହରର ଆଶଙ୍କା ରହିଛି। ତେଣୁ ନୂଆବର୍ଷରେ ଓମିକ୍ରନ୍ ନୂଆ ଆତଙ୍କ ସୃ‌ଷ୍ଟି କରିପାରେ। ଓମିକ୍ରନରେ ବ୍ରିଟେନରେ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆମେରିକାରେ ଜଣଙ୍କର ଏବଂ ଇସ୍ରାଏଲରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଭାରତର ୧୯ ରାଜ୍ୟରେ ଓମିକ୍ରନ ପହଞ୍ଚି ସାରିଛି। ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ରଖିବାକୁ କେନ୍ଦ୍ର ସରକାର କହିଛନ୍ତି।

publive-image

ହସ୍ପିଟାଲ୍‌ ଅଗ୍ନିକାଣ୍ଡଜନିତ ମୃତ୍ୟୁ
ଦେଶରେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚଳିତବର୍ଷ ଅଗ୍ନିକାଣ୍ଡ ହୋଇ ଅନେକ ଜୀବନ ଚାଲିଯାଇଛି। ଏପ୍ରିଲ ୨୩ରେ ମହାରାଷ୍ଟ୍ରର ବିରାର୍‌ରେ ବିଜୟ ବଲ୍ଲଭ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୨୬ରେ ମୁମ୍ବାଇ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁଜରାଟର ଭାରୁଚରେ ଏକ କୋଭିଡ୍‌ ହସ୍ପିଟାଲରେ ମେ’ ୧ ତାରିଖରେ ଅଗ୍ନିକାଣ୍ଡ ହୋଇ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା। ୧୮ ଜଣଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲ ଆଇସିୟୁରେ ଥିଲେ। ନଭେମ୍ବରରେ ମହାରାଷ୍ଟ୍ରର ଅହମଦନଗର ସିଭିଲ୍‌ ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।

ଅକ୍ସିଜେନ ଅଭାବରୁ ମୃତ୍ୟୁ
କରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ୍‌ ସଙ୍କଟ ଯୋଗୁଁ ଅନେକ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା। ନିୟମିତ ଭାବେ ଦେଶର ପ୍ରମୁ୍ଖ‌ ସହରର ବିଭିନ୍ନ ହସ୍ପିଟାଲ୍‌ରେ ଅକ୍ସିଜେନ ଅଭାବଜନିତ ମୃତ୍ୟୁ ଖବର ମିଳିଥିଲା। ଏକ ବେସରକାରୀ ତଥ୍ୟ ଅନୁଯାୟୀ ଦେଶରେ ଏପ୍ରିଲ ୬ରୁ ମେ’ ୧୯ ମଧ୍ୟରେ ୧୧୦ ହସ୍ପିଟାଲ୍‌ରେ ୬୨୯ ରୋଗୀଙ୍କର ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହୋମ୍‌ କ୍ବାରାଣ୍ଟିନ୍‌ରେ ରହି ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଥିବା ରୋଗୀଙ୍କୁ ଏଥିରେ ଗଣନା କରାଯାଇନି। ଏପ୍ରିଲ ୨୩ରେ ଅକ୍ସିଜେନ୍‌ ଅଭାବରୁ ସର୍ବାଧିକ ମୃତ୍ୟୁ ହୋଇଥିଲା। ଏହି ଦିନ ଦେଶବ୍ୟାପୀ ୬୦ ରୋଗୀଙ୍କର ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଥିଲା। ଦିଲ୍ଲୀର ଜୟପୁର ଗଙ୍ଗାରାମ ହସ୍ପିଟାଲ ଏବଂ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ସର୍ବାଧିକ ୪୬ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ୫୪ଟି ମୃତ୍ୟୁକୁ ହସ୍ପିଟାଲ୍‌ ଏବଂ ରାଜ୍ୟ କର୍ତ୍ତୃପକ୍ଷମାନେ ପ୍ରତ୍ୟାଖ୍ୟାନ କରିଥିଲେ। ହସ୍ପିଟାଲ୍‌ କର୍ତ୍ତୃପକ୍ଷମାନେ ଅକ୍ସିଜେନ୍‌ ଅଭାବକୁ ସ୍ବୀକାର କରିଥିଲେ। କିନ୍ତୁ ଅକ୍ସିଜେନ ଅଭାବ ଜନିତ ମୃତ୍ୟୁକୁ ସେମାନେ ସ୍ବୀକାର କରିନାହାନ୍ତି।

publive-image

କୋଭାକ୍ସିନ୍‌କୁ ମିଳିଲା ‘ହୁ’ର ସ୍ବୀକୃତି
ଦେଶର ଏକମାତ୍ର ସ୍ବଦେଶୀ ଟିକା କୋଭାକ୍ସିନ୍‌କୁ ବହୁ ପ୍ରତୀକ୍ଷା ପରେ ଶେଷରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ବୀକୃତି ଦେଇଥିଲେ। ନଭେମ୍ବର ୪ ତାରିଖରେ କୋଭାକ୍ସିନ୍‌ ଟିକାର ଏମର୍ଜେନ୍ସି ବ୍ୟବହାର ପାଇଁ ସ୍ବୀକୃତି ମିଳିଥିଲା। ‘ହୁ’ କହିଛି ଯେ କୋଭାକ୍ସିନ୍‌ କ‌ରୋନା ବିରୋଧରେ ୭୮ ପ୍ରତିଶତ ଫଳପ୍ରଦ।

ବିଶ୍ବର ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ
କରୋନା ମହାମାରୀକୁ ରୋକିବା ପାଇଁ ଭାରତରେ ବିଶ୍ବର ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ ଜାନୁଆରି ୧୬ରେ ଆରମ୍ଭ ‌ହୋଇଥିଲା। ପ୍ରଥମେ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଇଥିଲେ। ମାର୍ଚ୍ଚ ୧ରେ ଦେଶରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା। ମାର୍ଚ୍ଚରେ ଟିକା ବଣ୍ଟନରେ ଅଭାବ ଦେଖାଦେଇଥିଲା। ବିଭିନ୍ନ ପ୍ରମୁଖ ସହରରେ କିଛି ଦିନ ଟିକା କେନ୍ଦ୍ର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ମେ’ ୧ରେ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା। ଦେଶରେ ଟିକାକରଣ ଏବେ ୧୪୦ କୋଟି ଟପିଯାଇଛି। ୬୦ ପ୍ରତିଶତରୁ ଅଧିକ ଲୋକ ଦ୍ବିତୀୟ ଡୋଜ୍‌ ନେଇ ସାରିଛନ୍ତି ଏବଂ ୮୦ ପ୍ରତିଶତରୁ ଅଧିକ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe