ନୂଆଦିଲ୍ଲୀ : ସିନେମା ହଲରେ ଚଳଚ୍ଚିତ୍ର ଚାଲିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରାନଯାଉ। କେନ୍ଦ୍ର ସରକାର ଆଜି ସୁପ୍ରିମ କୋର୍ଟକୁ ଏଭଳି ଅନୁରୋଧ କରିଛନ୍ତି। ନଭେମ୍ବର ୨୦୧୬ରେ ସୁପ୍ରିମ କୋର୍ଟ ଏସଂପର୍କରେ ଦେଇଥିବା ଆଦେଶକୁ ପ୍ରତ୍ୟାହାର କରିବା ଲାଗି କୁହାଯାଇଛି। କେନ୍ଦ୍ର ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ଜାତୀୟ ସଙ୍ଗୀତ ଗାନ ସଂପର୍କରେ ସଂଶୋଧିତ ଗାଇଡଲାଇନ୍ସ ଜାରି କରାଯିବ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ୬ ମାସ ମଧ୍ୟରେ କମିଟି ଏହାର ମତାମତ ଦେବାପହରେ ନୁତନ ସର୍କୁଲାର ଜାରି କରାଯିବ।
ଉଲ୍ଲେଖଯୋଗ୍ୟ ଯେ ୨୦୧୬ ନଭେମ୍ବର ୩୦ ତାରିଖରେ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସିନେମା ହଲରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିବାକୁ ଆଦେଶ ଦେଇଥିଲେ। ସଙ୍ଗୀତ ଗାନକୁ ସମ୍ମାନ ଜଣାଇ ହଲରେ ଉପସ୍ଥିତ ସମସ୍ତ ଦର୍ଶକ ଠିଆ ହେବାକୁ କୁହାଯାଇଥିଲା। କୋର୍ଟ କହିଥିଲେ ଯେ, ଚଳଚ୍ଚିତ୍ର ପୂର୍ବରୁ ଜାତୀୟସଙ୍ଗୀତ ଗାନ ଦ୍ୱାରା ଲୋକଙ୍କ ମନରେ ଦେଶଭକ୍ତି ଜାଗ୍ରତ ହେବ। ତେବେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଜଣେ ବ୍ୟକ୍ତି ଏହି ଆଦେଶକୁ କୋର୍ଟରେ ଚାଲେଞ୍ଜ କରିଥିଲେ। ଗତବର୍ଷ ଅକ୍ଟୋବର ୨୩ ତାରିଖରେ ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ସିନେମାହଲରେ ଜାତୀୟସଙ୍ଗୀତକୁ ବାଧ୍ୟତାମୂଳକ କରାଯିବ ନା ନାହିଁ ସେନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ସରକାର ଏନେଇ ସର୍କୁଲାର ଜାରି କରନ୍ତୁ।
Follow Us