ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ-ଏସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍) ମାମଲାରେ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ନୂଆ ଏଫ୍‌ଆଇଆର୍‌ ରୁଜୁ କରିଛି। ଏହି ମାମଲାରେ ଆପରାଧିକ ଷଡ୍‌ଯନ୍ତ୍ର (୧୨୦ବି), ବିଶ୍ୱାସଘାତକତା (୪୦୬), ଅସାଧୁ ଉପାୟରେ ସମ୍ପତ୍ତି ହଡ଼ପ (୪୦୩) ଓ ଠକେଇ (୪୨୦) ଧାରା ଲଗାଯାଇଛି।

Advertisment

Youth Festival: ଯୁବ ଉତ୍ସବରେ ସଂସ୍କୃତି ଓ ଜ୍ଞାନର ଏକ ବିରଳ ସମନ୍ୱୟର ଝଲକ

ଆପରାଧିକ ଷଡ୍‌ଯନ୍ତ୍ର ଅଭିଯୋଗରେ ନୂଆ ଏଫ୍‌ଆଇଆର୍‌

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅକ୍ଟୋବର ୩ ତାରିଖରେ ପୁଲିସରେ ମନି ଲଣ୍ଡରିଂ ମାମଲାରେ ଯେଉଁ ଅଭିଯୋଗ ହୋଇଥିଲା ଆଜିର ଏଫ୍‌ଆଇଆର୍‌ ତାହା ଉପରେ ପର୍ଯ୍ୟବସିତ ବୋଲି ଜଣାପଡ଼ିଛି। ୨୦୧୦-୧୧ରେ କଂଗ୍ରେସ ପକ୍ଷରୁ ଏଜେଏଲ୍‌ର ୯୯ ପ୍ରତିଶତ ସେୟାର୍‌କୁ ମାତ୍ର ୫୦ ଲକ୍ଷ ଟଙ୍କାରେ ୟଙ୍ଗ ଇଣ୍ଡିଆନ୍ (ୱାଇଆଇ) ନାମକ ଅଣଲାଭକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ୟଙ୍ଗ ଇଣ୍ଡିଆନ୍‌ରେ ସୋନିଆ ଓ ରାହୁଲଙ୍କର ୩୮% ଲେଖାଏଁ ଅଂଶଧନ ରହିଛି। ଏହାଦ୍ୱାରା ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ ଆଦି ସ୍ଥାନରେ ଥିବା ୨,୦୦୦ କୋଟିରୁ ଅଧିକ ମୂଲ୍ୟର ଏଜେଏଲ୍ ସମ୍ପତ୍ତି ଗାନ୍ଧୀ ପରିବାର ନିଜ ନିୟନ୍ତ୍ରଣକୁ ନେଇଥିବା ଅଭିଯୋଗ ହୋଇଛି।

AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ଅଭିଯୁକ୍ତଙ୍କ ତାଲିକା ଓ କୋର୍ଟ ନିର୍ଦ୍ଦେଶ
ଦିଲ୍ଲୀ ପୁଲିସର ଏହି ନୂଆ ଏଫ୍‌ଆଇଆର୍‌ରେ ଅଭିଯୁକ୍ତଙ୍କ ମଧ୍ୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସାମ୍ ପିତ୍ରୋଡ଼ା, ସୁମନ ଦୁବେ, ସୁନୀଲ ଭଣ୍ଡାରୀ, ୟଙ୍ଗ ଇଣ୍ଡିଆ ସଂସ୍ଥା, ଏଜେଏଲ୍ ଓ କୋଲକାତାର ସେଲ୍ କମ୍ପାନି ଡୋଟେକ୍ସ ମର୍ଚେଣ୍ଡାଇଜ୍ ରହିଛନ୍ତି। ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ୨୯ ନଭେମ୍ବରରେ ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରି ଆସନ୍ତା ୧୬ ଡିସେମ୍ବର ପର୍ଯ୍ୟନ୍ତ ପରବର୍ତ୍ତୀ ନ୍ୟା‌ୟିକ ପ୍ରକ୍ରିୟା ଉପରେ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି। ଏଫ୍‌ଆଇଆର୍‌କୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାକୁ ‘ମୋଦୀ-ଶାହଙ୍କ ରାଜନୈତିକ ପ୍ରତିଶୋଧ’ ବୋଲି କହି ଦଳ ନିନ୍ଦା କରିଛି। ଅନ୍ୟପକ୍ଷରେ ବିଜେପି ଏହାକୁ ‘କଂଗ୍ରେସର ବଡ଼ ଦୁର୍ନୀତିର ପ୍ରମାଣ’ ବୋଲି ଦାବି କରିଛି। ନୂଆ ଏଫ୍‌ଆଇଆର୍‌ ଗାନ୍ଧୀ ପରିବାର ଉପରେ ଅଧିକ ଚାପ ସୃଷ୍ଟି କରିଛି।