ଏକ ‘ଜାତୀୟ ଦଳ’ ସମସ୍ତ ପ୍ରକାର ସାହାଯ୍ୟ ଲାଗି ଆମକୁ ପ୍ରତିଶ୍ରୁତି ଦେଇଛି : ଏକନାଥ ସିନ୍ଦେ

ଏକ ‘ଜାତୀୟ ଦଳ’ ସମସ୍ତ ପ୍ରକାର ସାହାଯ୍ୟ ଲାଗି ଆମକୁ ପ୍ରତିଶ୍ରୁତି ଦେଇଛି : ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି (ଏମଭିଏ) ସରକାରକୁ ପତନ ମୁଖକୁ ଠେଲି ଦେଇଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ କହିଛନ୍ତି ଯେ ଏକ ‘ଜାତୀୟ ଦଳ’ ସେମାନଙ୍କ ବିଦ୍ରୋହକୁ ‘ଐତିହାସିକ’ ନିଷ୍ପତ୍ତି ବୋଲି କହିଛି ଏବଂ ସେମାନଙ୍କୁ ସମସ୍ତ  ପ୍ରକାର ସାହାଯ୍ୟ ଯୋଗାଇବାକୁ ଆଶ୍ୱାସନା ସହ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମଧ୍ୟ ଦେଇଛି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥନରେ ଯଦିଓ ଏନସିପି ଓ କଂଗ୍ରେସ ରହିଛନ୍ତି, କିନ୍ତୁ ତାଙ୍କ ସମର୍ଥନ ବିଧାୟକଙ୍କ ସଂଖ୍ୟା କ୍ରମଶଃ କମିକମି ଯାଉଛି।

ଗୁଆହାଟୀ ହୋଟେଲରେ ବିଦ୍ରୋହୀ ସେନା ବିଧାୟକଙ୍କ ଗୋଷ୍ଠୀକୁ ସମ୍ବୋଧିତ କରୁଥିବା ସିନ୍ଦେଙ୍କ ଏକ ଭିଡିଓ ମୁମ୍ବାଇରେ ଥିବା ତାଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଛି, ଯେଉଁଥିରେ ବିଦ୍ରୋହୀ ନେତା ସିନ୍ଦେ ଏହି କଥା କହୁଥିବା ଦେଖିବାକୁ ମିଳିଛି।

publive-image

ଭିଡିଓରେ ଏହା ମଧ୍ୟ ଦର୍ଶାଯାଇଛି ଯେ ତାଙ୍କ ସହ ଥିବା ଅନ୍ୟ ବିଦ୍ରୋହୀ ବିଧାୟକମାନେ ସର୍ବସମ୍ମତିକ୍ରମେ ସିନ୍ଦେଙ୍କୁ ସେମାନଙ୍କ ଗୋଷ୍ଠୀର ନେତା ଭାବରେ ମାନ୍ୟତା ପ୍ରଦାନ କରିବା ସହ ସେମାନଙ୍କ ତରଫରୁ ଅଧିକ ନିଷ୍ପତ୍ତି ନେବାକୁ ମଧ୍ୟ ସମସ୍ତ କ୍ଷମତା ପ୍ରଦାନ କରିଛନ୍ତି।

ଭିଡିଓରେ ସିନ୍ଦେ କହୁଥିବାର ଦେଖିବାକୁ ମିଳୁଛି, ‘ଆମର ଚିନ୍ତା ଏବଂ ଖୁସି ସମାନ। ଆମେ ଏକଜୁଟ ଅଛୁ ଏବଂ ବିଜୟ ଆମର ହେବ। ଆମ ପଛରେ ଏକ ଜାତୀୟ ଦଳ ଅଛି, ଯାହାକି ଆମର ‘ମହାଶକ୍ତି’... ଆପଣ ଜାଣନ୍ତି ସେମାନେ ପାକିସ୍ତାନକୁ ପରାସ୍ତ କରିଛନ୍ତି। ସେହି ଦଳ କହିଛି ଯେ ଆମେ ଏକ ଐତିହାସିକ ନିଷ୍ପତ୍ତି ନେଇଛୁ ଏବଂ ସମସ୍ତ ସାହାଯ୍ୟ ଆମକୁ ଯୋଗାଇବାକୁ ଆଶ୍ୱାସନା ଦେଇଛି’।

ସିନ୍ଦେ ବର୍ତ୍ତମାନ ସେନାର ୩୭ ଜଣ ବିଦ୍ରୋହୀ ବିଧାୟକ ଏବଂ ୯ ଜଣ ସ୍ୱାଧୀନ ବିଧାୟକଙ୍କ ସହ ଗୁଆହାଟୀରେ କ୍ୟାମ୍ପ କରୁଛନ୍ତି। ସିନ୍ଦେଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ତାଙ୍କୁ ସେମାନଙ୍କ ତରଫରୁ ନିଷ୍ପତ୍ତି ନେବାକୁ ଅଧିକୃତ କରିବାର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି।

ତେବେ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ ପୂର୍ବରୁ ସିନ୍ଦେଙ୍କ ସ୍ଥାନରେ ଗୃହରେ ଅଜୟ ଚୌଧୁରୀଙ୍କୁ ଶିବସେନା ଗୋଷ୍ଠୀର ନେତା ଭାବେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅଜିତ ପାୱାରଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ରାଜ୍ୟରେ ଚାଲିଥିବା ରାଜନୈତିକ ସଙ୍କଟରେ ବିରୋଧୀ ବିଜେପିର ଭୂମିକା ରହିଛି କି ନାହିଁ? ସେ କହିଛନ୍ତି, ଏ ପର୍ଯ୍ୟନ୍ତ କୌଣସି ଶୀର୍ଷ ବିଜେପି ନେତାଙ୍କୁ ଆଗରେ ଦେଖିବାକୁ ମିଳିନାହିଁ। ରାଜ୍ୟ ଏନସିପି ମୁଖ୍ୟ ଜୟନ୍ତ ପାଟିଲ କହିଛନ୍ତି ଯେ ଏମଭିଏ ସରକାର ସଂଖ୍ୟାଗରିଷ୍ଠତା  ଜାରି ରଖିଛି। ବିଦ୍ରୋହୀମାନେ ଶିବସେନା ଛାଡି ନାହାଁନ୍ତି। ସେମାନେ ବର୍ତ୍ତମାନ ଅସନ୍ତୋଷ ପ୍ରକାଶ କରୁଛନ୍ତି ଏବଂ ଫେରି ଆସିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe