ନାଟୋର ପ୍ରସ୍ତୁତି ତୃତୀୟ ବିଶ୍ୱଯୁଦ୍ଧର ସତର୍କ ଘଣ୍ଟି

ରୁଷିଆ ପକ୍ଷରୁ ବଢୁଥିବା ବିପଦରୁ ୟୁରୋପର ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ନାଟୋ ଏକ ଯୋଜନା ପ୍ରସ୍ତୁତ କରିଛି। ନାଟୋ ୟୁରୋପୀୟ ଦେଶଗୁଡ଼ିକୁ ସେମାନଙ୍କର ଭୂମି ବାୟୁ ପ୍ରତିରକ୍ଷା କ୍ଷମତାକୁ ପାଞ୍ଚଗୁଣା ବୃଦ୍ଧି କରିବାକୁ ଅନୁରୋଧ କରିଛି...

NATO's preparations are a warning bell for World War III

NATO's preparations are a warning bell for World War III Photograph: (sambad.in)

ବ୍ରସେଲ୍ସ: ୟୁକ୍ରେନ ସହିତ ରୁଷିଆ ସମଗ୍ର ୟୁରୋପ ପାଇଁ ବିପଦ ପାଲଟିଛି। ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପରେ, ରୁଷିଆ ପ୍ରତିଶୋଧର ନିଆଁରେ ଜଳୁଛି ଏବଂ ଯେକୌଣସି ସମୟରେ ଏକ ବଡ଼ ଧରଣର ଆକ୍ରମଣ କରିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ତାଙ୍କର ଟାର୍ଗେଟ ୟୁକ୍ରେନକୁ ସାହାଯ୍ୟ କରୁଥିବା ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ହୋଇପାରେ।

ରୁଷିଆ ପକ୍ଷରୁ ବିପଦ ଦେଖି ୟୁରୋପୀୟ ଦେଶଗୁଡ଼ିକ ଚିନ୍ତିତ ଏବଂ ଏବେ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ୟୁରୋପୀୟ ସଦସ୍ୟ ଦେଶଗୁଡ଼ିକୁ ସମ୍ଭାବ୍ୟ ରୁଷିଆ ଆକ୍ରମଣର କଡ଼ା ଜବାବ ଦେବା ପାଇଁ ସେମାନଙ୍କର ବାୟୁ ପ୍ରତିରକ୍ଷା କ୍ଷମତାକୁ ପାଞ୍ଚଗୁଣା ବୃଦ୍ଧି କରିବାକୁ ଅନୁରୋଧ କରିଛି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ରୁଷିଆ ସହିତ ବଢୁଥିବା ଉତ୍ତେଜନା ଏବଂ ୟୁରୋପର ପ୍ରତିରକ୍ଷା ସମ୍ପର୍କରେ ଆମେରିକାର ଅନିଶ୍ଚିତତା ବୃଦ୍ଧି ପାଉଥିବାରୁ ୟୁରୋପୀୟ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଏହି ଅନୁରୋଧ ନାଟୋର ନୂତନ ପ୍ରୟାସ।

ଏହା ସହିତ, ନାଟୋ ସଚିବ ଅନେକ ସୁରକ୍ଷା ପଦକ୍ଷେପ ନେଇ ପରାମର୍ଶ ଦେଇଛନ୍ତି ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ନାଟୋର ଏଭଳି ପ୍ରସ୍ତୁତି ଦେଖି ତୃତୀୟ ବିଶ୍ୱଯୁଦ୍ଧର ସତର୍କ ଘଣ୍ଟି ଯେକୌଣସି ସମୟରେ ବାଜିପାରେ ବୋଲି କଳ୍ପନଜଳ୍ପନା ପ୍ରକାଶ ପାଇଛି।

ରୁଷିଆ ନାଟୋର ବର୍ଦ୍ଧିତ ଶକ୍ତିକୁ ନିଜ ପାଇଁ ବିପଦ ବୋଲି ଭାବୁଛି। ରୁଷିଆ ସହିତ ଯୁଦ୍ଧ ଆରମ୍ଭ ହେବା ପଛରେ ୟୁକ୍ରେନ୍ ନାଟୋରେ ଯୋଗଦେବାର କ‌ାରଣ ଥିଲା। ୟୁରୋପ ପ୍ରତି ରୁଷିଆର ବଢୁଥିବା ବିପଦକୁ ନେଇ ନାଟୋ ଚିନ୍ତିତ। କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ୟୁରୋପକୁ ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ପ୍ରସ୍ତୁତ ନୁହନ୍ତି। ରୁଷିଆ ସହିତ ଏହାର ଆଲୋଚନା ମଧ୍ୟ ଚାଲିଛି।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ନାଟୋ ପ୍ରତିରକ୍ଷା ମନ୍ତ୍ରୀ ଜୁନ୍ ୫ ତାରିଖରେ ବ୍ରୁସେଲ୍ସରେ ହେବାକୁ ଥିବା ବୈଠକରେ ବାୟୁ ପ୍ରତିରକ୍ଷା ବୃଦ୍ଧି କରିବା ବିଷୟରେ ଆଲୋଚନା କରିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ବୈଠକର ଏଜେଣ୍ଡାରେ ଅନେକ ପ୍ରସ୍ତାବିତ ପ୍ରତିରକ୍ଷା ପରାମର୍ଶ ଅନ୍ତର୍ଭୁକ୍ତ ହେବ। ଯାହା ଜୁନ୍ ୨୪-୨୫ ତାରିଖରେ ହେଗ୍‌ରେ ହେବାକୁ ଥିବା ନାଟୋ ସମ୍ମିଳନୀ ପାଇଁ ମୌଳିକ ପଦକ୍ଷେପ ଗ୍ରହଣ କରିବ।

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ୨୦୨୭ରୁ ଜନଗଣନା: ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ପ୍ରସ୍ତୁତି

ରିପୋର୍ଟ ଅନୁଯାୟୀ, ନାଟୋ ସଦସ୍ୟମାନେ ସେମାନଙ୍କର ବାୟୁ ପ୍ରତିରକ୍ଷାକୁ ୫ ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଜଣେ ବରିଷ୍ଠ ୟୁରୋପୀୟ ସାମରିକ ଅଧିକାରୀଙ୍କ ଅନୁଯାୟୀ, ନାଟୋ ସଦସ୍ୟମାନେ ଡ୍ରୋନ୍, କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ବିମାନ ବିରୁଦ୍ଧରେ ସୁରକ୍ଷା ପାଇଁ ଭୂମି ବାୟୁ ପ୍ରତିରକ୍ଷା ପ୍ରଣାଳୀର ଅଭାବର ସମ୍ମୁଖୀନ ହେଉଛନ୍ତି। କାରଣ ଶୀତଳ ଯୁଦ୍ଧ ଶେଷ ହେବା ପରେ ସେମାନେ ଏଥିପ୍ରତି ଧ୍ୟାନ ଦେବା ବନ୍ଦ କରିଦେଇଥିଲେ।

ଆମେ ଯୁଦ୍ଧରେ ନାହୁଁ, କିନ୍ତୁ ଆମେ ଶାନ୍ତିରେ ମଧ୍ୟ ନାହୁଁ ବୋଲି ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ଜୁନ୍ ୨ ତାରିଖରେ ନର୍ଡିକ ଦେଶଗୁଡ଼ିକର ବୁଖାରେଷ୍ଟ ନାଇନ୍ (ବି-୯) ଏବଂ ଭିଲନିୟସ୍ ଶିଖର ସମ୍ମିଳନୀରେ କହିଥିଲେ। ସେ  କହିଥିଲେ ଯେ, ଆମକୁ ଆମର ପ୍ରତିରକ୍ଷା ଏବଂ ସୁରକ୍ଷାକୁ ସୁଦୃଢ଼ ​​କରିବା ଏବଂ ଯୁଦ୍ଧ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପଡିବ।

ଅଧିକ ପଢ଼ନ୍ତୁ: ଆରସିବିର ବିଜୟ ଶୋଭାଯାତ୍ରା ଫିକା ପଡ଼ିଲା: ଦଳାଚକଟାରେ ୭ ମୃତ, ୨୦ରୁ ଅଧିକ ଆହତ

NATO | Russia | Ukraine | World War III 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe