ଜମ୍ମୁ କାଶ୍ମୀରରେ ପ୍ରକୃତିର ତାଣ୍ଡବ ଜାରି: ବର୍ଷା, ଭୂସ୍ଖଳନରେ ୧୦ ମୃତ

ଜମ୍ମୁ କାଶ୍ମୀରରେ ତୁହାକୁ ତୁହା ବର୍ଷା ବିପର୍ଯ୍ୟୟ ଜଟିଳ ସ୍ଥିତି ସୃଷ୍ଟି କରିଛି।  ଲଗାତାର ୩ ଦିନ ଧରି ଜମ୍ମୁ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ   ସମସ୍ତ ନଦୀ ଏବେ ବିପଦସଙ୍କେତ ଟପି ପ୍ରବାହିତ...

ଅଦ୍ୟତନ ହୋଇଛି
Untitled-5

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ତୁହାକୁ ତୁହା ବର୍ଷା ବିପର୍ଯ୍ୟୟ ଜଟିଳ ସ୍ଥିତି ସୃଷ୍ଟି କରିଛି।  ଲଗାତାର ୩ ଦିନ ଧରି ଜମ୍ମୁ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ   ସମସ୍ତ ନଦୀ ଏବେ ବିପଦସଙ୍କେତ ଟପି ପ୍ରବାହିତ ହେଉଛି। ଏହାଦ୍ବାରା ଅନେକ ସଂଖ୍ୟାରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ବିପର୍ଯ୍ୟୟ ପାଇଁ ଜମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି।  ତ୍ରିକୁଟା ପର୍ବତରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ପୂଜା‌ସ୍ଥଳକୁ ଯାଉଥିବା ରାସ୍ତାରେ ଆଜି ଅପରାହ୍ନରେ ଭୂସ୍ଖଳନ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି।  ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଥିବା ଏହି ପ୍ରସିଦ୍ଧ ପୁଜାସ୍ଥଳକୁ ଏବେ ଯାତ୍ରା ବନ୍ଦ ରହିଛି। ଭୂସ୍ଖଳନ ହେବାପରେ ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାର ଅପରେସନ୍‌ ଜାରି ରହିଛି।  ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଅର୍ଦ୍ଧକୁମାରୀ ନିକଟ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକ‌ଟରେ ଏହି ଭୂସ୍ଖଳନ ହୋଇଥିଲା।   ଆଉ ଏକ ଘଟଣାରେ ଡୋଡ଼ା ଜିଲ୍ଲାରେ ବାଦଲଫଟା ବର୍ଷା ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି। ବାଦଲଫଟା ବର୍ଷା ଏବଂ ଅଚାନକ ବନ୍ୟ‌ା ଦ୍ବାରା ଏଠାରେ ୧୦ରୁ ଅଧିକ ଘର ଭସାଇ ନେଇଛି। ଏଠାରେ କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅଚାନକ ବନ୍ୟାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।  ଜମ୍ମୁର ବିଭିନ୍ନ ଅଞ୍ଚଳ ତଥା କଠୁଆ, ସାମ୍ବା, ଡୋଡ଼ା, ଜମ୍ମୁ, ରମ୍ବନ ଏବଂ କିସ୍ତୱାଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜା‌ରି କରିଛି।  

ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଆକଳନ କରି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର ରେଡ୍‌ ଆଲର୍ଟ ଜାରି କରିଛି।  ଜମ୍ମୁ କାଶ୍ମୀରରେ ରେଡ୍‌ ଆଲର୍ଟ ମୁଖ୍ୟତଃ ଜମ୍ମୁ ଅଞ୍ଚଳରେ ସୀମିତ ରହିଛି।  ରିଆସି, ଜମ୍ମୁ , ସାମ୍ବା, କଠୁଆ, ଉଧମପୁର ଏବଂ ଡୋଡ଼ା ଜିଲ୍ଲା ଏହି ଅଞ୍ଚଳ ପରିସରଭୁକ୍ତ। ଆଇଏମ୍‌ଡି ମଧ୍ୟ କିସ୍ତୱାଡ଼ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି।  ପ୍ରବଳ ବର୍ଷା ପାଇଁ ଜମ୍ମୁ କାଶ୍ମୀର ଓ ଲଦାଖରେ ସଡ଼କ, ଟ୍ରେନ୍‌‌ ସେବା ଏବଂ ବିମାନ‌ ସେବା ପ୍ରଭାବିତ ହୋଇଛି।  ଏକାଧିକ ଭୂସ୍ଖଳନ ପାଇଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ମାରୋଗ, ଦିଗଦଲ, ବ୍ୟାଟେରି ଚସମାରେ ବନ୍ଦ ରହିଛି। ଜିଲ୍ଲା ପ୍ରଶାସନ ‌ଲୋକଙ୍କୁ ନଦୀ କୂଳକୁ ଯିବାପାଇଁ ମନା କରିଛନ୍ତି ଏବଂ ସତର୍କ ରହିବାପାଇଁ କହିଛନ୍ତି।  ଡୋଡ଼ା ଓ କିସ୍ତୱାଡ଼କୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୨୪୪ ଏବେ ବନ୍ଦ ରହିଛି।  

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ଜମ୍ମୁ ପ୍ର‌ଦେଶର ବିଭିନ୍ନ ଅଂଶରେ ଏବେ ସ୍ଥିତି ଅତ୍ୟନ୍ତ ସାଂଘାତିକ ରହିଛି। ସେ  ଜମ୍ମୁ ଯାଇ ସ୍ଥିତି ସମୀକ୍ଷା କରିବେ ବୋଲି କହିଛନ୍ତି। ବର୍ଷା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଆଜି  ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ପ୍ରତି ବିଭାଗକୁ ପ୍ରସ୍ତୁତ ରହିବାପାଇଁ କହିଛନ୍ତି।  ତାଇ ଏବଂ ରବି ସମେତ ପ୍ରମୁଖ ନଦୀଗୁଡ଼ିକ ଏବେ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe