୧୮ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ମାଗଣା ଟିକାକରଣ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ନବୀନ

ମିସନ୍ ଶକ୍ତିର ମା’ମାନେ ଓଡ଼ିଶାର ବିକାଶ ବାହିନୀ

ଭୁବନେଶ୍ବର : ଦେଶରେ ୧୮ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ମାଗଣା ଟିକା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ସବୁ ଲୋକ ଟିକା ନ ନେବା ପର୍ଯ୍ୟନ୍ତ କେହି ନିରାପଦ ନୁହନ୍ତି। କୋଭିଡ୍‌ ମହାମାରୀ ବିରୋଧୀ ଲଢ଼େଇରେ ପୂରା ଦେଶ ଏକାଠି ହୋଇ ଠିଆ ହୋଇଛି। ଟିକାକରଣକୁ ଏକ ଜାତୀୟ ମିସନ୍ ଭାବେ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ବିଦେଶରୁ ଟିକା କିଣି ସବୁ ରାଜ୍ୟକୁ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ।

ଏ ବାବଦରେ ଅର୍ଥ ରାଜ୍ୟ ସରକାର ଦେବେ ବୋଲି ସେ କହିଥିଲେ। ଏଥି ପାଇଁ ସବୁ ରାଜ୍ୟ ଏକାଠି ହୋଇ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ସେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ।

ପ୍ରଧାନମନ୍ତ୍ରୀଙ୍କ ମାଗଣା ଟିକାକରଣ ଘୋଷଣା ପରେ ଓଡ଼ିଶା ପକ୍ଷରୁ ଟିକା କିଣିବାକୁ ଚାଲିଥିବା ଗ୍ଲୋବାଲ୍‌ ଟେଣ୍ଡର୍‌ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଯେହେତୁ କେନ୍ଦ୍ର ମାଗଣାରେ ଟିକା ଯୋଗାଇବ, ତେଣୁ ରାଜ୍ୟ ପକ୍ଷରୁ ଆଉ ଟିକା କିଣିବାର ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ମେ' ମାସରୁ ଓଡ଼ିଶା ସରକାର ନିଜ ଖର୍ଚ୍ଚରେ କୋଭାକ୍ସିନ୍ ଓ କୋଭିସିଲ୍‌ଡ୍‌ ଟିକା କିଣି ୧୮ରୁ ୪୫ ବର୍ଷର ଲୋକମାନଙ୍କ ଟିକାକରଣ ଆରମ୍ଭ କରିଥିଲେ। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ୨ କୋଟି ୨୦ ଲକ୍ଷ କୋଭିସିଲ୍‌ଡ୍‌ ଡୋଜ୍‌ ଓ ଭାରତ ବାୟୋଟେକ୍‌କୁ ୧୦.୩୪ ଲକ୍ଷ କୋଭାକ୍ସିନ୍ ଡୋଜ୍‌ କିଣିବା ପାଇଁ ରାଜ୍ୟ ସରକାର ଅର୍ଡର୍‌ ଦେଇଥିଲେ। କିନ୍ତୁ ଆବଶ୍ୟକତାକୁ ଚାହିଁ ଉଭୟ ଟିକା କମ୍ପାନିର ଟିକା ଯୋଗାଣ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଫଳରେ ବହୁ ଜିଲ୍ଲାରେ ଟିକାକରଣ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe