ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନରେ ବିପୁଳ ବିଜୟ ପାଇଁ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ‘ଆମ୍ ଆଦ୍ମୀ ପାର୍ଟି’କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ଜନସାଧାରଣଙ୍କ ମତ ହେଉଛି ଈଶ୍ବରଙ୍କ ମତ। ପଞ୍ଜାବବାସୀଙ୍କ ଜନାଦେଶକୁ ସବିନୟ ସ୍ବୀକାର କରୁଛି। ‘ଆପ୍’କୁ ଅଭିନନ୍ଦନ।
ସୂଚନାଯୋଗ୍ୟ, ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ‘ଆମ୍ ଆଦ୍ମୀ ପାର୍ଟି’ ୯୧ ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୧୭ଟି ଆସନରେ ଅଗ୍ରଣୀ ଥାଇ ବହୁ ପଛରେ ରହିଛି।
ଟ୍ରେଣ୍ଡ୍ରୁ ପ୍ରାପ୍ତ ସୂଚନା ଅନୁସାରେ, ନବଜୋତ୍ ସିଦ୍ଧୁ ଏବଂ ଶିରୋମଣି ଅକାଳୀ ଦଳର ନେତା ବିକ୍ରମ ସିଂହ ମାଜିଥାଇ ଅମୃତସର ପୂର୍ବ ଆସନରେ ଜୀବନ ଜ୍ୟୋତ୍ କୌର୍ଙ୍କ ଠାରୁ ପଛାଇଛନ୍ତି।
ସୁନିଶ୍ଚିତ ବିଜୟର ପୂର୍ବାଭାସ ପାଇବା କ୍ଷଣି ଦିଲ୍ଲୀସ୍ଥିତ ‘ଆପ୍’ ମୁଖ୍ୟାଳୟରେ କର୍ମୀମାନେ ଉତ୍ସବ ମୁଖର ହୋଇଉଠିଛନ୍ତି।
Image Courtesy of NDTV‘ଆପ୍’ ନେତା ଚଢ଼ା କହିଛନ୍ତି, ଯାହା ଜଣାପଡୁଛି ପଞ୍ଜାବବାସୀ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଏବଂ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ୍ ମାନ୍ଙ୍କ ଟିମ୍ୱାର୍କକୁ ଗ୍ରହଣ କରିଛନ୍ତି।
ଚଢ଼ା ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ‘ଆପ୍’ ସରକାରଙ୍କ ଶାସନ ଢାଞ୍ଚା ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛି। ‘ଆପ୍’ର ବିପୁଳ ବିଜୟ ଦଳକୁ ସୁଦୃଢ଼ କରିବା ସହ ଆଗାମୀ ୨ ବର୍ଷ ପରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ବିଜେପି-ବିରୋଧୀ ମେଣ୍ଟର ନେତା ଭାବେ ପ୍ରତିପାଦନ କରିବ।
ଚଳିତ ନିର୍ବାଚନରେ ବିପ୍ଳବ ଆଣିଥିବାରୁ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଓ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ ମଧ୍ୟ ପଞ୍ଜାବବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମ୍ପ୍ରତି ମାନ୍ ଧୁରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗୁଆ ଅଛନ୍ତି।
Follow Us