ଜେଲରୁ ବାହାରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେ‌ଲେ ନବନୀତ୍ ରାଣା, ଭାଇରାଲ ହେଉଛି କାନ୍ଦୁଥିବାରୁ ଫଟୋ

ଜେଲରୁ ବାହାରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେ‌ଲେ ନବନୀତ୍ ରାଣା, ଭାଇରାଲ ହେଉଛି କାନ୍ଦୁଥିବାରୁ ଫଟୋ

ମୁମ୍ବାଇ: ହନୁମାନ ଚାଳିଶା ବିବାଦ ହେତୁ ଗିରଫ ହୋଇଥିବା ମହାରାଷ୍ଟ୍ରର ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଗତକାଲି ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଜାମିନ ମିଳିବା ପରେ ଆଜି ଦୁହେଁ ଜେଲରୁ ମୁକୁଳିଥିଲେ। ନବନୀତ ଭାୟଖଲା ମହିଳା ଜେଲରୁ ମୁକୁଳି ଥିବା ବେଳେ ରବି ରାଣା ତଲୋଜା ଜେଲରୁ ମୁକୁଳିଥିଲେ। ଏହା ପରେ ସେମାନଙ୍କୁ ଲୀଳାବତୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ନବନୀତ୍ ରାଣାଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ବର୍ତ୍ତମାନ ଲୀଳାବତୀ ଡାକ୍ତରଖାନାରୁ ନବନୀତ୍ ରାଣାଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଫଟୋରେ ନବନୀତ୍ କାନ୍ଦୁଥିବାର ଦେଖାଯାଇଥିବା ବେଳେ ସ୍ବାମୀ ରବି ରାଣା ତାଙ୍କୁ ସାନ୍ତ୍ବନା ଦେଉଛନ୍ତି। ଦୁହେଁ ପ୍ରାୟ ୧୧ଦିନ ପରସ୍ପରଠାରୁ ଅଲଗା ରହିଥିବା ବେଳେ ଏତେ ଦିନ ପରେ ପରସ୍ପରକୁ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ ବୋଲି କୁହାଯାଉଛି।

ତେବେ କିଛି ସର୍ତ୍ତାବଳି ରାଣା ଦମ୍ପତିଙ୍କୁ ଜାମିନ ମିଳିଛି। ଜାମିନ ନିମନ୍ତେ ଅଦାଲତ ରଖିଥିବା ସର୍ତ୍ତାବଳିଗୁଡ଼ିକ ହେଉଛି: ଦମ୍ପତି ତଦନ୍ତକ୍ରିୟାରେ ବାଧା ଦେବେ ନାହିଁ କିଂବା ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ସେମାନେ ଏଭଳି କୌଣସି ଅପରାଧିକ ଘଟଣା ଘଟାଇବେ ନାହିଁ। ସେମିତି ହେଲେ ମଞ୍ଜୁର ‌ହୋଇଥିବା ଜାମିନ ଖାରଜ ହୋଇଯିବ। ପ୍ରତ୍ୟେକ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବେ। ଏହା ବ୍ୟତିରେକେ, ସେମାନେ ଗଣମାଧ୍ୟମକୁ କ‌ୌଣସି କଥା କହିବାରୁ ନିବୃତ୍ତ ରହିବେ।

ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଏପ୍ରିଲ୍‌ ୨୩ ତାରିଖ ଦିନ ଖାର୍‌ ଥାନା ପୁଲିସ ଗିରଫ କରିଥି‌ଲା। ସେମାନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ଏଥିଯୋଗୁଁ ସଦ୍‌ଭାବନା ଉଲ୍ଲଂଘନ ହେବା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା।

ଜାମିନ ପାଇଁ ଆଡ୍‌ଭୋକେଟ୍‌ ରିଜ୍‌ୱାନ୍‌ ମର୍ଚାଣ୍ଟ୍‌ଙ୍କ ଜରିଆରେ ଏପ୍ରିଲ୍‌ ୨୫ ତାରିଖରେ ସାଂସଦ-ବିଧାୟକ ଦମ୍ପତି ସେସନ୍‌ କୋର୍ଟରେ ଆବେଦନ କରିଥିଲେ। ଏଥିରେ ସେମାନେ ଲେଖିଥିଲେ କି, ଜନସାଧାରଣଙ୍କ ସମର୍ଥନ ଯୋଗୁଁ ସେମାନେ ହନୁମାନ ଚାଳିଶା ପାଠ କରିବାକୁ ଘୋ‌ଷଣା କରିଥିଲେ। ଏଥିରେ କିଛି ଗୋପନ ଅଭିସନ୍ଧି କିମ୍ବା ଘୃଣା ଭାବ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe