Image Courtesy of Zee News
ନୂଆଦିଲ୍ଲୀ: ଭାରତ ମହାସାଗର ଅଞ୍ଚଳରେ ଚଳାଚଳ କରୁଥିବା ଶତ୍ରୁ ଯୁଦ୍ଧପୋତ ଉପରେ ତୀବ୍ର ନଜର ରଖିବା ଉଦ୍ଦେଶ୍ୟରେ ଭାରତୀୟ ନୌସେନା ଜରୁରୀଭିତ୍ତିରେ ୧୦ଟି ପୋତବାହୀ ଡ୍ରୋନ୍ କିଣିବାକୁ ପ୍ରସ୍ତାବ ଆଗତ କରିଛି।
ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଭାରତୀୟ ନୌସେନା ଫାଷ୍ଟ୍ ଟ୍ରାକ୍ ମୋଡ୍ରେ ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ଡ୍ରୋନ୍ କିଣିବାକୁ ପ୍ରସ୍ତାବ ରଖିଛି। ନୌସେନା ପୋତରେ ରଖାଯିବାକୁ ୧, ୨୪୦ କୋଟି ଟଙ୍କା ବିନିମୟରେ ୧୦ଟି ଡ୍ରୋନ୍ କିଣିବାକୁ ନୌସେନା ଏହି ପ୍ରସ୍ତାବରେ ଉଲ୍ଲେଖ କରିଛି।
ନୌସେନାର ଯୋଜନା ଅନୁସାରେ, ବୃହଦ୍କାୟ ଯୁଦ୍ଧପୋତମାନଙ୍କରେ ଏହି ଡ୍ରୋନଗୁଡ଼ିକ ମୁତୟନ କରାଯିବ। ଏହା ଦ୍ବାରା ଭାରତୀୟ ଜଳରାଶି ଚାରିପଟେ ଚଳପ୍ରଚଳ ହେଉଥିବା ଚୀନ୍ ଓ ଅନ୍ୟ ଶତ୍ରୁ ଦେଶର ଯୁଦ୍ଧପୋତଗୁଡ଼ିକର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିହେବ। ମୁକ୍ତ ଟେଣ୍ଡର୍ ଯୋଗେ ନୌସେନା ଏହି ଡ୍ରୋନ୍ ଖରିଦ କରିବାକୁ ଯୋଜନା କରିଛି।
ଏହାଛଡ଼ା ଯୁକ୍ତରାଷ୍ଟ୍ର ଆମେରିକାରୁ ସି’ ଗାର୍ଡିଆନ୍ ଡ୍ରୋନ୍ ଖରିଦ କରିବାକୁ ମଧ୍ୟ ଭାରତୀୟ ନୌସେନା ଭିନ୍ନ ଏକ ପ୍ରକଳ୍ପରେ କାମ କରୁଛି।
Follow Us