ଏନ୍‌ସିପିର ଘୋଷଣା, ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ

Advertisment

ସପ୍ତାହକ ମଧ୍ୟରେ ନୂଆ ସରକାର ସମ୍ଭାବନା, ସରକାର ୫ ବର୍ଷ ଚାଲିବ: ପାୱାର

ସପ୍ତାହକ ମଧ୍ୟରେ ନୂଆ ସରକାର ସମ୍ଭାବନା, ସରକାର ୫ ବର୍ଷ ଚାଲିବ: ପାୱାର

ଏନ୍‌ସିପିର ଘୋଷଣା, ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ

ମୁମ୍ବାଇ: ମହାରାଷ୍ଟ୍ରରେ ମିଳିତ ସରକାର ଗଠନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ପଦ ଶିବସେନାକୁ ହିଁ ମିଳିବ ବୋଲି ଆଜି ଏନ୍‌ସିପି ଘୋଷଣା କରିଛି। ଦଳର ମୁଖ୍ୟ ମୁଖପାତ୍ର ନବାବ୍‌ ମଲ୍ଲିକ କହିଛନ୍ତି ଯେ କଂଗ୍ରେସ-ଶିବସେନା-ଏନ୍‌ସିପି ସରକାର ଗଠନ ପାଇଁ ସୁବିଧାଜନକ ସ୍ଥିତିରେ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ପଦ ସ୍ବାଭାବିକ ଭାବେ ଶିବସେନାକୁ ହିଁ ଯିବ। ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ଏନ୍‌ସିପି)କୁ ଚୂଡ଼ାନ୍ତ ରୂପ ଦେବାପାଇଁ ୩ ଦଳ ଏବେ ମିଳିତ ଭାବେ କାମ କରୁଛନ୍ତି ଏବଂ ମହାରାଷ୍ଟ୍ରବାସୀଙ୍କ ମତକୁ ସମ୍ମାନ ଦେଇ ଆମେ କାମ କରିବୁ ବୋଲି ମଲ୍ଲିକ କହିଛନ୍ତି। ଆଜି ଏନ୍‌ସିପିର ଏହି ଘୋଷଣା ପରେ ମହାରାଷ୍ଟ୍ରରେ ସପ୍ତାହକ ମଧ୍ୟରେ ନୂଆ ସରକାର ଗଠନ ହେବା ସମ୍ଭାବନା ବଢ଼ିଯାଇଛି। ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ କିମ୍ବା ତାଙ୍କ ପୁଅ ଆଦିତ୍ୟ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତେବେ ଉଭୟଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଯେ ମହାରାଷ୍ଟ୍ରରେ ୫ ବର୍ଷ ପାଇଁ ଏକ ସ୍ଥାୟୀ ସରକାର ଗଠନ ହେବ ଏବଂ ରାଜ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନର ପ୍ରଶ୍ନ ଉଠୁନାହିଁ। ଖୁବ୍‌ଶୀଘ୍ର ରାଜ୍ୟରେ ଶିବସେନା-ଏନ୍‌ସିପି-କଂଗ୍ରେସ ସରକାର ଗଠନ ହେବ ଏବଂ ଏହି ସରକାର ୫ ବର୍ଷର କାର୍ଯ୍ୟକାଳ ସୁରୁଖୁରୁରେ ସଂପନ୍ନ କରିବ ବୋଲି ସେ କହିଛନ୍ତି। ନାଗପୁରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ପାୱାର କହିଛନ୍ତି, ସରକାର ଗଠନ ପାଇଁ ଚାଲିଥିବା ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଚିଠା ସିଏମ୍‌ପି ପ୍ରସ୍ତୁତ ହୋଇସାରିଛି। ବିଜେପି ସହ ମଧ୍ୟ ସରକାର ଗଠନ ନେଇ ଆଲୋଚନା ଚାଲିଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ପାୱାର କହିଥିଲେ ଯେ ଆମେ କଂଗ୍ରେସ ଏବଂ ଶିବସେନାକୁ ବାଦ୍‌ ଦେଇ ଅନ୍ୟ କୌଣସି ଦଳ ସହିତ ଆଲୋଚନା କରିନାହୁଁ। ରାଜ୍ୟରେ ସ୍ଥିର ସରକାର ଗଠନ ହୋଇପାରିବ ନାହିଁ ବୋଲି ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦେଇଥିବା ବୟାନକୁ ସମାଲୋଚନା କରି ପାୱାର କହିଛନ୍ତି ଯେ ଫଡନାଭିସ ଜ୍ୟୋତିଷ ଶାସ୍ତ୍ରର ଛାତ୍ର ବୋଲି ମୁଁ ଜାଣିନଥିଲି। ତାଙ୍କର ସବୁ ଅନୁମାନ ଏ ପର୍ଯ୍ୟନ୍ତ ଭୁଲ୍‌ ପ୍ରମାଣିତ ହୋଇଛି ବୋଲି ପାୱାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe