ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ‌୍‌ଡିଏର କୌଶଳ: ସାଂସଦଙ୍କୁ ୮‌ରେ ନୈଶ ଭୋଜି ଦେବେ ପ୍ରଧାନମନ୍ତ୍ରୀ

ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ପଦ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ  ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।

Untitled-3

ନୂଆଦିଲ୍ଲୀ:  ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ପଦ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ  ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ଏଥିପାଇଁ ସଂସଦର ଦୁଇ ସଦନର ୭୮୨ ସଦସ୍ୟ ଏବଂ ମନୋନୀତ ସଦସ୍ୟମାନେ ମତଦାନ କରିବେ। ଜିତିବାକୁ ଜଣେ ପ୍ରାର୍ଥୀଙ୍କୁ ୩୯୨  ଭୋଟର ଆବଶ୍ୟକତା ଥିବାବେଳେ ଏନ୍‌ଡିଏ ନିକଟରେ ୪୨୫ ସଦସ୍ୟଙ୍କ ସମର୍ଥନ ରହିଛି। ତେବେ ତାଙ୍କ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ଏନ୍‌ଡିଏ ପକ୍ଷରୁ ଏବେଠୁ କୌଶଳ ଆରମ୍ଭ ହୋଇଛି। 

ବିଭିନ୍ନ ରାଜ୍ୟର ସାଂସଦ ଯେପରି ନିର୍ବାଚନ ଦିନ ସଂସଦରେ ଉପସ୍ଥିତ ରହି ମତଦାନ କରିବେ ସେଥପାଇଁ କେନ୍ଦ୍ରମନ୍ତ୍ରୀ ଏବଂ କେତେକ ସାଂସଦଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏହାସହିତ ଆଉ ଏକ ଆକର୍ଷଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପୂର୍ବ ରାତି ଅର୍ଥାତ୍‌ ସେପ୍ଟେମ୍ବର ୮ରେ ଏକ ନୈଶ ଭୋଜିର ଆୟୋଜନ କରାଯିବ। ଏଥିରେ ଏନ୍‌ଡିଏର ସମସ୍ତ ସାଂସଦଙ୍କୁ ଯୋଗ ଦେବାକୁ କୁହାଯାଇଛି। ଭୋଟ କେମିତି ଦେବେ ସେ ନେଇ ସାଂସଦଙ୍କୁ ପ୍ରଶିକ୍ଷଣ ଦେବାକୁ ତିନିଦିନିଆ କର୍ମଶାଳାର ଆୟୋଜନ କରାଯିବ। ବାଲଟ୍‌ରେ ସଠିକ ଭାବେ ଚିହ୍ନ ଦେବା ଏବଂ ନିର୍ବାଚନ ଆୟୋଗ ଦେଇଥିବା କଲମ ବ୍ୟବହାର କରିବାକୁ ଏନ୍‌ଡିଏ ସାଂସଦଙ୍କୁ ପ୍ରଶିକ୍ଷଣ ଦିଆଯିବ। ଯେପରିକି ନିର୍ବାଚନରେ ଖଣ୍ଡିଏ ବି ଭୋଟ ନାକଚ ନହୁଏ ସେନେଇ ପ୍ରଶିକ୍ଷଣରେ ଗୁରୁତ୍ବ ଦିଆଯିବ। କ୍ରସ୍‌ ଭୋଟିଂ ଏବଂ ଭୋଟ ନାକଚ ନହେବାକୁ ଏନ୍‌ଡିଏ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ଏହାସହିତ ଏନ୍‌ଡିଏ ପକ୍ଷରୁ ଅଧିକ ସମର୍ଥନ ଯୋଗାଡ଼ ପାଇଁ ପ୍ରୟାସ ଚାଲିଛି। ଜଗନଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ପକ୍ଷରୁ ପୂର୍ବରୁ ଏନ୍‌ଡିଏକୁ ସମର୍ଥନ ଘୋଷଣା କରାଯାଇଛି। ଏହାର ୧୧ ସାଂସଦଙ୍କୁ ମିଶାଇଲେ ଏନ୍‌ଡିଏ ଶକ୍ତି ୪୨୫-୪୩୪କୁ ବୃଦ୍ଧି ପାଇବ। ବିଜୁ ଜନତା ଦଳକୁ ନିଜ ପକ୍ଷକୁ ନେବାକୁ ଏନ୍‌ଡିଏ ପକ୍ଷରୁ ପ୍ରୟାସ ଚାଲିଛି। ବିଜେଡିର ୭ ରାଜ୍ୟସଭା ସାଂସଦ ଅଛନ୍ତି। ବିଆର୍‌ଏସ୍‌ଠାରୁ ଉଭୟ ଏନ୍‌ଡିଏ ଏବଂ ଇଣ୍ଡି ମେଣ୍ଟ ସମର୍ଥନ ଲୋଡ଼ିଛନ୍ତି। ଏନ୍‌ଡିଏ ନିକଟରେ ବର୍ତ୍ତମାନ ୫୫ % ଭୋଟ ଥିବାବେଳେ ଏହାକୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୨ରେ ଏନ୍‌ଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ସର୍ବାଧିକ ୭୪.୪ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ ଯାହାକି ଏକ ରେକର୍ଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe