ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ମଇ ୧୦ ତାରିଖରେ ଏହି ନିର୍ବାଚନ ହେବ। ଏଥିପାଇଁ ବିଭିନ୍ନ ଦଳପକ୍ଷରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଇ ୧୦ରେ ମତଦାନ ହେବାକୁ ଥିବା ବେଳେ ମଇ ୧୩ରେ ଏହାର ଗଣନା ହେବ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପାଇଁ ଆସିଥିବା ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କର୍ଣ୍ଣାଟକର ୟାଦଗିର ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ୟାଙ୍କପ୍ପା ନାମକ ଜଣେ ବ୍ୟକ୍ତି ନାମାଙ୍କନ ଦାଖଲ କରିବାକୁ ଆସିଥିଲେ। ଏହି ସମୟରେ ସେ ୧୦ହଜାର ଟଙ୍କିକିଆ କଏନ ଜମା କରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଯାହାକୁ ଦେଖି ଘଟଣାସ୍ଥଳରେ ଥିବା ଅଧିକାରୀଙ୍କ ସମେତ ତାଙ୍କ ସହ ନାମାଙ୍କନ ଦାଖଲ ପାଇଁ ଆସିଥିବା ଅନ୍ୟ ପ୍ରାର୍ଥୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ୟାଙ୍କପ୍ପା ବେକରେ ଏକ ପୋଷ୍ଟର ଲଗାଇ ନାମାଙ୍କନ ପାଇଁ ପହଞ୍ଚିଥିଲେ। ଏହି ପୋଷ୍ଟର ତଳେ କନ୍ନଡ ଭାଷାରେ ଲେଖାଥିଲା, କେବଳ ଗୋଟିଏ ଟଙ୍କା ନୁହେଁ, ତୁମର ଗୋଟିଏ ଭୋଟ ଦିଅ, ଗୋଟିଏ ଦିନ ତୁମେ ମୋତେ ଭୋଟ ଦିଅ ମୁଁ ତୁମକୁ ଗରିବରୁ ଉଦ୍ଧାର କରିବି।
ଏହି ଘଟଣାକୁ ନେଇ ୟାଙ୍କପ୍ପା କହିଛନ୍ତି, ‘ମୁଁ ପୂରା ନିର୍ବାଚନ କ୍ଷେତ୍ର ପାଦରେ ବୁଲିବୁଲି ଭୋଟଦାତାଙ୍କ ଠାରୁ ଏହି କଏନ ସଂଗ୍ରହ କରିଛି। ମୋ ଜୀବନ ମୋର ସମ୍ପ୍ରଦାୟର ଲୋକଙ୍କୁ ଏବଂ ଗ୍ରାମବାସୀଙ୍କୁ ଉତ୍ସର୍ଗ କରିବି। ’
Follow Us