ବିଦେଶୀ ଜେଲ୍‌ରେ ଅଛନ୍ତି ପ୍ରାୟ ୮୦୦୦ ଭାରତୀୟ କଏଦୀ, ଅଧିକାଂଶ ଅଛନ୍ତି ସାଉଦି ଆରବରେ: ‘ଏମ୍‌ଇଏ’

Advertisment
ବିଦେଶୀ ଜେଲ୍‌ରେ ଅଛନ୍ତି ପ୍ରାୟ ୮୦୦୦ ଭାରତୀୟ କଏଦୀ, ଅଧିକାଂଶ ଅଛନ୍ତି ସାଉଦି ଆରବରେ: ‘ଏମ୍‌ଇଏ’

Image Courtesy of India Today

ନୂଆଦିଲ୍ଲୀ: ବିଚାରାଧୀନ କଏଦୀଙ୍କ ସମେତ ପ୍ରାୟ ୮୦୦୦ ଭାରତୀୟ କଏଦୀ ୮୨ଟି ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ହୋଇ ରହିଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଂସଦକୁ ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ୪୦୫୮ଜଣ କଏଦୀ ଅଛନ୍ତି ୬ଟି ଉପସାଗରୀୟ ଦେଶ ଏବଂ ଇରାନ୍‌ରେ। କର୍ମସଂସ୍ଥାନ ଉଦ୍ଦେଶ୍ୟରେ ଭାରତୀୟମାନେ ପାରମ୍ପରିକ ଭାବେ ଏହି ଦେଶମାନଙ୍କୁ ଯାଆନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିବା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାରେ୨୬୭ଜଣ ଏବଂ ଇଂଲଣ୍ଡ୍‌ରେ ୩୭୩ଜଣ ଭାରତୀୟ କଏଦୀ ଅଛନ୍ତି। ଏହାଛଡ଼ା, ୧୧ଟି ଦେଶର ଜେଲ୍‌ରେ ଶତାଧିକ ଭାରତୀୟ କଏଦୀ ଥିବା ଜଣାପଡ଼ିଛି।

ସର୍ବାଧିକସଂଖ୍ୟକ ଦୋଷୀ ସାବ୍ୟସ୍ତ ଏବଂ ବିଚାରାଧୀନ ଭାରତୀୟ କଏଦୀ (୧୫୭୦) ଅଛନ୍ତି ସାଉଦି ଆରବରେ। ୧୨୯୨ଜଣ ଭାରତୀୟ କଏଦୀ ଥାଇ ତା’ପଛକୁ ରହିଛି ସଂଯୁକ୍ତ ଆରବ ଏମିରେଟ୍‌ସ୍‌। କୁଏତ୍‌ କାରାଗାରରେ ୪୬୦, କତାର୍‌ରେ ୪୩୯ ବାହାରିନ୍‌ରେ ୧୭୮, ଇରାନ୍‌ରେ ୭୦ ଏବଂ ଓମାନ୍‌ରେ ୪୯ଜଣ କଏଦୀ ଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ରେକର୍ଡ କରିଛି।

publive-image Image Courtesy of The Print

୮୦୦୦ ଭାରତୀୟ କଏଦୀଙ୍କ ମଧ୍ୟରୁ ୧,୯୧୩ଜଣ କଏଦୀ ଭାରତର ୭ଟି ପଡ଼ୋଶୀ ରାଷ୍ଟ୍ରର ବିଭିନ୍ନ ଜେଲ୍‌ରେ ଅଛନ୍ତି। ସବୁଠାରୁ ଅଧିକ, ୮୮୬ ଭାରତୀୟ କଏଦୀ ଅଛନ୍ତି ନେପାଳରେ। ତା’ପରକୁ ପାକିସ୍ତାନରେ ୫୨୪, ଚୀନ୍‌ରେ ୧୫୭, ବାଂଲାଦେଶରେ ୧୨୩, ଭୁଟାନରେ ୯୧, ଶ୍ରୀଲଙ୍କାରେ ୬୭ ଏବଂ ମିଆଁମାର୍‌ରେ ୬୫ଜଣ ଭାରତୀୟ କଏଦୀ ଅଛନ୍ତି। କିନ୍ତୁ, ଆଫଗାନିସ୍ତାନରେ ଆଦୌ ଭାରତୀୟ କଏଦୀ ନାହାନ୍ତି।

ଦୁଇ ପ୍ରମୁଖ କର୍ମସଂସ୍ଥାନ ଏବଂ ପର୍ଯ୍ୟଟନସ୍ଥଳ ଥିବା ଦେଶ ସିଙ୍ଗାପୁର ଏବଂ ମାଲେସିଆର ବିଭିନ୍ନ ଜେଲ୍‌ରେ ୪୮୦ଜଣ ଭାରତୀୟ କଏଦୀ ଅଛନ୍ତି। ମାଲେସିଆରେ ୪୦୯ଜଣ ଏବଂ ସିଙ୍ଗାପୁରରେ ୭୧ଜଣ ଭାରତୀୟ କଏଦୀ ଅଛନ୍ତି। ଫିଲିପ୍ପିନ୍‌ସ୍‌ରେ ୪୧, ଥାଇଲାଣ୍ଡ୍‌ରେ ୨୩ ଏବଂ ଇଣ୍ଡୋନେସିଆରେ ୨୦ଜଣ ଭାରତୀୟ କଏଦୀ ଥିବା କଥା ମଧ୍ୟ ଜଣାପଡ଼ିଛି।

ସେହିପରି, ଅଷ୍ଟ୍ରେଲିଆରେ, ୬୨, କାନାଡା ଏବଂ ସାଇପ୍ରସ୍‌ରେ ୨୩ଜଣ ଲେଖାଏଁ, ଫ୍ରାନ୍‌ସ୍‌ରେ ୩୫ଜଣ, ଗ୍ରୀସ୍‌ ୨୪, ମାଳଦ୍ୱୀପରେ ୨୪ଜଣ ଏବଂ ସ୍ପେନ୍‌ରେ ୪୯ଜଣ ଭାରତୀୟ କଏଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe