Image Courtesy of ANI
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜରୁରୀ ଆବଶ୍ୟକତା ପୂରଣ ନିମନ୍ତେ ଭାରତ ୫ରୁ ୬ ସ୍କ୍ବାଡ୍ରନ୍ ‘୪.୫ ଜେନେରେସନ୍’ ଲଢୁଆ ଜେଟ୍ ଆବଶ୍ୟକ କରୁଥିବା କଥା ମଙ୍ଗଳବାର ଦିନ ‘ଫ୍ରେଞ୍ଚ୍ ଏୟାର୍ ଆଣ୍ଡ୍ ସ୍ପେସ୍ ଫୋର୍ସ’ ସହିତ ଯୋଧପୁରରେ ‘୭ମ ଗରୁଡ଼’ ମିଳିତ ସମରାଭ୍ୟାସ ଅବସରରେ ଏୟାର୍ ଚିଫ୍ ମାର୍ସାଲ୍ ଭି. ଆର୍. ଚୌଧରୀ କହିଛନ୍ତି।
ଭାରତୀୟ ବାୟୁସେନା ତରଫରୁ ଜାରି ବିବୃତିରେ ଉଲ୍ଲେଖ ଅଛି ଯେ, ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ଏବଂ ଦ୍ବିପାକ୍ଷିକ ସମ୍ପର୍କ ପ୍ରଦର୍ଶନ କରି ଯୋଧପୁରରେ ସମରାଭ୍ୟାସ ସମୟରେ ଏୟାର୍ ଚିଫ୍ ମାର୍ସାଲ୍ ଚୌଧରୀ ସ୍ବଳ୍ପ ସମୟ ପାଇଁ ରାଫେଲ୍ ଲଢୁଆ ବିମାନ ଉଡ଼ାଇଥିବା ବେଳେ ଫରାସୀ ବାୟୁସେନା ମୁଖ୍ୟ ଜେନେରାଲ୍ ଷ୍ଟିଫେନ୍ ମିଲି ‘ସୁ-୩୦ଏମ୍କେଆଇ’ ଲଢୁଆ ବିମାନ ଉଡ଼ାଇଛନ୍ତି।
ଯୋଧପୁର ଏୟାର୍ ଫୋର୍ସ ଷ୍ଟେସନ୍ରେ ଚାଲିଥିବା ମିଳିତ ତାଲିମ ଅଭିଯାନର ଅଂଶବିଶେଷ ଭାବେ ଉଭୟ ଭାଗ ନେଇଥିଲେ ବୋଲି ଉକ୍ତ ବିବୃତିରେ ସୂଚନା ଦିଆଯାଇଛି।
Image Courtesy of Twitterପରସ୍ପର ସହିତ ତାଳ ଦେଇ ଲଢୁଆ ବିମାନ ଉଡ଼ାଣ ଦକ୍ଷତା ବୃଦ୍ଧି ହେଉଛି ଉକ୍ତ ସମରାଭ୍ୟାସର ମୂଳ ଉଦ୍ଦେଶ୍ୟ ବୋଲି ଏ ସଂକ୍ରାନ୍ତରେ ଅବଗତ ଥବା ଭାରତୀୟ ବାୟୁସେନାର ଜଣେ ଅଧିକାରୀ କହିଛନ୍ତି।
ଭାରତୀୟ ବାୟୁସେନାର ଲଢୁଆ ବିମାନ ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ଏୟାର୍ ଚିଫ୍ ମାର୍ସାଲ୍ ଭି. ଆର୍. ଚୌଧରୀ କହିଛନ୍ତି, ଜରୁରୀ ଆବଶ୍ୟକତା ପରିପୂରଣ ନିମନ୍ତେ ଆମେ ୫ରୁ୬ ସ୍କ୍ବାଡ୍ରନ୍ ‘୪.୫ ଜେନେରେସନ୍’ ଲଢୁଆ ଜେଟ୍’ ଆବଶ୍ୟକ କରୁଛୁ।
ସୂଚନାଯୋଗ୍ୟ, ପ୍ରତି ସ୍କ୍ବାଡ୍ରନ୍ରେ ୧୮ରୁ ୨୦ଟି ଲଢୁଆ ଜେଟ୍ ଥାଏ।
ସେ ଆହୁରି ମଧ୍ୟ କହିଛନ୍ତି, ଭବିଷ୍ୟତରେ ବିଶ୍ବର ଯେକୌଣସି ସ୍ଥାନରେ ଯୁଦ୍ଧ ହେଲେ, ତା’ର ପରିଣାମ ନିର୍ଦ୍ଧାରଣ କରିବାରେ ଆକାଶମାର୍ଗରୁ ଆକ୍ରମଣ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ, ଏଥିରେ ସନ୍ଦେହ ନାହିଁ। ଏଭଳି ଅଭ୍ୟାସ ଆମ ଦକ୍ଷତା ବୃଦ୍ଧି ଘଟାଇବା ନିମନ୍ତେ ସୁଯୋଗ ଦେଉଛି।
Follow Us