Image Courtesy of Hindustan Times
ନୂଆଦିଲ୍ଲୀ: ରୁଷ୍ ଉଦ୍ଭାବିତ କୋଭିଡ୍-୧୯ ଟିକା ନିରାପଦ ଓ ଫଳପ୍ରଦ କି, ନୁହେଁ, ତା’ର ମୂଲ୍ୟାୟନ ହେବା ଆବଶ୍ୟକ ବୋଲି ମଙ୍ଗଳବାର ଦିନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର (ଏମ୍ସ୍) ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।
ସେ କହିଛନ୍ତି, ରୁଷ୍ର ଟିକା ସଫଳ ହୋଇଥିଲେ ବି ଏହା ନିରାପଦ ଓ ଫଳପ୍ରଦ କି, ନୁହେଁ ଆମେ ଅନୁଶୀଳନ କରିବା ଆବଶ୍ୟକ। ଏହି ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ରହିବା ଉଚିତ। ଏଥିସହ ଏହି ଟିକା ଉତ୍ତମ ରୋଗପ୍ରତିରୋଧକ କ୍ଷମତା ଓ ସୁରକ୍ଷା ଦେଉଥିବା ଆବଶ୍ୟକ। ବିପୁଳ ପରିମାଣର ଟିକା ଉତ୍ପାଦନ କରିବା ଭଳି କ୍ଷମତା ଭାରତର ରହିଛି।
ଗତକାଲି ରୁଷ୍ର ରାଷ୍ଟ୍ରପତି ପୁଟିନ୍ କହିଥିଲେ ଯେ, ଭୂତାଣୁ ଦ୍ବାରା ସୃଷ୍ଟ ରୋଗ କୋଭିଡ୍-୧୯ ବିପକ୍ଷରେ ଏହି ଟିକା ରୋଗ ପ୍ରତିରୋଧକ କ୍ଷମତା ବଜାୟ ରଖି ଚାଲିବ। ତାଙ୍କ ନିଜ ଝିଅମାନଙ୍କ ମଧ୍ୟରୁ ଜଣେ ଗତକାଲି ଏହି ଟିକା ନେବା ପରେ ସୁସ୍ଥ ଥିବା କଥା ସେ କହିଛନ୍ତି।
Image Courtesy of NDTVସୋଭିଏତ୍ ଦେଶ ଉତ୍କ୍ଷେପଣ କରିଥିବା ବିଶ୍ବର ପ୍ରଥମ କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଏହି ରୁଷୀୟ ଟିକାର ନାମ କରଣ କରାଯାଇଛି ‘ସ୍ପୁଟ୍ନିକ୍-୫’।
ଦୁଇଟି ଡୋଜ୍ରେ ଦିଆଯାଉଥିବା ଏହି ଟିକାରେ ଥିବା ଦୁଇଟି ସାମାନ୍ୟ ପରିବର୍ତ୍ତିତ ମାନବ ଆଡିନୋଭାଇରସ୍ରେ ନୂତନ କରୋନାଭାଇରସ୍ର ଏସ୍-ଆଣ୍ଟିଜେନ୍ ଦିଆଯାଇଛି। ଏହା ମାନବ ଜୀବକୋଷରେ ପ୍ରବେଶ କରି ରୋଗ ମୁକାବିଲା ପାଇଁ ପ୍ରତିରୋଧକ କ୍ଷମତା ଉତ୍ପାଦନ କରେ।
କିନ୍ତୁ, ଗଣପରୀକ୍ଷଣ ହୋଇ ନ ଥିବା ଦର୍ଶାଇ ଅନେକ ବୈଜ୍ଞାନିକ ଏହି ଟିକାର ସଫଳତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷସ୍ତରୀୟ ସଂକ୍ରମଣ ରୋଗ ଅଧିକାରୀ ଡାକ୍ତର ଅଣ୍ଟୋନି ଫାଉଚି କହନ୍ତି, ସେ ଟିକା ବହୁଳ ବ୍ୟବହାର ପାଇଁ ପ୍ରସ୍ତୁତ ବୋଲି କୌଣସି ପ୍ରମାଣ ଥିବା କଥା ମୁଁ ଶୁଣି ନାହିଁ। ଆଶା କରୁଛି, ଟିକା ନିରାପଦ ଓ ଫଳପ୍ରଦ ବୋଲି ରୁଷୀୟମାନେ ନିଶ୍ଚୟ ପ୍ରମାଣିତ କରିବା କଥା। କିନ୍ତୁ, ତାହା ଯେ ସେମାନେ କରିଥିବେ, ମୋର କାହିଁକି ଭାରି ସନ୍ଦେହ ହେଉଛି।
Follow Us