ନୂଆଦିଲ୍ଲୀ: ନିଟ୍ ପ୍ରବେଶିକା ଫଳକୁ ନେଇ ବିବାଦ ଥମୁନି। ଆଜି ଏହି ମାମଲାରେ ପୁଣିଥରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି ସମୟରେ ଜଣେ ଆବେଦନକାରୀଙ୍କ ଓକିଲ କୋର୍ଟରେ କହିଥିଲେ ଯେ ନିଟ୍ ପରୀକ୍ଷା ପାଇଁ କୋଟାରେ ଅନେକ ଛାତ୍ର ଆତ୍ମହତ୍ୟା କରିଦେଉଛନ୍ତି। ତେବେ ଏହି ଟିପ୍ପଣୀକୁ ବିରୋଧ କରି ଜଷ୍ଟିସ ବ୍ରିକମ ନାଥ ଏବଂ ସନ୍ଦୀପ ମେହଟାଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଥିଲେ ଯେ କୋଟାରେ ହୋଇଥିବା ଆତ୍ମହତ୍ୟା ସହ ୨୦୨୪ ନିଟ୍ ପ୍ରବେଶିକା ପରୀକ୍ଷା ଫଳର କିଛି ସଂପର୍କ ନାହିଁ। ୨୦୨୪ ନିଟ୍ ପରୀକ୍ଷା ଫଳ ପାଇଁ କୋଟାରେ କୌଣସି ଆତ୍ମହତ୍ୟା ହୋଇନି। ତେଣୁ ଏଠାରେ ଅନାବଶ୍ୟକ ଭାବେ ଭାବପ୍ରବଣ ତର୍କ ରଖିବା ଆବଶ୍ୟକ ନାହିଁ।
ନିଟ୍ କାଉନସେଲିଂ ବନ୍ଦ ହେବନାହିଁ ବୋଲି କୋର୍ଟ ପୁଣିଥରେ ଦୋହରାଇଛନ୍ତି। ଅନ୍ୟପକ୍ଷେ ପ୍ରଶ୍ନପତ୍ର ଲିକ୍ ଘଟଣାର ସିବିଆଇ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ କୋର୍ଟ ଆଜି ଉଭୟ କେନ୍ଦ୍ର ସରକାର ଏବଂ ଏନ୍ଟିଏ (ନେସନାଲ ଟେଷ୍ଟିଂ ଏଜେନ୍ସି)କୁ ନୋଟିସ୍ କରିଛନ୍ତି। ୨ ସପ୍ତାହ ମଧ୍ୟରେ ଏହି ନୋଟିସ୍ ଉପରେ ଜବାବ ରଖିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁଲାଇ ୮ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅଛି। କୋର୍ଟ ଆଜି ନିଟ୍ ମାମଲାରେ ୭ଟି ରିଟ୍ ପିଟିସନ୍ ଉପରେ ଶୁଣାଣି କରିଥିଲେ। ଏଥି ମଧ୍ୟରୁ ଗୋଟିଏ ଆବେଦନରେ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହାର ଏକ ଉଦାହରଣ ଦେଇ ଆବେଦନକାରୀ କହିଛନ୍ତି, ଓଡ଼ିଶା, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡର ଛାତ୍ରମାନେ ଗୁଜରାଟର ଗୋଧ୍ରାରେ ଏକ ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ଘଟଣା ସନ୍ଦେହ ବଢ଼ାଉଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଛନ୍ତି, ନିଟ୍-ୟୁଜି ଭଳି କମ୍ପିଟେଟିଭ୍ ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅନିୟମିତତାକୁ ସରକାର ଆଦୌ ସହ୍ୟ କରିବେନି। ଏପରିକି ଯଦି କୌଣସି ତ୍ରୁଟି ହୋଇଥିବା ଜଣାପଡ଼େ ତେବେ ଏନ୍ଟିଏକୁ ମଧ୍ୟ ଉତ୍ତରଦାୟୀ ରଖାଯିବ ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ବିବୃତି ରଖି ଧର୍ମେନ୍ଦ୍ର କହିଛନ୍ତି, ନିଟ୍ ପରୀକ୍ଷାର୍ଥୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ମୁଁ ଏହା ନିଶ୍ଚିତ କରାଉଛି ଯେ ସରକାର ମେଡିକାଲ ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅନିୟମିତତା ବରଦାସ୍ତ କରିବେ ନାହିଁ। ଯଦି କୌଣସି ତ୍ରୁଟି ମିଳେ ତେବେ ଏନ୍ଟିଏକୁ ଉତ୍ତରଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷାମନ୍ତ୍ରୀ ପ୍ରଧାନ କହିଛନ୍ତି।
Follow Us