ନିଟ୍-ୟୁଜି ପରୀକ୍ଷା କେଳେଙ୍କାରୀ: ସିବିଆଇ ଖୋଳତାଡ଼ ଆରମ୍ଭ

Advertisment

ମାମଲା ରୁଜୁ ହେଲା

ମାମଲା ରୁଜୁ ହେଲା

ନିଟ୍-ୟୁଜି ପରୀକ୍ଷା କେଳେଙ୍କାରୀ: ସିବିଆଇ ଖୋଳତାଡ଼ ଆରମ୍ଭ

ନୂଆଦିଲ୍ଲୀ: ମେଡିକାଲ କଲେଜରେ ନାମଲେଖା ପାଇଁ ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଜାଲିଆତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଏ ସଂକ୍ରାନ୍ତ ଏଫ୍‌ଆଇଆର୍‌ ରୁଜୁ କରିଛି। କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାରତ ଗତରାତିରେ ସିବିଆଇକୁ ହସ୍ତାନ୍ତର କରିଥିବା ବେଳେ ଆଜି ତଦନ୍ତକାରୀ ସଂସ୍ଥାର ପ୍ରଥମ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଗତକାଲି କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଜି ଅନିୟମିତତା ଠାବ ହୋଇଥିବା ବିଭିନ୍ନ ରାଜ୍ୟରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ନିଟ୍‌ ୟୁଜି ଅନିୟମିତତା ମାମଲାରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ) ଦୃଢ଼ ସମର୍ଥନ କରିଛି। ସରକାର ଏ ବାବଦରେ ଯଥୋଚିତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଆଇଏମ୍‌ଏ କହିଛି।

ଗତ ମେ ୫ ତାରିଖରେ ଦେଶର ୪୭୫୦ଟି କେନ୍ଦ୍ରରେ ନିଟ୍-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଧାର୍ଯ୍ୟ ତାରିଖର ୧୦ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇଥିବା ବେଳେ ଏହାର କିଛି ଦିନ ପରେ ବିହାରରେ ନିଟ୍-ୟୁଜି ପେପର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ମାମଲାରେ ପାଟନା ପୁଲିସ ୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଗିରଫ ପ୍ରାର୍ଥୀମାନେ ଏକ ଲିଖିତ ସ୍ୱୀକାରୋକ୍ତିରେ କହିଛନ୍ତି ଯେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସେମାନଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପୁନଃ ଆୟୋଜନ କରିବାକୁ ବିରୋଧୀ ଦଳମାନେ ଦାବି କରୁଥିବା ବେଳେ ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ତୀବ୍ର ହୋଇଛି। କଂଗ୍ରେସ ନେତାମାନେ ଏହି ପ୍ରସଙ୍ଗରେ ଲଗାତାର ସରକାରକୁ ଟାର୍ଗେଟ୍‌ କରୁଥିବା ବେଳେ ଆଜି ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କେତେକ ନିର୍ଦ୍ଦିଷ୍ଟ ଅନିୟମିତତା ଘଟଣା ପାଇଁ ସରକାର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିବେ ନାହିଁ। ତେଣୁ ସମଗ୍ର ନିଟ୍ ପରୀକ୍ଷାକୁ ବାତିଲ କରାଯିବାର ପ୍ରଶ୍ନ ଉଠୁନାହିଁ। ତେବେ ଏହି ଜାଲିଆତି ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe