ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ପଦ ପାଇଁ ଇଣ୍ଡିଆ ମେଣ୍ଟ ବି. ସୁଦର୍ଶନ ରେଡ୍ଡୀଙ୍କୁ ଏବଂ ଏନଡିଏ ସିପି ରାଧାକ୍ରିଷ୍ଣନ୍ଙ୍କୁ ପ୍ରାର୍ଥି କରିଛି। ଉଭୟଙ୍କ ଅଭିଜ୍ଞତା ଏବଂ ଶିକ୍ଷାଗତ ଯୋଗ୍ୟତା ଭିନ୍ନ। ନିର୍ବାଚନ ପାଇଁ ଏହି ଦୁଇ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଏମଧ୍ୟରେ ଦୁହିଁଙ୍କ ମଧ୍ୟରୁ କିଏ ଅଧିକ ଜ୍ଞାନୀ ଓ କିଏ ଅଧିକ ଧନୀ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସିପି ରାଧାକ୍ରିଷ୍ଣନ୍ଙ୍କ ଜନ୍ମ ୨୦ ଅକ୍ଟୋବର ୧୯୫୭ରେ ତାମିଲନାଡୁର ତିରୁପ୍ପୁରରେ ହୋଇଥିଲା। ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ, ସେ ୧୯୭୮ ମସିହାରେ ତୂତିକୋରିନର ବି.ଓ.ସି. କଲେଜ (ମଦୁରାଇ ବିଶ୍ୱବିଦ୍ୟାଳୟ)ରୁ ବିବିଏ କରିଥିଲେ। ଏହା ପରେ, ସେ ରାଜନୀତି ବିଜ୍ଞାନରେ ଗଭୀର ଆଗ୍ରହ ଦେଖାଇଥିଲେ ଏବଂ ସାମନ୍ତବାଦର ପତନ ବିଷୟରେ ପିଏଚଡି କରିଥିଲେ, ଯାହା ପରେ ତାଙ୍କୁ ଡକ୍ଟର ଉପାଧି ମିଳିଥିଲା।
ସମ୍ପତ୍ତି କଥା କହିବାକୁ ଗଲେ ୨୦୧୯ ଲୋକସଭା ନିର୍ବାଚନରେ ​​ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ, ସିପି ରାଧାକୃଷ୍ଣନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୬୭,୧୧,୪୦,୧୬୬ ଟଙ୍କା। ଏଥିମଧ୍ୟରୁ ମୋଟ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭,୩୧,୦୭,୪୩୬ ଟଙ୍କା। ଏଥିରେ ନଗଦ ଟଙ୍କା, ବ୍ୟାଙ୍କ ଜମା, ବୀମା, ବଣ୍ଡ ଏବଂ ଅଳଙ୍କାର ଅନ୍ତର୍ଭୁକ୍ତ। ରାଧାକ୍ରିଷ୍ଣନଙ୍କର ୪୪,୪୩,୨୫,୦୪୦ ଟଙ୍କା ମୂଲ୍ୟର କୃଷି ଜମି ଏବଂ ୭,୨୩,୭୩,୬୯୦ ଟଙ୍କା ମୂଲ୍ୟର ଅଣକୃଷି ଜମି ଅଛି। ତାଙ୍କର ୬,୬୩,୩୪,୦୦୦ ଟଙ୍କା ମୂଲ୍ୟର ଏକ ବାଣିଜ୍ୟିକ କୋଠା ଏବଂ ୧,୫୦,୦୦,୦୦୦ ଟଙ୍କା ମୂଲ୍ୟର ଏକ ଆବାସିକ ଘର ମଧ୍ୟ ଅଛି।
ଯଦି ଆମେ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କ କଥା କହିବା ତେବେ ସେ ଆନ୍ଧ୍ରପ୍ରଦେଶର ବାସିନ୍ଦା। ତାଙ୍କର ଜନ୍ମ ୮ ଜୁଲାଇ ୧୯୪୬ରେ ଆନ୍ଧ୍ରପ୍ରଦେଶର ରଙ୍ଗାରେଡ୍ଡୀ ଜିଲ୍ଲାର ଆକୁଲା ମାୟଲାରମ ଗାଁରେ ଏକ ଚାଷୀ ପରିବାରରେ ହୋଇଥିଲା। ସେ ୧୯୭୧ ମସିହାରେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ଆଇନ ପାଠପଢ଼ା ସମାପ୍ତ କରିଥିଲେ ଏବଂ ହାଇଦ୍ରାବାଦରେ ବରିଷ୍ଠ ଓକିଲ କେ. ପ୍ରତାପ ରେଡ୍ଡୀଙ୍କ ମାର୍ଗଦର୍ଶନରେ ସିଭିଲ୍ ଏବଂ ସାମ୍ବିଧାନିକ ମାମଲା ଲଢ଼ିବା ପାଇଁ ଅଭ୍ୟାସ ଆରମ୍ଭ କରିଥିଲେ। ୮ ଅଗଷ୍ଟ ୧୯୮୮ରେ ତାଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସରକାରୀ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ପରେ କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ସ୍ଥାୟୀ ପରିଷଦ ଭାବରେ କାର୍ଯ୍ୟ କରିଥିଲେ। ଜଷ୍ଟିସ୍ ରେଡ୍ଡୀ ୧୯୯୧ ମସିହାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ବିଚାରପତି ଭାବରେ ତାଙ୍କର ନ୍ୟାୟିକ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟର ଅଂଶ ଥିଲେ।ସୁପ୍ରିମକୋର୍ଟରୁ ଅବସର ନେବା ପରେ, ତାଙ୍କୁ ଗୋଆର ପ୍ରଥମ ଲୋକାୟୁକ୍ତ ନିଯୁକ୍ତ କରାଯାଇଥିଲା।
ସମ୍ପତ୍ତି କଥା କହିବାକୁ ଗଲେ ସୁଦର୍ଶନ ରେଡ୍ଡୀ ପୂର୍ବରୁ ନା ରାଜନୀତି ସହ ଜଡିତ ଥିଲେ ନା କୌଣସି ବ୍ୟବସାୟ ସହିତ ଜଡିତ ଥିଲେ। ସେ ଜଣେ ସାଧାରଣ କୃଷକ ପରିବାରରେ ଜନ୍ମ ହୋଇଥିଲେ। ତେବେ ସେ କେତେ କୋଟିର ମାଲିକ, ତା’ର ତଥ୍ୟ ନଥିବା ବେଳେ ରାଧାକ୍ରିଷ୍ଣନଙ୍କଠାରୁ ତାଙ୍କ ସମ୍ପତ୍ତି ମୂଲ୍ୟ ଖୁବ କମ ବୋଲି ଜାତୀୟ ଗଣମାଧ୍ୟମରେ ଦାବି କରାଯାଉଛି।
ଯଦି ଆମେ ଶିକ୍ଷା ଓ ସମ୍ପତ୍ତି ବିଷୟରେ କହିବା, ତେବେ ଆଗରେ ରହିବେ ରାଧାକ୍ରିଷ୍ଣନ। କାରଣ ବି. ସୁଦର୍ଶନ ରେଡ୍ଡୀଙ୍କ ଶିକ୍ଷାଗତ ଯୋଗ୍ୟତା କେବଳ ବିଏ ଏବଂ ଏଲଏଲବି ପର୍ଯ୍ୟନ୍ତ ସୀମିତ ଥିଲା। ହେଲେ ସିପି ରାଧାକୃଷ୍ଣନ ବିବିଏ ପରେ ପିଏଚଡି କରିଥିଲେ, ଯାହା ତାଙ୍କୁ ପାଠପଢ଼ାରେ ଗୋଟିଏ ପାଦ ଆଗକୁ ନେଇଛି।
b-sudershan-reddy | CP Radhakrishnan
Follow Us