ନୂଆଦିଲ୍ଲୀ: ଅନେକ କଳ୍ପନାଜଳ୍ପନା ପରେ ସୋମବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଥିଲେ। କୋହଲିଙ୍କ ଅବସର ସହିତ, ଏକ ଯୁଗର ଅନ୍ତ ଘଟିଥିଲା। ମେ’ ୧୨ରେ କୋହଲି ଅବସର ନେଉଥିବା ନେଇ ଘୋଷଣା କରିଥିଲେ ବି ମେ’ ୭ରୁ ସେ ନିଷ୍ପତ୍ତି ନେଇସାରିଥିଲେ ବୋଲି ଜଣାପଡ଼ିଛି।
ତାଙ୍କର ଅବସର ଘୋଷଣା ପରେ ଏବେ ତାଙ୍କର ପୂରା ଟେଷ୍ଟ କ୍ୟାରିୟରକୁ ଚର୍ଚ୍ଚା ହେବା ସହ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଟିଏ ପଟେ ସେ କ୍ରିକେଟ୍ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଥିବାବେଳେ ଅନ୍ୟ ପଟେ ସେ ଅନେକ କମ୍ପାନିରେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଛନ୍ତି। କେବଳ ଏତିକି ନୁହେଁ ବିରାଟ କୋହଲି ଅନେକ କମ୍ପାନିରେ ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି ।
ତେବେ ଏସବୁରୁ ସେ କେତେ ଆୟ କରନ୍ତି ଏବଂ ଏବେ ସେ କେତେ କୋଟିର ମାଲିକ ଅଟନ୍ତି, ତାହା ଆପଣ ଜାଣନ୍ତି କି? ଖବର ଅନୁଯାୟୀ, କୋହଲିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୦୫୦ କୋଟି ଟଙ୍କା। ବିରାଟଙ୍କ ହାରାହାରି ବାର୍ଷିକ ଆୟ ପ୍ରାୟ ୧୫କୋଟି ଟଙ୍କା ହୋଇଥିବା ବେଳେ ମାସକୁ ସେ ପ୍ରାୟ ୧,୨୫,୦୦,୦୦୦ ଟଙ୍କା ରୋଜଗାର କରନ୍ତି। ଏହା ସହ ଗୋଟିଏ ସପ୍ତାହରେ କୋହଲିଙ୍କ ରୋଜଗାର ହେଉଛି ୨୮,୮୪,୬୧୫ଟଙ୍କା ଏବଂ ଗୋଟିଏ ଦିନରେ ସେ ପ୍ରାୟ ୫,୭୬,୯୨୩ ଟଙ୍କା ରୋଜଗାର କରନ୍ତି। ଏହା ଛଡ଼ା ବିସିସିଆଇ ପକ୍ଷରୁ ତାଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳୁଥିବା ବେଳେ ଓଡିଆଇ ପାଇଁ ସେ ୬ଲକ୍ଷ ଟଙ୍କା ଏବଂ ଟି-୨୦ ପାଇଁ ସେ ୩ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି।
ରୋଜଗାର ଦୃଷ୍ଟିରୁ ବିରାଟ କୋହଲି ଦୁନିଆର ୧୦୦ଧନୀ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ବିରାଟ ଅନେକ ବିଳାସପୂର୍ଣ୍ଣ କାରର ମାଲିକ ଅଟନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ରିକେଟରଙ୍କ ପାଖରେ ଅଡି ଆରଏସ ୫, ଲ୍ୟାଣ୍ଡ ରୋଭର ଭୋଗ, ଅଡି କ୍ୟୁ୭ ଏବଂ ଅଡି ଏ୮ ଏଲଏମଏକ୍ସ ପରି ବିଳାସପୂର୍ଣ୍ଣ କାର୍ ରହିଛି।
Follow Us