ନେତାଜୀ ନିଖୋଜ ରହସ୍ୟ: ‘ଆଇଏନ୍‌ଏର ଇତିହାସ’ ପୁସ୍ତକ ଅପେକ୍ଷାରେ

Advertisment
ନେତାଜୀ ନିଖୋଜ ରହସ୍ୟ: ‘ଆଇଏନ୍‌ଏର ଇତିହାସ’ ପୁସ୍ତକ ଅପେକ୍ଷାରେ

କୋଲକାତା: ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଏବଂ ଏହା ପରବର୍ତ୍ତୀ କେତେକ ଘଟଣା ନେଇ ଏବେ ବି ଅନେକ କିଛି ରହସ୍ୟାବୃତ୍ତ ହୋଇ ରହିଛି। ଅଧିକାଂଶ ଲୋକ ନେତାଜୀଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ଚାହୁଥିଲେ ମଧ୍ୟ ଏ ଦିଗରେ ସରକାରୀ ଆନ୍ତରିକତାର ଅଭାବ ମୁଖ୍ୟ ପ୍ରତିବନ୍ଧକ ହୋଇ ରହିଛି। ୧୯୪୯ରୁ ୧୯୫୦ ମସିହା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ଲିଖିତ ‘ହିଷ୍ଟ୍ରି ଅଫ୍‌ ଆଇଏନ୍‌ଏ’ (ଆଇଏନ୍‌ଏର ଇତିହାସ) ପୁସ୍ତକ ଆଜି ପର୍ଯ୍ୟନ୍ତ ପ୍ରକାଶନ ଅପେକ୍ଷାରେ ରହିଛି। ଏହି ପୁସ୍ତକରେ ନେତାଜୀଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅବତାରଣା କରାଯାଇଛି ବୋଲି ବିଶ୍ୱାସ କରାଯାଏ। ସ୍ୱର୍ଗତ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ଗୁପ୍ତାଙ୍କ ନେତୃତ୍ୱରେ ଇତିହାସକାରମାନଙ୍କ ଏକ ଟିମ୍‌ ଦ୍ୱାରା ସଂକଳିତ ଲେଖାଗୁଡ଼ିକୁ ପୁସ୍ତକର ରୂପ ଦିଆଯାଇଥିଲା।

ଏହି ପୁସ୍ତକ ପ୍ରକାଶନ ବାବଦରେ ଅଦାଲତରେ ମାମଲା ରୁଜୁ ହେବାପରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଏହା ୨୦୧୧ ମସିହା ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ। ତେବେ ବର୍ତ୍ତମାନ ସୁଦ୍ଧା ଏହା ପ୍ରକାଶ ପାଇନାହିଁ। ଏହି ପୁସ୍ତକ ପ୍ରକାଶନ ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ସମୟରେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଏହା ଦେଶରେ ନୈରାଶ୍ୟ ସୃଷ୍ଟି କରିଛି ବୋଲି ଟିଏମ୍‌ସି ସାଂସଦ ତଥା ନେତାଜୀଙ୍କ ଉପରେ ଦୀର୍ଘ ଦିନ ଧରି ଗବେଷଣା ଚଳାଇଥିବା ଶୁଖେନ୍ଦୁ ଶେଖର ରାୟ କହିଛନ୍ତି। ସୂଚନାଯୋଗ୍ୟ, ବିଦେଶ ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଦ୍ବାରା ଏହି ପୁସ୍ତକକୁ ନେଇ ଲିଖିତ ଏକ ନୋଟ୍‌ ଟିଏମ୍‌ସି ସାଂସଦ ରାୟଙ୍କ ‘ଚିଠି ବକ୍ସ’ରେ ମିଳିବା ପରେ ଏହାକୁ ନେଇ ରହସ୍ୟ ଗଭୀର ହୋଇଛି।

ଏହି ନୋଟ୍‌ରେ ଦର୍ଶାଯାଇଛି ଯେ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ ପୁସ୍ତକ ପାଇଁ ଅନ୍ୟ ଦେଶ ସହ ଭାରତର ସମ୍ପର୍କ ପ୍ରଭାବିତ ହେବ ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ। ରାୟ କହିଛନ୍ତି, ପିଟିଆଇ ସହିତ ସେୟାର ହୋଇଥିବା ଏହି ନୋଟ୍‌ରେ ନେତାଜୀ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ବୋଲି କୁହାଯାଇଛି। ତେବେ ନେତାଜୀଙ୍କ ସାଥୀ ଆବିଦ୍ ହାସନଙ୍କ ସମେତ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ୧୮ ଅଗଷ୍ଟ ୧୯୪୫ରେ ତାଇପେଇରେ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ସରକାରଙ୍କ ଦ୍ବାରା ଗଠିତ ତଦନ୍ତ କମିଟିର କେତେକ ସଦସ୍ୟ ଏଥିରେ ସହମତ ହୋଇନଥିଲେ। ଏ ବାବଦରେ ବିସ୍ତୃତ ତଥ୍ୟ ‘ଆଇଏନ୍‌ର ଇତିହାସ’ ପୁସ୍ତକରେ ରହିଛି ବୋଲି ରାୟ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe