ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ଆଜି ଏକ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ଶିରୋମଣି ଅକାଳୀ ଦଳ ପକ୍ଷରୁ ଆଜି ଦିଲ୍ଲୀରେ ‘କଳା ଶୁକ୍ରବାର ବିରୋଧ ପଦଯାତ୍ରା’ ଆୟୋଜନ କରାଯାଇଥିଲା। ରାଜଧାନୀ ଦିଲ୍ଲୀରେ ବିକ୍ଷୋଭକାରୀମାନେ ଗୁରୁଦ୍ବାରା କରାବ ଗଂଜ ସାହିବରୁ ସଂସଦ ଭବନ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିଲେ। ତେବେ ଦିଲ୍ଲୀ ପୁଲିସ ଏଥିପାଇଁ ଅନୁମତି ପ୍ରଦାନ କରିନଥିଲା ଏବଂ ଧାରା ୧୪୪ ଲାଗୁ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର ସବୁ ସୀମା ସିଲ୍ କରାଯାଇଥିଲା। ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ବ ନେଉଥିବା ଅକାଳୀ ନେତା ସୁଖବୀର ସିଂହ ବାଦଲ, ହରସିମରତ କୌର ବାଦଲଙ୍କ ସମେତ ୧୧ ଜଣ ନେତାଙ୍କୁ ପୁଲିସ ଦିଲ୍ଲୀ ସୀମାରେ ଅଟକ ରଖିଥିଲା।
ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରି ହୋଇଥିବା ବିକ୍ଷୋଭ ଶୋଭାଯାତ୍ରା ପାଇଁ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ପ୍ରଶାସନର ବିନା ଅନୁମତିରେ ଆନ୍ଦୋଳନ କରିଥିବାରୁ ଅଟକ ରହିଥିବା ନେତାମାନଙ୍କୁ ସଂସଦ ମାର୍ଗ ପୁଲିସ ଷ୍ଟେସନ୍ ନିଆଯାଇଥିଲା। ଇତି ମଧ୍ୟରେ ସୁଖବୀର ସିଂହ ବାଦଲ କହିଛନ୍ତି, ତାଙ୍କ ଦଳର କର୍ମୀମାନେ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରୁଥିବା ବେଳେ ମୋଦୀ ସରକାର ଏବଂ ହରିୟାଣା ସରକାର ଏଥିରେ ବାଧା ସୃଷ୍ଟି କରିଛନ୍ତି ଏବଂ ଆନ୍ଦୋଳନକାରୀଙ୍କ ଉପରେ ଲାଠି ମାଡ଼ ହୋଇଛି। ସୁଖବୀର କହିଛନ୍ତି, ମୋଦୀଙ୍କୁ ଚାଷୀଙ୍କ ପକ୍ଷରୁ ଏକ ବାର୍ତ୍ତା ଦେବାପାଇଁ ଆମେ ଏଠାକୁ ଆସିଥିଲୁ। କେବଳ ପଂଜାବ ନୁହେଁ ସମଗ୍ର ଦେଶ ତାଙ୍କ ସରକାର ବିରୋଧରେ ରହିଛି ବୋଲି ବାଦଲ କହିଛନ୍ତି।
Follow Us