Image Courtesy of NDTV
ଲଣ୍ଡନ୍: ବୁଧବାର ଦିନ ବ୍ରିଟେନ୍ର ‘ରୟାଲ୍ ମେଲ୍’ ଗତ ସେପ୍ଟେମ୍ବର ମାସରେ ସିଂହାସନ ଆରୋହଣ କରିଥିବା ରାଜା ତୃତୀୟ ଚାର୍ଲସ୍ଙ୍କ ଫଟୋ ଥିବା ପ୍ରଥମ ଡାକଟିକଟ ଉନ୍ମୋଚନ କରିଛି।
ସମସ୍ତଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏହି ସ୍ବଳ୍ପ ମୂଲ୍ୟର ଡାକଟିକଟରେ କେବଳ ରାଜାଙ୍କ ମୁଣ୍ଡ, ମୂଲ୍ୟ ଓ ‘ବାର୍କୋଡ୍’ ରହିଛି। ଏପ୍ରିଲ୍ ୪ ତାରିଖରୁ ସର୍ବସାଧାରଣଙ୍କ ନିମନ୍ତେ ଏହି ଡାକଟିକଟ ବିକ୍ରୟ ଆରମ୍ଭ ହେବ।
‘ରୟାଲ୍ ମେଲ୍’ର ଚିଫ୍ ଏକ୍ଜିକ୍ୟୁଟିଭ୍ ସାଇମନ୍ ଥମ୍ସନ୍ କହିଛନ୍ତି, ବ୍ରିଟିସ୍ ଡାକଟିକଟରେ ଦେଶରେ ନାଆଁ ଛାପାଯାଏ ନାହିଁ। କାରଣ ସେଥିରେ ଥିବା ରାଜା ବା ରାଣୀଙ୍କ ଫଟୋ ହିଁ ଦେଶର ପରିଚୟ ପାଇଁ ଯଥେଷ୍ଟ।
କିନ୍ତୁ, ଏବେ ଖୁଚୁରା ବିକ୍ରେତାମାନେ ନିଜ ନିଜ ପାଖରେ ଗଚ୍ଛିତ ଥିବା ଡାକଟିକଟ, ଯେଉଁଥିରେ ସ୍ବର୍ଗତ ରାଣୀଙ୍କ ଫଟୋ ରହିଛି, ତାହା ବିକ୍ରୟ କରିବେ। ଏହି ପୁରୁଣା ଡାକଟିକଟ ସରିଯିବା ପରେ ସେମାନଙ୍କୁ ରାଜା ଚାର୍ଲସ୍ଙ୍କ ଫଟୋ ଥିବା ନୂଆ ଡାକଟିକଟ ଯୋଗାଇ ଦିଆଯିବ।
Image Courtesy of The Telegraphନିଜେ ଚାର୍ଲସ୍ ଅନୁମୋଦନ କରିଥିବା ଉକ୍ତ ଫଟୋଟି ଇଂଲଣ୍ଡ୍ର ନୂତନ ମୁଦ୍ରାରୁ ଗୃହୀତ। ମାଆ ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ଦେହାନ୍ତ ପରେ ଉତ୍ତରାଧିକାରୀ ଭାବେ ଚାର୍ଲସ୍ ସିଂହସନରେ ବସିବା ସମୟରେ ଉକ୍ତ ମୁଦ୍ରା ପ୍ରଚଳନ କରାଯାଇଥିଲା।
ମୁଦ୍ରାରେ ଥିବା ଡିଜାଇନ୍ରେ ରାଜା ଚାର୍ଲସ୍ ବାମପାର୍ଶ୍ବକୁ ମୁହଁ କରିଥିବା ଦେଖାଯାଉଛି। ୧୮୪୦ରେ ରାଣୀ ଭିକ୍ଟୋରିଆଙ୍କ ଅମଳରେ ବିଶ୍ବର ପ୍ରଥମ ଡାକଟିକଟ ‘ପେନି ବ୍ଲାକ୍’ ପ୍ରଚଳନ କରାଯିବା ସମୟରୁ ସମସ୍ତ ମୁଦ୍ରା ଓ ଡାକଟିକଟରେ ବ୍ରିଟିସ୍ ରାଜା ବା ରାଣୀମାନେ ବାମପାର୍ଶ୍ବକୁ ମୁହଁ କରିଥିବା ଫଟୋ ରହି ଆସୁଛି।
ମୁଦ୍ରାରେ ରାଜା ତୃତୀୟ ଚାର୍ଲସ୍ଙ୍କର ଯେଉଁ ପ୍ରତିକୃତିଟି ରହିଛି ତାହାର ନିର୍ମାତା ହେଉଛନ୍ତି ବ୍ରିଟିସ୍ ଭାସ୍କର (ମୂର୍ତ୍ତିକାର) ମାର୍ଟିନ୍ ଜେନିଙ୍ଗ୍ସ୍। ଇଂଲଣ୍ଡ୍ର ନୂତନ ମୁଦ୍ରା ପାଇଁ ‘ଦି ରୟାଲ୍ ମିଣ୍ଟ୍’ ନିମନ୍ତେ ସେ ଉକ୍ତ ପ୍ରତିକୃତିଟି ନିର୍ମାଣ କରିଥିଲେ।
Follow Us