ନୂଆଦିଲ୍ଲୀ: ବୁଡ଼ିବାକୁ ବସିଲାଣି ଇଣ୍ଡୋନେସିଆର ରାଜଧାନୀ ଜାକର୍ତା । ଜନସଂଖ୍ୟା ବୃଦ୍ଧି, ପ୍ରଦୂଷଣ, ଭୂମିକମ୍ପ ପ୍ରବଣତା ଏବଂ ଜାଭା ସାଗରର ଜଳସ୍ତର ବୃଦ୍ଧି କାରଣରୁ ଜଳମଗ୍ନ ହେବ ଇଣ୍ଡୋନେସିଆର ରାଜଧାନୀ। ସୂଚନା ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଜାକର୍ତ୍ତାର ଏକତୃତୀୟାଂଶ ସଂପୂର୍ଣ୍ଣ ଜଳମଗ୍ନ ହୋଇଯିବ। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏହି ସଂକଟ ସେଠାରେ ଉପୁଜିଛି। ଏହି ପ୍ରାକୃତିକ ସଂକଟ ଲାଗି ରାଜଧାନୀ ସହର ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଇଣ୍ଡୋନେସିଆବାସୀ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଇଣ୍ଡୋନେସିଆର ରାଜଧାନୀର ଏପରି ବିପଦସଙ୍କୁଳ ଅବସ୍ଥାକୁ ଦେଖି ବୋର୍ଣ୍ଣିଓ ଦ୍ଵୀପରେ ନୂଆ ରାଜଧାନୀ ନିର୍ମାଣ କରାଯାଉଛି।
ବୋର୍ଣ୍ଣିଓ କାଲିମନ୍ତନଠାରେ ପ୍ରାୟ ୨୫୬,୦୦୦ ହେକ୍ଟର ଜମିରେ ଏହି ନୂତନ ରାଜଧାନୀ ନିର୍ମାଣ କରାଯାଉଛି । ଇଣ୍ଡୋନେସିଆର ଅଧିକାରୀମାନେ କହିଛନ୍ତି ଯେ ନୂଆ ରାଜଧାନୀ ଏକ ଦୀର୍ଘସ୍ଥାୟୀ 'ଫରେଷ୍ଟ୍ ସିଟି' ହେବ ଯେଉଁଠାରେ ପରିବେଶର ସୁରକ୍ଷା ହିଁ ହେବ ପ୍ରାଥମିକତା। ୨୦୪୫ ସୁଦ୍ଧା ନୂଆ ରାଜଧାନୀର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କୁହାଯାଉଛି ଯେ ବୋର୍ଣ୍ଣିଓରେ ଘଞ୍ଚ ଜଙ୍ଗଲ ସହ ଅନେକ ପ୍ରକାରର ପଶୁ-ପକ୍ଷୀ ଓ ଅଦିବାସୀମାନେ ରହୁଛନ୍ତି । ରାଜଧାନୀର ନିର୍ମାଣ ଲାଗି ଏହି ଆଦିବାସୀମାନଙ୍କ ବାସସ୍ଥାନ ଉଜୁଡ଼ିବା ସହ ବହୁ ସଂଖ୍ୟକ ବୃକ୍ଷଲତା କଟାଯିବ। ଏହାକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆ ସରକାର ପରିବେଶ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି।
ବର୍ତ୍ତମାନର ରାଜଧାନୀ ଜକାର୍ତାରେ ପାଖାପାଖି କୋଟିଏରୁ ଅଧିକ ଲୋକ ବାସକରନ୍ତି। ସେମାନଙ୍କୁ ନୂଆ ରାଜଧାନୀକୁ ସ୍ଥାନାନ୍ତର କରିବା ଛୋଟ କଥା ନୁହେଁ। ତେବେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନୂଆ ରାଜଧାନୀ ନିର୍ମାଣର ସ୍ଵପ୍ନ ସାକାର ହେବାକୁ ଯାଉଛି । ୱିଡୋଡୋ ବୋର୍ଣ୍ଣିଓ ଦ୍ୱୀପରେ ନୁସଂତରା ସହର ପ୍ରତିଷ୍ଠା କରୁଛନ୍ତି । ଏହି ନୂଆ ରାଜଧାନୀରେ ସରକାରଙ୍କୁ ସବୁକିଛି ନିର୍ମାଣ କରିବାକୁ ପଡିବ। ପରୀକ୍ଷାମୂଳକ ଭାବେ ପ୍ରଥମେ ୧୫ ଲକ୍ଷ ଲୋକଙ୍କୁ ନୂଆ ରାଜଧାନୀକୁ ପଠାଯିବ ଓ ପରେ ଧିରେ ଧିରେ । ସରକାରୀ ଏଜେନ୍ସିମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି । ଆସନ୍ତା ବର୍ଷ ଅଗଷ୍ଟ ୧୭ରେ ଇଣ୍ଡୋନେସିଆର ସ୍ୱାଧୀନତା ଦିବସ ଅବସରରେ ଏହି ସହରର ଉଦଘାଟନ ହେବ ବୋଲି ଆଶା କରାଯାଉଛି ।
Follow Us