ଚୀନ୍‌ରୁ ଆସୁଛି ଭାଇରସ୍‌: ୭ ଭାରତୀୟ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ, ଆଉ ୫ ରାଷ୍ଟ୍ରରେ ପହଞ୍ଚିଲା ଭୂତାଣୁ

Advertisment
ଚୀନ୍‌ରୁ ଆସୁଛି ଭାଇରସ୍‌: ୭ ଭାରତୀୟ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ, ଆଉ ୫ ରାଷ୍ଟ୍ରରେ ପହଞ୍ଚିଲା ଭୂତାଣୁ

ହଂକଂ: ଚୀନ୍‌ରେ ଏବେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଦେଇଛି। ଭାଇରସ୍‌ ଯୋଗୁଁ ଚୀନ୍‌ରେ ଆଜି ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୩୦୦ ଜଣ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ର କେନ୍ଦ୍ରୀୟ ସହର ଉହାନ୍‌ରେ ପ୍ରଥମେ ଏହି ଭାଇରସ୍ ଚିହ୍ନଟ ହୋଇଥିଲା । ଏହି ଭୂତାଣୁ ରୋକିବା ପାଇଁ ଚୀନ୍‌ ଦ୍ବାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସଂକ୍ରମଣ ବ୍ୟାପିବା ଭୟ ଥିବାରୁ ଚୀନ୍‌ରେ ‘ଲୁନାର ନ୍ୟୁ ଇୟର’ ପାଳନକୁ ବାତିଲ କରାଯାଇଛି। ଉହାନ୍‌କୁ ଟୁର୍‌ ଏଜେନ୍ସିମାନେ ଯିବାପାଇଁ ବାରଣ କରାଯାଇଛି। କେବଳ ଚୀନ୍‌ ବିଶ୍ବବ୍ୟାପୀ ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହି ଭାଇରସ୍‌ ପାଇଁ ଭୟ ଖେଳିଯାଇଛି। ଏହି ଭୂତାଣୁ ଏବେ ଥାଇଲାଣ୍ଡ୍‌, ଜାପାନ, ଦକ୍ଷିଣ କୋରିଆ, ତାଇୱାନ ଏବଂ ଅଷ୍ଟ୍ରେଲିଆରେ ପହଞ୍ଚିଛି। ବିଶ୍ବବ୍ୟାପୀ ବିଭିନ୍ନ ବିମାନବନ୍ଦରରେ ଚୀନ୍‌ର ପର୍ଯ୍ୟଟକଙ୍କୁ ଭଲଭାବେ ସ୍କ୍ରିନିଂ କରାଯାଉଛି। ଚୀନ୍‌ରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ ପାଇଁ ଦିଲ୍ଲୀ ବିମାବନ୍ଦରରେ ମଧ୍ୟ ସ୍ବାସ୍ଥ୍ୟ ଅଧିକାରୀମାନେ ପହଞ୍ଚିଛନ୍ତି। ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ ସମେତ ୭ଟିବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ କଡ଼ାକଡ଼ି କରାଯାଇଛି। ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା। ଯେଉଁମ‌ାନେ ଚୀନ୍‌ ଯାଉଛନ୍ତି ସେମାନଙ୍କୁ କୌଣସି ପଶୁ ହାଟକୁ ଯିବାପାଇଁ ବାରଣ କରାଯାଇଥିଲା। କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପୁଥିବା ସ୍ପଷ୍ଟ ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି ଏବଂ ବୈଶ୍ବିକ ସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା ପାଇଁ ବିଚାର କରାଯାଇଥିବା ଜଣାପଡ଼ିଛି।

ଏହି ଭାଇରସ୍‌ ୨୦୦୨/୨୦୦୩ରେ ଅନେକଙ୍କ ଜୀବନ ନେଇଥିଲା। ସେ ସମୟରେ ସାର୍‌ସ କରୋନାଭାଇରସ୍‌ ପାଇଁ ପ୍ରାୟ ୮୦୦ ଲୋକ ମରିଥିଲେ। ତେବେ ବର୍ତ୍ତମାନ ଚୀନ୍‌ରେ ୩୦୦ ରୁ ଅଧିକ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଅଧିକାଂଶ ମୃତ୍ୟୁ ଉହାନ୍‌ରେ ହୋଇଥିବା ବେଳେ ଏହା ଧୀରେଧରେ ଅନ୍ୟ ସହରମାନଙ୍କୁ ବି ବ୍ୟାପିଲାଣି। ପ୍ରାୟ ୫ ଜଣ ମେଡିକାଲ ଅଧିକାରୀ ଭାଇରସ ଯୋଗୁଁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଯାତାୟତ ଉପରେ କଟକଣା ନେଇ ଡବ୍ଲୁଏଚ୍‌ଓ ପକ୍ଷରୁ କିଛି ସୁପାରିସ କରାଯାଇ ନାହିଁ। ଆସନ୍ତାକାଲିର ବୈଠକ ପରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇପାରେ। ଆମେରିକା, ଅଷ୍ଟ୍ରେଲିଆ ଏବଂ ଏସିଆର ବିଭିନ୍ନ ବିମାନବନ୍ଦରରେ ଉହାନ୍‌ର ଯାତ୍ରୀମା‌ନଙ୍କୁ ଭଲଭାବେ ସ୍କ୍ରିନିଂ କରାଯାଉଛି।

ଚୀନ୍‌ରେ ୬ ଜଣଙ୍କ ମୃତ୍ୟୁ, ୩୦୦ରୁ ଅଧିକ ଆକ୍ରାନ୍ତ
ଡବ୍ଳ୍ୟୁଏଚ୍‌ଓ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

କରୋନା ଭାଇରସ୍‌ କ’ଣ?
କରୋନା ଭାଇରସ୍‌ର ଉତ୍ପତ୍ତି କେଉଁଠାରୁ ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି ଯେ ଏହା ପଶୁଙ୍କଠାରୁ ବ୍ୟାପିଛି। ଏହା ପଶୁଙ୍କଠାରୁ ମଣିଷଙ୍କ ଶରୀରକୁ ବ୍ୟାପିଥାଏ ବୋଲି କୁହାଯାଇଛି। ଚୀନ୍‌ ଅଧିକାରୀମାନେ କହିଛନ୍ତି, ଉହାନ୍‌ର ସିଫୁଡ୍‌ ମାର୍କେଟ୍‌ରୁ ଏହି ଭୂତାଣୁ ଆସିଛି। କିନ୍ତୁ ତାହା ସ୍ପଷ୍ଟ ହୋଇନାହିଁ। ଏହି ଭାଇରସ୍‌ ନିମୋନିଆର କାରଣ ହୋଇଥାଏ। ଏହାର ଲକ୍ଷଣଗୁଡ଼ିକ ସାଧାରଣ ଥଣ୍ଡା ଜ୍ବର ପରି ହୋଇଥିଲେ ମଧ୍ୟ ପରିଶେଷରେ ଏହା ଜୀବନ ନେଇଯାଏ। ଏହା ଦ୍ବାରା ଆକ୍ରାନ୍ତଙ୍କୁ ଅନେକ ଦିନ ଧରି ଜ୍ବର ହେବ ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେବ। ଥଣ୍ଡା ଏବଂ ମୁଣ୍ଡବିନ୍ଧା ଲାଗି ରହିବ। ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ ସେମାନଙ୍କୁ ଏହା ସହଜରେ ଆକ୍ରାନ୍ତ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe