ନୂଆ କରୋନା ଭୂତାଣୁ ‘ନିଓକୋଭ୍’: ପ୍ରତି ୩ ଜଣରେ ଜଣକର ମୃତ୍ୟୁ!

Advertisment

ଉହାନ ବୈଜ୍ଞାନିକଙ୍କ ଚେତାବନୀ, ଅଧିକ ଅଧ୍ୟୟନ ଜରୁରୀ: ହୁ

ଉହାନ ବୈଜ୍ଞାନିକଙ୍କ ଚେତାବନୀ, ଅଧିକ ଅଧ୍ୟୟନ ଜରୁରୀ: ହୁ

ନୂଆ କରୋନା ଭୂତାଣୁ ‘ନିଓକୋଭ୍’: ପ୍ରତି ୩ ଜଣରେ ଜଣକର ମୃତ୍ୟୁ!

Business Today

ଉହାନ : ୨୦୧୯ରେ ଚୀନ୍‌ର ଯେଉଁ ଉହାନ ସହରରେ କୋଭିଡ୍-୧୯ ଭୂତାଣୁର ଆବିର୍ଭାବ ଘଟି ସାରା ପୃଥିବୀକୁ ବ୍ୟାପିଯାଇଥିଲା, ସେହି ଉହାନର ବୈଜ୍ଞାନିକମାନେ ଦକ୍ଷିଣ ଆଫ୍ରିକାରୁ ଆବିଷ୍କୃତ ନୂଆ ପ୍ରକାର କରୋନା ଭୂତାଣୁ ‘ନିଓକୋଭ୍’ର ବିଭୀଷିକା ନେଇ ଚେତାବନୀ ଦେଇଛନ୍ତି। ଏହି ଭୂତାଣୁ ଦ୍ରୁତ ସଂକ୍ରମଣଶୀଳ ହେବାସହ ଏଥିରେ ସଂକ୍ରମିତ ହେଲେ ରୋଗୀ ଗୁରୁତର ହେବା ଓ ମୃତ୍ୟୁହାର ମଧ୍ୟ ଅଧିକ ହେବା ନେଇ ସୂଚନା ଦେଇଛନ୍ତି।

ରୁଷିଆର ଏକ ନ୍ୟୁଜ୍ ଏଜେନ୍ସି ସ୍ପୁଟନିକ୍‌ର ରିପୋର୍ଟ ଅନୁସାରେ ଏହି ନୂଆ ଭାରିଆଣ୍ଟ ନିଓକୋଭ୍ କିନ୍ତୁ ନୂଆ ନୁହେଁ। ୨୦୧୨ରୁ ୨୦୧୫ ମଧ୍ୟରେ ଏହା କୁଆଡ଼େ ମର୍ସ-କୋଭ୍ ଭୂତାଣୁ ସହ ମିଶି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ରୋଗ କରାଇଥିଲା ଏବଂ ଏହା ସାର୍ସ-କୋଭ୍-୨ ଭୂତାଣୁର ଅନୁରୂପ। ଦକ୍ଷିଣ ଆଫ୍ରିକାରେ ବାଦୁଡ଼ି ଦେହରୁ ନିଓକୋଭ୍ ଭୂତାଣୁକୁ ଆବିଷ୍କାର କରାଯାଇଥିଲା ଏବଂ ଏହା ସେହିସବୁ ପ୍ରାଣୀମାନଙ୍କଠାରେ ହିଁ ସଂକ୍ରମିତ ହୁଏ ବୋଲି ଜଣାଥିଲା। କିନ୍ତୁ ନୂଆ ଅନୁଧ୍ୟାନ ଅନୁସାରେ ନିଓକୋଭ୍ ଓ ଏହାର ଘନିଷ୍ଠ ସମ୍ପର୍କୀୟ ପିଡିଏଫ୍‌-୨୧୮୦-କୋଭ୍ ମଣିଷଠାରେ ବି ସଂକ୍ରମିତ ହୋଇପାରେ।

ଉହାନ ବିଶ୍ବବିଦ୍ୟାଳୟ ଓ ଚାଇନିଜ୍ ଏକାଡେମି ଅଫ ସାଇନ୍ସେସ୍ ଅଧୀନ ଭାୟୋଫିଜିକ୍ସ ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହି ଭୂତାଣୁ ମଣିଷଠାରେ ସଂକ୍ରମିତ ହେବା ପାଇଁ ମାତ୍ର ଗୋଟିଏ ମ୍ୟୁଟେସନ ଦରକାର। ଗବେଷଣାଲବ୍ଧ ତଥ୍ୟ ଅନୁସାରେ, ଏହି ନୂଆ ଭୂତାଣୁ କରୋନାଠାରୁ ଟିକିଏ ଅଲଗା। ଏହା ଏସିଇ୨ ରିସେପ୍ଟର ସହ ବାନ୍ଧି ହୋଇ ରୁହେ। ଫଳତଃ କୌଣସି ଆଣ୍ଟିବଡି ବା ଶ୍ବାସରୋଗୀଙ୍କଠାରେ ସୃଷ୍ଟି ହେଉଥିବା ପ୍ରୋଟିନ୍ ଅଣୁ ବ‌ା ଟିକା ନେବା ଯୋଗୁ ସୃଷ୍ଟ ରୋଗନିରୋଧକତା ନିଓକୋଭ୍ କବଳରୁ ସୁରକ୍ଷା ଦେଇ ପାରିବ ନାହିଁ। ଚୀନ୍ ଗବେଷକମାନଙ୍କ କହିବା ଅନୁସାରେ, ନିଓକୋଭ୍ ଭୂତାଣୁଠାରେ ରହିବ ଦୁଇଟିର ସମାହାର: ମର୍ସ-ହାଇକୋଭ୍‌ର ମୃତ୍ୟୁହାର (ପ୍ରତି ତିନି ଜଣ ସଂକ୍ରମିତରେ ଜଣକର ମୃତ୍ୟୁ) ଏବଂ ସାର୍ସ-କୋଭ୍-୨ର ସଂକ୍ରମଣ ହାର। ଏ ବାବଦ ରିପୋର୍ଟ ଉହାନ୍‌ ଲ୍ୟାବ୍‌ ପକ୍ଷରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)କୁ ପ୍ରଦାନ କରାଯାଇଥିବା ବେଳେ ଏ ବାବଦରେ ଅଧିକ ଅଧ୍ୟୟନ ଜରୁରୀ ବୋଲି ହୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe