ନୂଆଦିଲ୍ଲୀ ଜି-୨୦ ଘୋଷଣାନାମା ଗୃହୀତ: ସହମତ ହେଲେ ସଦସ୍ୟ ରାଷ୍ଟ୍ର

Advertisment
ନୂଆଦିଲ୍ଲୀ ଜି-୨୦ ଘୋଷଣାନାମା ଗୃହୀତ: ସହମତ ହେଲେ ସଦସ୍ୟ ରାଷ୍ଟ୍ର

Hindustan Times

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ଆଜି ନୂଆଦିଲ୍ଲୀ ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଏ ନେଇ ୧୦୦ ପ୍ରତିଶତ ସହମତି ପ୍ରକାଶ ପାଇଥିବାରୁ ଭାରତ ପାଇଁଏହା ଏକ ବଡ଼ ସଫଳତା ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଡ଼ ଘୋଷଣା କରିବା ପରେ ସରକାର ଏହାକୁ ଐତିହାସିକ ଏବଂ ପଥପ୍ରବର୍ତ୍ତକ ବୋଲି କହିଛନ୍ତି।

ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଟିମ୍‌ର କଠିନ ପରିଶ୍ରମ ଫଳରେ ନୂଆଦିଲ୍ଲୀ ଜି ୨୦ ନେତାଙ୍କ ଶିଖର ସମ୍ମିଳନୀର ଘୋଷଣାନାମାକୁ ନେଇ ସହମତି ପ୍ରକାଶ ପାଇଛି। ଏହି ଅବସରରେ ମୁଁ ଆମ ଦେଶର ସେର୍ପା, ମନ୍ତ୍ରୀ ଏବଂ ଏଥିପାଇଁ କଠିନ ପରିଶ୍ରମ କରିଥିବା ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଉଛି। ନୂଆଦିଲ୍ଲୀର ଘୋଷଣାନାମା ମୁଖ୍ୟତଃ ୫ଟି ପ୍ରମୁଖ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଛି। ସେଗୁଡ଼ିକ ହେଲା ଦୃଢ଼, ନିରନ୍ତର, ସମତୁଲ ଏବଂ ସମାବେଶୀ ଅଭିବୃଦ୍ଧି; ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ (ଏସଡିଜି)ଗୁଡ଼ିକରେ ଅଗ୍ରଗତିକୁ ତ୍ବରାନ୍ବିତ କରିବା; ନିରବଚ୍ଛିନ୍ନ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି; ଏକବିଂଶ ଶତାବ୍ଦୀ ପାଇଁ ବହୁପାକ୍ଷିକ ପ୍ରତିଷ୍ଠାନ ଏବଂ ଶେଷରେ ବହୁପକ୍ଷବାଦକୁ ପୁନଃ ବଳଶାଳୀ କରିବା। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଦେଶଦେଶଗୁଡ଼ିକ ମଧ୍ୟରେ ବିଶ୍ବାସର ଯେଉଁ ଅଭାବ ଦେଖାଦେଇଛି ତାହାକୁ ପୂରଣ କରିବା ଆବଶ୍ୟକ। ଆସ୍ଥାର ଏହି ପାର୍ଥକ୍ୟ ରୁଷ୍‌ ୟୁକ୍ରେନ ଯୁଦ୍ଧ ପରେ ଅଧିକ ବ୍ୟାପକ ହୋଇଛି। ଜି ୨୦ ‌ଦେଶଗୁଡ଼ିକ ୟୁକ୍ରେନ ପ୍ରସଙ୍ଗକୁ ନେଇ ପୂର୍ବରୁ ଗଭୀର ଭାବେ ବିଭାଜିତ ହୋଇ ରହିଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକ ଶୀର୍ଷ ନେତୃତ୍ବଙ୍କ ଘୋଷଣାନାମାରେ ରୁଷ୍‌ର କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିବାକୁ ଦାବି କରୁଛନ୍ତି। ତେବେ ଅନ୍ୟମାନେ ବ୍ୟାପକ ଅର୍ଥନୈତିକ ପ୍ରସଙ୍ଗରେ ଅଧିକ ଧ୍ୟାନ ଦେବାକୁ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ଜି ୨୦ ଘୋଷଣାନାମା ପ୍ରସ୍ତାବ ଆଗତ କରି‌ଥିଲେ। ଏହାପରେ ଉକ୍ତ ଘୋଷଣାନାମାକୁ ସଦସ୍ୟ ଦେଶମାନେ ଟେବୁଲ ବାଡ଼େଇ ସ୍ବାଗତ କରିଥିଲେ। ଭାରତର ଜି ୨୦ ଘୋଷଣାନାମା ସଂପର୍କରେ ସେର୍ପା ଅମିତାଭ କାନ୍ତ ସୂଚନା ଦେବାକୁ ଯାଇ କହିଛନ୍ତି ଏଥିରେ ୩୮ଟି ପରିଚ୍ଛେଦ ରହିଛି। ସମସ୍ତ ପ୍ରକାର ବିକାଶମୂଳକ ଏବଂ ଭୌଗୋଳିକ ରାଜନୈତିକ ପ୍ରସଙ୍ଗରେ ୧୦୦ ପ୍ରତିଶତ ସହମତି ସହ ଏହା ଗୃହୀତ ହୋଇଛି। ନୂଆଦିଲ୍ଲୀରେ ଜି ୨୦ ନେତାମାନଙ୍କ ଦ୍ବାରା ଏହି ଘୋଷଣାନାମା ଅଫିସିଆଲି ଗୃହୀତ ହୋଇଛି। ବର୍ତ୍ତମାନର ଯୁଗକୁ ମାନବକୈନ୍ଦ୍ରିକ ଜଗତୀକରଣର ସୁବର୍ଣ୍ଣ ଯୁଗ ଭାବେ ବିବେଚିତ କରାଯିବା ଉଚିତ ଏବଂ ଭାରତ ଏହାର ଜି ୨୦ ସଭାପତିତ୍ବ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତତ୍ବରେ ଏହି ଲକ୍ଷ୍ୟ ହାସଲ ପାଇଁ ଅକ୍ଳାନ୍ତ ଭାବେ କାର୍ଯ୍ୟ କରିଛି ବୋଲି ସେର୍ପା ଶ୍ରୀ କାନ୍ତ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ୟୁକ୍ରେନ ସଂକଟ ପ୍ରସଙ୍ଗ ସହମତି କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ଥିଲେ ମଧ୍ୟ ଏ କ୍ଷେତ୍ରରେ ସମ୍ମିଳନୀରେ ସହମତି ପ୍ରକାଶ ପାଇଛି। ଆଜିର ବିଶ୍ବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ଏହା ପ୍ରଦର୍ଶିତ କରୁଛି ବୋଲି କାନ୍ତ କହିଛନ୍ତି। ଫଳରେ ଜି ୨୦ ସଭାପତିତ୍ବ ଇତିହାସରେ ଜି ୨୦ ଇଣ୍ଡିଆ ସବୁଠୁ ଆକାଂକ୍ଷିତ ସମ୍ମିଳନୀରେ ପରିଣତ ହୋଇଛି। ନୂଆଦିଲ୍ଲୀ ନେତାମାନଙ୍କ ଘୋଷଣାନାମାରେ ଭାରତର ଆଖ୍ୟାନ ଏବଂ ପଦଚିହ୍ନ ବିରାଟ ଆକାରରେ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe