Image Courtesy of Hindustan Times
ନୂଆଦିଲ୍ଲୀ : ନୂଆ ଶିକ୍ଷା ନୀତି (ଏନ୍ଇପି) ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଶିକ୍ଷାନୀତିରେ ‘କଣ ଚିନ୍ତା କରିବା’ ବଦଳରେ ‘କିଭଳି ଚିନ୍ତା କରିବା’ ଉପରେ ଗୁରୁତ୍ବାରାପ କରାଯାଇଛି। ପୂର୍ବରୁ ‘କଣ ଚିନ୍ତା କରିବା’ ଉପରେ ଗୁରୁତ୍ବ ଥିବାବେଳେ ବର୍ତ୍ତମାନର ଶିକ୍ଷାନୀତି ‘କିପରି ଚିନ୍ତା କରିବା’ ଉପରେ ଗୁରୁତ୍ବ ରଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ଶିକ୍ଷାନୀତି ଏକବିଂଶ ଶତାବ୍ଦୀର ନୂତନ ଭାରତର ଭିତ୍ତିଭୂମିକୁ ସୁଦୃଢ ଓ ଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନ୍ଇପି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ଏକ ଭର୍ଚୁଆଲ ମିଟିଂରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, ଏନ୍ଇପି ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଡ. କେ. କସ୍ତୁରୀରଙ୍ଗନ, ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିମାନେ ଅଂଶଗ୍ରହଣ କରିଥିଲେ। ଏନ୍ଇପି ମାଧ୍ୟମରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଏଣୁ ଏନ୍ଇପିକୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ନୂଆ ଶିକ୍ଷାନୀତି ଜରିଆରେ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସ୍କୁଲ ଶିକ୍ଷା ମଧ୍ୟରେ ଏକ ଉତ୍ତମ ସମନ୍ବୟ ରକ୍ଷା କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶିଶୁମାନଙ୍କୁ ସ୍କୁଲସ୍ତରରୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ଜରୁରୀ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Follow Us