ଭାରତର ସ୍ୱାଧୀନ ମାନସିକତାକୁ ବିକଶିତ କରିବା ଶିକ୍ଷା ନୀତିର ଲକ୍ଷ୍ୟ: ଧର୍ମେନ୍ଦ୍ର

Advertisment

ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନର ୨ ବର୍ଷ ପୂର୍ତ୍ତି

ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନର ୨ ବର୍ଷ ପୂର୍ତ୍ତି

ଭାରତର ସ୍ୱାଧୀନ ମାନସିକତାକୁ ବିକଶିତ କରିବା ଶିକ୍ଷା ନୀତିର ଲକ୍ଷ୍ୟ:  ଧର୍ମେନ୍ଦ୍ର

ଭୁବନେଶ୍ବର : ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନ୍‌ଇପି) - ୨୦୨୦ ଦୁଇ ବର୍ଷ ପୂରଣ କରିଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଛନ୍ତି ଯେ ଟି.ବି. ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନିଚ କରିବାର ଏକ ପ୍ରକ୍ରିୟା ଥିଲା । ଭାରତର ପରାଧୀନ ମାନସିକତାକୁ ରଚନା କରିବା ଦିଗରେ ତାଙ୍କ ଦ୍ୱାରା ଶିକ୍ଷା ନୀତି ସଂରଚନା କରାଯାଇଥିଲା । ଏହି ଶିକ୍ଷା ବ୍ୟବସ୍ଥା ଏବେ ବି ଚାଲୁ ରହିଛି । ମାତ୍ର ଏହି ଶିକ୍ଷା ନୀତିର ବିକଳ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି । ଯେଉଁ ନୂଆ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି, ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକାଶ କରିବା ।

ସେ କହିଲେ, କୋଭିଡ୍ ସଂକଟ ମଧ୍ୟରେ ଆଜିର ଦିନ ଅର୍ଥାତ୍ ୨୯ ଜୁଲାଇ ୨୦୨୦ରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଜାତୀୟ ଶିକ୍ଷା ନୀତି ଉପାଦେୟ ସାବ୍ୟସ୍ତ ହୋଇଛି । ଶିକ୍ଷା ନୀତି କ୍ରିୟାନ୍ୱୟନ ବେଳେ ଅନେକ ପଦକ୍ଷେପ ନିଆଯାଉଛି । ଶିକ୍ଷା କ୍ଷେତ୍ରରେ ଅନେକ ସୁଧାର ଅଣାଯାଉଛି । ଶିକ୍ଷା ଆମର ପୁଞ୍ଜି । ଦୁନିଆର ସ୍ୱପ୍ନକୁ ପୂରଣ କରିବା ପାଇଁ ଏଭଳି ଏକ ବିଶ୍ୱାସ ଭାରତୀୟ ସମାଜରେ ଅନ୍ତର୍ନିହିତ ଅଛି । ଆମେ ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ କରୁଥିବା ସମାଜ । ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱଗୁରୁ କରିବାର କଳ୍ପନା ରହିଛି । ଦେଶ ଅଶାନୁରୂପ ଆମର ଶିକ୍ଷା ବ୍ୟବସ୍ଥା ଭାରତକୁ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଲେ, ଏନ୍‌ଇପି ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଏକ ସଶକ୍ତ ଏବଂ ଆତ୍ମନିର୍ଭର ଭବିଷ୍ୟତ ପାଇଁ ମୂଳଦୁଆ ପକାଉଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମହାନ୍ ଭାରତର ରଚନାର ଆଧାର ହେଉଛି ଜାତୀୟ ଶିକ୍ଷା ନୀତି । ନୂଆ ଶିକ୍ଷା ନୀତି ପ୍ରତିଭାବାନ ନାଗରିକଙ୍କୁ ସୃଷ୍ଟି କରିବ । ଏହି ଶିକ୍ଷାକୁ ସାର୍ଥକତାର ରୂପ ଦେବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷାଧିକ ବିଚାରବିମର୍ଷ ପରେ ଯେଉଁ ଅମୃତ ବାହାର କରିଛନ୍ତି ତାହା ରାଷ୍ଟ୍ରୀୟ ଶିକ୍ଷା ନୀତି ବୋଲି ସେ କହିଥିଲେ । ଏହି ଅବସରରେ ସେ ଜାତୀୟ ଶିକ୍ଷା ନୀତି ଅଧୀନ ଡ଼ିଜିଟାଲ ଶିକ୍ଷା, ନବସୃଜନ, ଶିକ୍ଷା ଏବଂ କୌଶଳ ବିକାଶ ସହ ସାମଞ୍ଜସ୍ୟ, ଶିକ୍ଷକ ପ୍ରଶିକ୍ଷଣ ସହ ଜଡ଼ିତ ୧୦ଟି ନୂଆ ଉପକ୍ରମକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଡା. ରାଜକୁମାର ରଞ୍ଜନ ସିଂହ, ଡା. ସୁବାଷ ସରକାର, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୁର୍ଥୀ, ସ୍କୁଲ ଶିକ୍ଷା ଏବଂ ସ୍ୱାକ୍ଷରତା ବିଭାଗର ସଚିବ ଅନିତା କରଓ୍ୱାଲ ଏବଂ ବିଶିଷ୍ଟ ଶିକ୍ଷାବିତ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe