ଦେଶରେ ସଂକ୍ରମଣର ନୂଆ ରେକର୍ଡ: ଦିନକରେ ୨୭ ହଜାରରୁ ଅଧିକ ମାମଲା

Advertisment

ଗୁଜରାଟରେ ୪୦ ହଜାର ଟପିଲା, ୬ଟି ରାଜ୍ୟରେ ସକ୍ରିୟ ମାମଲା ୫୦% ବୃଦ୍ଧି

ଗୁଜରାଟରେ ୪୦ ହଜାର ଟପିଲା, ୬ଟି ରାଜ୍ୟରେ ସକ୍ରିୟ ମାମଲା ୫୦% ବୃଦ୍ଧି

ପ୍ରଥମ ଥର ପାଇଁ ଭାରତର ମୃତ୍ୟୁ ହାର ୨.୫ ପ୍ରତିଶତରୁ କମ

The Indian Express

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୨୭ ହଜାର ୧୧୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୧୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଆଜି ସକାଳେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ଏବେ ସକ୍ରିୟ ମାମଲା ୨ଲକ୍ଷ ୮୩ ହଜାର ୪୦୭ ରହିଛି ଏବଂ ୫ ଲକ୍ଷ ୧୫ ହଜାର ୩୮୬ ଜଣ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି। ମୃତ୍ୟୁସଂଖ୍ୟା ମଧ୍ୟ ୨୨ ହଜାର ୧୨୩ରେ ପହଞ୍ଚିଛି। ଶୁକ୍ରବାର ଦିନ ମହାରାଷ୍ଟ୍ରରେ ସର୍ବାଧିକ ୭ ହଜାର ୮୬୨ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ଟପିଯାଇଛି। ତେବେ ମହାରାଷ୍ଟ୍ରର ମୁମ୍ବାଇରେ କରୋନା ସଂକ୍ରମଣ ୯୦ ହଜାର ଟପିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଗତକାଲି ୨ ହଜାର ୮୯ ନୂଆ ମାମଲା ଚିହ୍ନଟ ହୋଇଥିଲା। ଦିଲ୍ଲୀରେ ସଂକ୍ରମଣ ମାମଲା ୧ ଲକ୍ଷ ୯ ହଜାର ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ୩,୩୦୦ ରହିଛି। ତାମିଲନାଡ଼ୁରେ ମାମଲା ୧ ଲକ୍ଷ ୩୦ ହଜାର ଟପିଛି।

ଗୁଜରାଟରେ ଗତକାଲି ସର୍ବାଧିକ ୮୭୫ ନୂଆ ମାମଲା ସହ ମୋଟ୍‌ ସଂକ୍ରମଣ ମାମଲା ୪୦ ହଜାର ଟପିଯାଇଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ ପରେ ଗୁଜରାଟ ଭାରତରେ କରୋନା ଯୋଗୁଁ ଚତୁର୍ଥ ପ୍ରଭାବିତ ରାଜ୍ୟ। ତେବେ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ବିଭିନ୍ନ ସ୍ଥାନରେ ପୁଣି ଲକ୍‌ଡାଉନ୍‌ କଡ଼ାକଡ଼ି କରାଯାଇଛି। ଯେଉଁ ସ୍ଥାନରେ ସଂକ୍ରମଣ ଅଧିକ ରହୁଛି ସେଠାରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରାଯାଉଛି। ମହାରାଷ୍ଟ୍ରର ପୁନେ, ଥାନେ, କେରଳର ତିରୁଅନନ୍ତପୁରମ୍‌ ଏବଂ ଉତ୍ତରପ୍ରଦେଶର କିଛି ସ୍ଥାନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ହୋଇଛି। ଲଗାତାର ୮ ଦିନ ଧରି ଦେଶରେ ମାମଲା ୨୨ ହଜାରରୁ ଅଧିକ ରହୁଛି। ଗତ ୩ ଦିନ ମଧ୍ୟରେ ଲଗାତାର ସଂକ୍ରମଣ ବଢ଼ିଛି। ଜୁଲାଇ ମାସର ପ୍ରଥମ ୧୦ ଦିନରେ ୨ ଲକ୍ଷ ୩୬ ହଜାର ମାମଲା ରିପୋର୍ଟ କରାଯାଇଛି। ଅନ୍ୟପକ୍ଷେ ଜୁନ୍‌ରେ ମୋଟ୍‌ ୪ ଲକ୍ଷ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା। ଏହି ୧୦ ଦିନରେ ଦେଶରେ ୪,୭୩୩ ମୃତ୍ୟୁ ହୋଇଥିବା ବେଳେ ସମଗ୍ର ଜୁନ୍‌ରେ ୧୨ ହଜାର ମୃତ୍ୟୁ ହୋଇଥିଲା। ତେବେ ଦେଶରେ ବଡ଼ ରାଜ୍ୟମାନଙ୍କ ମଧ୍ୟରେ କେବଳ ଦିଲ୍ଲୀରେ ହିଁ ସକ୍ରିୟ ମାମଲା କମିଛି। ଜୁଲାଇ ୩ରେ ଦିଲ୍ଲୀରେ ସକ୍ରିୟ ମାମଲା ୨୬ ହଜାର ୩୦୪ ଥିବାବେଳେ ଜୁଲାଇ ୧୦ ବେଳକୁ ଏହା ୧୮ ପ୍ରତିଶତ ତଥା ୨୧ ହଜାର ୫୬୭କୁ କମିଛି। ଅନ୍ୟପକ୍ଷେ ଏହି ସମୟ ମଧ୍ୟରେ ଜାତୀୟ ସ୍ତରରେ ସକ୍ରିୟ ମାମଲା ୨୧.୭ ପ୍ରତିଶତ ବୃଦ୍ଧି ପାଇଛି। ହରିୟାଣା, ତାମିଲନାଡ଼ୁ ଏବଂ ମହାରାଷ୍ଟ୍ର ପରି ରାଜ୍ୟରେ ମଧ୍ୟ ସକ୍ରିୟ ମାମଲା କମୁଛି। ତଥ୍ୟ ଅନୁଯାୟୀ ୬ଟି ରାଜ୍ୟରେ ସକ୍ରିୟ ମାମଲା ଗତ ସପ୍ତାହକ ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ବଢ଼ିଛି। କର୍ଣ୍ଣାଟକରେ ସକ୍ରିୟ ମାମଲା ୮୯ ପ୍ରତିଶତ, ଆସାମ ଏବଂ ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ, ବିହାରରେ ୬୯ ପ୍ରତିଶତ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୦ ପ୍ରତିଶତରୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe