Image Courtesy of Zee News
କାବୁଲ୍: ଆଫଗାନିସ୍ତାନର ବିଭିନ୍ନ ପ୍ରାନ୍ତରେ ପ୍ରତିବାଦକାରୀମାନଙ୍କ ସହ ତାଲିବ୍ମାନଙ୍କର ସଂଘର୍ଷ ହେବା ହେତୁ କାମଚଳା ତାଲିବାନ୍ ସରକାର ପ୍ରତିବାଦ ପଟୁଆର ନିମନ୍ତେ କେତେଗୁଡ଼ିଏ ସର୍ତ୍ତାବଳି ଜାରି କରିଛନ୍ତି।
‘ପାଜହୌକ୍ ନିଉଜ୍’ ରିପୋର୍ଟ ଅନୁସାରେ, ଏଥିପାଇଁ ପ୍ରତିବାଦର ଉଦ୍ଦେଶ୍ୟ, ‘ସ୍ଲୋଗାନ୍’, ସ୍ଥାନ, ସମୟ ଏବଂ ଅନ୍ୟାନ୍ୟ ବିବରଣୀ ସରକାରୀ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଜଣାଇବା ସହ ‘ନ୍ୟାୟ ମନ୍ତ୍ରାଳୟ’ର ଅନୁମତି ଆଣିବା ଆଦି ସର୍ତ୍ତାବଳି ଲାଗୁ ହେବ। ତେଣୁ, ଏବେ କୌଣସି ପ୍ରତିବାଦ ପଟୁଆର ବା ‘ରାଲି’ ବାହାର କରିବାକୁ ପଡ଼ିଲେ ସରକାରଙ୍କ ଠାରୁ ଆଗୁଆ ଅନୁମତି ଆଣିବାକୁ ପଡ଼ିବ।
ପ୍ରତିବାଦର ୨୪ ଘଣ୍ଟା ପୂର୍ବରୁ ନିରାପତ୍ତା ଏଜେନ୍ସିମାନଙ୍କ ସହ ପ୍ରତିବାଦର ପୁଙ୍ଖାନୁପୁଙ୍ଖ ବିବରଣୀ ସେୟାର କରିବାକୁ ପଡ଼ିବ। ବିନା ଅନୁମୋଦନରେ ଯେଉଁମାନେ ପ୍ରତିବାଦ କରିବେ, ତା’ର ପରିଣତି ପାଇଁ ସେହିମାନେ ହିଁ ଦାୟୀ ରହିବେ ବୋଲି କାମଚଳା ତାଲିବାନ୍ ସରକାର କହିଛନ୍ତି।
Image Courtesy of India Todayମଙ୍ଗଳବାର ଦିନ କାବୁଲ୍ରେ ପାକିସ୍ତାନ-ବିରୋଧୀ ରାଲିରେ ପ୍ରତିବାଦକାରୀମାନଙ୍କୁ ଘଉଡ଼ାଇବା ଲାଗି ତାଲିବାନ୍ ଲଢୁଆମାନେ ଫାଙ୍କା ଗୁଳି ଚାଳନା କରିବା ବେଳେ ଆଫଗାନିସ୍ତାନର ଜଣେ ତରୁଣ ନିହତ ହେବା ପରେ ଉପରୋକ୍ତ ନିୟମ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଆଫଗାନିସ୍ତାରେ ନିର୍ବାଚିତ ସରକାରଙ୍କ ପତନରେ ଭୂମିକା ଥିବା ଅଭିଯୋଗ କରି ‘ପାକିସ୍ତାନୀ ଇଣ୍ଟର୍-ସର୍ଭିସେସ୍ ଇଣ୍ଟେଲିଜେନ୍ସ୍’ (ଆଇଏସ୍ଆଇ) ବିରୋଧରେ ‘ପାକିସ୍ତାନର ମୃତ୍ୟୁ’ ଏବଂ ଅନ୍ୟାନ୍ୟ ‘ସ୍ଲୋଗାନ୍’ ଦେଇ ମଙ୍ଗଳବାର ଦିନ ବହୁସଂଖ୍ୟକ ଆଫଗାନବାସୀ କାବୁଲ୍ ରାସ୍ତାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।
Follow Us