ନୀତୀଶ-ତେଜସ୍ବୀ ସରକାର ପାଇଁ ନୂଆ ଅଡ଼ୁଆ: ‘ଛୋଟେ ସରକାର’ ଓ ତାଙ୍କ ଡାହାଣ ହାତ ‘ମାଷ୍ଟର ସାହିବ’

ନୀତୀଶ-ତେଜସ୍ବୀ ସରକାର ପାଇଁ ନୂଆ ଅଡ଼ୁଆ: ‘ଛୋଟେ ସରକାର’ ଓ ତାଙ୍କ ଡାହାଣ ହାତ ‘ମାଷ୍ଟର ସାହିବ’

ପାଟନା: ଜେଲରେ ଥିବା ଡନ୍ ଅନନ୍ତ ସିଂହ ଓ ତାଙ୍କ ଡାହାଣ ହାତ ଭାବେ ପରିଗଣିତ ବିହାରର ନୂଆ ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହ ଏବେ ନୀତୀଶ କୁମାର ଓ ତେଜସ୍ବୀ ଯାଦବଙ୍କ ସରକାର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି। ଅନନ୍ତ ସିଂହ ହେଉଛନ୍ତି ଆର୍‌ଜେଡିର ମୋକାମା ନିର୍ବାଚନ ମଣ୍ଡଳୀର ନେତା। ‘ଛୋଟେ ସରକାର’ ନାମରେ ପରିଚିତ ଏହି ମାଫିଆ ଡନ୍‌ଙ୍କୁ ମାତ୍ର ଦୁଇମାସ ତଳେ ୧୦ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଏହାପରେ ତାଙ୍କର ବିଧାନସଭା ସଦସ୍ୟ ପଦଟି ଚାଲିଯାଇଛି। ଏବେ ମିଳିଥିବା ରିପୋର୍ଟ ଅନୁସାରେ ଗତ ସପ୍ତାହରେ ସେ ପ୍ରାୟ ୪୮ ଘଣ୍ଟା ସହରସା ଜେଲ ବାହାରେ ଥିଲେ ଯେତେବେଳେ କି ମାତ୍ର କେଇ ଘଣ୍ଟାର କୋର୍ଟ ଶୁଣାଣି ପାଇଁ ତାଙ୍କୁ ବାହାରକୁ ନିଆଯାଇଥିଲା। ମାତ୍ର ‌କୋର୍ଟ ଶୁଣାଣି ପାଇଁ ବାହାରକୁ ଯାଇ ସେ ପାଟନାସ୍ଥିତ ନିଜ ଘରେ ରହିଥିଲେ ଓ ଏକ ହସ୍ପିଟାଲକୁ ବି ଯାଇଥିଲେ।

ବିଜେପି ଅଭିଯୋଗ କରିଛି, ଛୋଟେ ସରକାରଙ୍କ ବନ୍ଧୁ ତଥା ଡାହାଣ ହାତ ଏବେ ଆଇନ ମନ୍ତ୍ରୀ ଥିବାରୁ ତାଙ୍କରି ପ୍ରଭାବ ଯୋଗୁ ଏହା ସମ୍ଭବ ହୋଇଛି। ମାଷ୍ଟର ସାହିବ ଭାବେ ପରିଚିତ ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହ ଆଗରୁ ସ୍କୁଲ ଶିକ୍ଷକ ଥିଲେ ଏବଂ ସେ ମଧ୍ୟ ମୋକାମା ଅଞ୍ଚଳରୁ ଆସିଛନ୍ତି। ମାତ୍ର କେଇମାସ ତଳେ ତାଙ୍କୁ ଆର୍‌ଜେଡି ପକ୍ଷରୁ ବିଧାନ ପରିଷଦର ସଦସ୍ୟ (ଏମ୍‌ଏଲ୍‌ସି) କରାଯାଇଥିଲା ଏବଂ ଏବେ ମନ୍ତ୍ରୀ କରାଯାଇଛି। କୁମାରଙ୍କୁ ଏମ୍‌ଏଲ୍‌ସି କରିବା ପାଇଁ ଅନନ୍ତ ସିଂହ କୁଆଡ଼େ ଜେଲରେ ଥାଇ ଖେଳ କରିଥିଲେ ବୋଲି କୁହାଯାଉଛି। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ସ୍ବୟଂ ଉକ୍ତ ପଦ ପାଇଁ ତାଙ୍କ ନାମ ଘୋଷଣା କରିଥିଲେ। କୁମାର ଆଇନ ମନ୍ତ୍ରୀ ଭାବେ ଶପଥ ନେବା ସମୟରେ ‘ଛୋଟେ ସରକାର ଜିନ୍ଦାବାଦ’ ଧ୍ବନି ଶୁଣିବାକୁ ମିଳିଥିଲା। ଏଥିରୁ ସିଂହ ଓ କୁମାରଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ପ୍ରମାଣିତ ହୁଏ। ପୂର୍ବରୁ ଏକ ଅପହରଣ ମାମଲାରେ କୁମାରଙ୍କ ବିରୋଧରେ ଅଭିଯୋଗ ରହିଛି। ତାଙ୍କ ନାମରେ ଏକ ଗିରଫ ପରୱାନା ବି ରହିଛି। ଅଗଷ୍ଟ ୧୬ରେ କୁମାରଙ୍କର ଏକ କୋର୍ଟ ଶୁଣାଣି ଥିବା ବେଳେ ସେ ସେଠାକୁ ନ ଯାଇ ଆଇନ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏପରି ଅପରାଧୀଙ୍କୁ ମନ୍ତ୍ରୀ କରାଯିବାକୁ ନେଇ ବିଜେପି ତୀବ୍ର ସମାଲୋଚନା କରିଥିବା ବେଳେ ଲାଲୁ ଯାଦବ କହିଛନ୍ତି ଯେ କାର୍ତ୍ତିକେୟ ନିର୍ଦ୍ଦୋଷ ଏବଂ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ମିଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe