Image Courtesy of NDTV
ୱାସିଂଟନ୍: ଓମିକ୍ରନ୍ ସଂକ୍ରମଣ ମାମଲା ବୃଦ୍ଧି ସହ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ପିଲାମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ବୋଲି ନ୍ୟୁୟର୍କ ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।
ଶୁକ୍ରବାର ଦିନ ଜାରି ହୋଇଥିବା ବିବୃତିରେ ମଧ୍ୟ ନ୍ୟୁୟର୍କ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସତର୍କ କରାଇ କହିଥିଲା ଯେ, କୋଭିଡ୍-୧୯ ସହ ସମ୍ପୃକ୍ତ ଥିବା କାରଣ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହେବା ଧାରା ବୃଦ୍ଧି ପାଉଛି।
ଡିସେମ୍ବର ୫ ତାରିଖରେ ଆରମ୍ଭ ହୋଇଥିବା ସପ୍ତାହ ଠାରୁ ଚଳିତ ସପ୍ତାହ ମଧ୍ୟରେ ନ୍ୟୁୟର୍କ ସହରରେ ୧୮ ଏବଂ ତା’ଠାରୁ କମ୍ ବୟସ୍କ ପିଲାମାନଙ୍କ ହସ୍ପିଟାଲ୍ ଭର୍ତ୍ତି ହାର ୪ଗୁଣ ବୃଦ୍ଧି ପାଇଥିବା କଥା ସ୍ବାସ୍ଥ୍ୟ ବିଭାଗ କହିଛି।
ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମୁଦାୟ ପିଲାମାନଙ୍କ ମଧ୍ୟରୁ ଅର୍ଦ୍ଧେକ ହେଉଛନ୍ତି ୫ ବର୍ଷରୁ ସାନ। କିନ୍ତୁ, ଏମାନେ ଟିକା ନେବାକୁ ଅଯୋଗ୍ୟ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।
Image Courtesy of Mintଜନ୍ସ୍ ହପ୍କିନ୍ସ୍ ୟୁନିଭର୍ସିଟି କଳନା ଅନୁସାରେ, ଗତ ୭ ଦିନ ହେଲା ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ହାରାହାରି ୧୯୦,୦୦୦ କୋଭିଡ୍-୧୯ ନୂତନ ସଂକ୍ରମଣ ବୃଦ୍ଧି ପାଉଛି।
ଓମିକ୍ରନ୍ ଭେରିଏଣ୍ଟ୍ର ଆଗମନ, ଭ୍ରମଣ ଏବଂ ପାରିବାରିକ ମିଳନ ଅବସରରେ ଛୁଟିଦିନ ପାଳନ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ ଲାଗି ନମୁନା ପରୀକ୍ଷା ପାଇଁ ତତ୍ପରତା ପ୍ରକାଶ ପାଇଛି। କିନ୍ତୁ, ନ୍ୟୁୟର୍କର ବହୁସ୍ଥାନରେ ଆଜିକାଲି ନମୁନା ପରୀକ୍ଷାଗାର ପାଇବା କଷ୍ଟକର ହୋଇ ପଡ଼ିଛି।
ରବିବାର ଦିନ ଏ ସମସ୍ୟା କଥା ଯୁକ୍ତରାଷ୍ଟ୍ର ଆମେରିକାର ମହାମାରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି ମଧ୍ୟ ସ୍ବୀକାର କରିବା ସହ ପ୍ରତିଶ୍ରୁତି ଦେଇଛନ୍ତି କି, ଆସନ୍ତା ମାସରେ ଆମେରିକୀୟମାନଙ୍କୁ ଅଧିକ ପରୀକ୍ଷାଗାର ମିଳିଯିବ।
Follow Us