ବଦଳୁନି ନଗଡ଼ାର ଚିତ୍ର: ପୁଣି ଯାଜପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ମାନବାଧିକାର କମିସନ

ବଦଳୁନି ନଗଡ଼ାର ଚିତ୍ର: ପୁଣି ଯାଜପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ମାନବାଧିକାର କମିସନ

ନୂଆଦିଲ୍ଲୀ: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡ଼ା ଗାଁରେ ବିକାଶ ଅପହଞ୍ଚ। ୨୦୧୬ରେ ୧୯ ଜଣ ଜୁଆଙ୍ଗ ଶିଶୁଙ୍କ ମତ୍ୟୁପରେ ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଶିରୋନାମାରେ ଆସିଥିଲା ଏହି ଅଖ୍ୟାତ ପଲ୍ଲୀ। ଏହାକୁ ନେଇ ସେତେବେଳେ ରାଜ୍ୟ ସରକାର ତରବରିଆ ଭାବେ ସେଠାକାର ବିକାଶ ପାଇଁ ଅଣ୍ଟା ଭିଡିଥିଲେ। କିଛି କାମ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପାଞ୍ଚ ବର୍ଷ ପରେ ମଧ୍ୟ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନରେ କୌଣସି ଉନ୍ନତି ହୋଇନଥିବାରୁ ଜାତୀୟ ମାନବିକ ଅଧିକାର କମିଶନ ଚିନ୍ତା ବ୍ୟକ୍ତ କରିବା ସହ ଏହା ଉପରେ ରିପୋର୍ଟ ଦେବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି। ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପିଟିସନ୍ ଉପରେ ବିଚାର କରି କମିସନ ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Nagada: A Journey Into India's Heart Of Darkness | Mint livemint

ଆବେଦନକାରୀ ଅଭିଯୋଗ କରିଥିଲେ ଯେ ଏବେ ବି ନଗଡାରେ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳୁଛି । ଅନେକ ପିଲା ସ୍କୁଲ ମାଡୁନାହାନ୍ତି । ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ ଠିକ୍ ଭାବେ କାମ କରୁନାହିଁ । ସେଠାକାର ଅଧିବାସୀ ଏବେ ବି ଭାତ ଓ ଲୁଣକୁ ହିଁ ସେମାନଙ୍କର ମୁଖ୍ୟ ଖାଦ୍ୟଭାବେ ଖାଉଛନ୍ତି । ବାଲ୍ୟ ବିବାହ ଏଠାରେ ଏକ ସ୍ୱାଭାବିକ ପ୍ରଥା ଭାବେ ରହିଆସିଛି। ପ୍ରଶାସନିକ ଅଧିକାରୀମାନେ ଏହି ଦୁର୍ଗମ ଗାଁକୁ ଯାଉନଥିବାରୁ ସେମାନେ ସେହିପରି ଆଦିମ ସଭ୍ୟତାର ଅଧିବାସୀ ଭାବେ ରହି ଆସୁଛନ୍ତି। ଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସୁଧାରିବାରେ ପ୍ରଶାସନ ଫେଲ୍ ମାରିଛି । ତିଆରି ହୋଇଥିବା ରାସ୍ତାର ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏନଆରଜିଏରେ ଲୋକଙ୍କୁ କାମ ମିଳିପାରୁନାହିଁ। ସେମାନଙ୍କ ବିକାଶ ପାଇଁ ଆସିଥିବା କୋଟି କୋଟି ଟଙ୍କା ତୋଷରପାତ ହୋଇଥିବା ନେଇ ଏବେ ବି ଲୋକାୟୁକ୍ତରେ ମାମଲା ଚାଲିଛି ।

ନଗଡ଼ାକୁ ନେଇ ଆଗରୁ ମଧ୍ୟ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ ଏନଏଚଆରସି ଆଗରୁ ଦୁଇଟି ମାମଲା ହୋଇଥିଲା ଏବଂ ସରକାରଙ୍କୁ ନୋଟିସ୍ ହୋଇଥିଲା। କାମ କରିବାର ପ୍ରତିଶ୍ରୁତି ଦେଇ ପ୍ରଶାସନ ଏହି ଦୁଇ ମାମଲାରୁ ଖସି ଯାଇଥିଲା। ଏବେ ପୁଣି ଥରେ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି ହୋଇଛି। କମିସନଙ୍କ ତଦନ୍ତ ଟିମ୍ କିମ୍ବା ସ୍ୱତନ୍ତ୍ର ରାପୋର୍ଟିୟରଙ୍କ ଦ୍ୱାରା ନଗଡ଼ାର ସ୍ଥିତି ସମ୍ପର୍କରେ ଅନୁସନ୍ଧାନ କରିବାକୁ ଅଖଣ୍ଡ କମିସନଙ୍କୁ ନିବେଦନ କରିଥିଲେ । ସେହିପରି ସେଠାକାର ବିକାଶ ପାଇଁ ଏକ ମନିଟରିଂ କମିଟି ଗଢିବା ଲାଗି ନିର୍ଦ୍ଦେଶ ଦେବାକୁ ମଧ୍ୟ ସେ କମିସନଙ୍କ ନିକଟରେ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe