ନୂଆଦିଲ୍ଲୀ : କନ୍ଧମାଳର ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାରେ ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆର୍ସି) ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାପାଇଁ କମିସନ୍ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଆଧାରରେ ଏନ୍ଏଚଆରସି ନିଜ ଆଡ଼ୁ ମାମଲା ରୁଜୁ କରି ନୋଟିସ୍ ଜାରି କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ହୋଇଛି, ପୀଡ଼ିତାଙ୍କ ଥଇଥାନ, ରିଲିଫ୍ ଓ କାଉନ୍ସେଲିଂ ପାଇଁ କେଉଁସବୁ ପଦକ୍ଷେପ ନିଆଯାଇଛି, ସେ ନେଇ ବିସ୍ତୃତ ରିପୋର୍ଟ ମାଧ୍ୟମରେ ଅବଗତ କରିବାପାଇଁ ଏନ୍ଏଚଆରସି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷେ ଉକ୍ତ ଘଟଣାରେ ତଦନ୍ତ ସହ ସମ୍ପୃକ୍ତ ଅଭିଯୁକ୍ତ ଏବଂ ଦାୟିତ୍ବରେ ଅବହେଳା କରିଥିବା ଅଧିକାରୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଏନ୍ଏଚଆରସି (ଜାତୀୟ ମାନବାଧିକାର କମିସନ୍)ରେ ପିଟିସନ୍ ଦାଖଲ ହୋଇଛି। ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହି ପିଟିସନ୍ ଦାଖଲ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣାରେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାପାଇଁ ଶ୍ରୀ ତ୍ରୀପାଠି ପିଟିସନ୍ରେ ଦାବି କରିଛନ୍ତି। ଜାତୀୟ ମାନବାଧିକାର କମିସନ୍ ଏହି ମାମଲାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ସ୍କୁଲ୍ ଓ ଗଣଶିକ୍ଷା ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ବିସ୍ତୃତ ରିପୋର୍ଟ ଦାଖଲ କରିବାନେଇ ନିର୍ଦ୍ଦେଶ ଦେବା ପାଇଁ ସେ ପିଟିସନ୍ରେ ଅନୁରୋଧ କରିଥିବା ଜଣାପଡ଼ିଛି।
Follow Us