ଆନ୍ଧ୍ର ଓ ତେଲେଙ୍ଗାନାର ୨୩ ସ୍ଥାନରେ ‘ଏନ୍‌ଆଇଏ’ ଚଢ଼ଉ; ‘ପିଏଫ୍‌ଆଇ’ ସଦସ୍ୟଙ୍କୁ ପଚରାଉଚରା

Advertisment
ଆନ୍ଧ୍ର ଓ ତେଲେଙ୍ଗାନାର ୨୩ ସ୍ଥାନରେ ‘ଏନ୍‌ଆଇଏ’ ଚଢ଼ଉ; ‘ପିଏଫ୍‌ଆଇ’ ସଦସ୍ୟଙ୍କୁ ପଚରାଉଚରା

Image Courtesy of India Today

ଅମରାବତୀ: ଦେଶବିରୋଧୀ କାର୍ଯ୍ୟରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍ ଇଣ୍ଡିଆ’ର ସଦସ୍ୟମାନେ ଲିପ୍ତ ଥିବା ଅଭିଯୋଗରେ ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢ଼ଉ କରିଛି।

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍‌, ଗୁଣ୍ଟୁର, ନେଲୋର ଓ ନନ୍ଦିୟାଲ୍‌ ଏବଂ ତେଲେଙ୍ଗାନାର ନିଜାମାବାଦ୍‌ରେ ଅଭିଯୁକ୍ତ ଏବଂ ସନ୍ଦିଗ୍ଧମାନଙ୍କ ସହିତ ସମ୍ପୃକ୍ତ ଥିବା ଘରେ ‘ଏନ୍‌ଆଇଏ’ର ପ୍ରାୟ ୨୩ଟି ଟିମ୍‌ ଏକକାଳୀନ ଚଢ଼ଉ କରୁଛି। ‘ପପୁଲାର୍‌ ଫ୍ରଣ୍ଟ୍ ଅଫ୍‌ ଇଣ୍ଡିଆ’ର କେତେ ଜଣ ସଦସ୍ୟଙ୍କୁ ଉଠାଇ ନିଆଯାଇ ପଚରାଉଚରା ମଧ୍ୟ କରାଯାଉଛି।

‌ତେଲେଙ୍ଗାନାର ନିଜାମାବାଦ୍‌ ଜିଲ୍ଲାରେ ଚଢ଼ଉ କରିଥିବା ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ନୋଟିସ୍‌ ଜାରି କରି ସୋମବାର ଦିନ ତାଙ୍କୁ ହାଇଦ୍ରାବାଦସ୍ଥିତ ‘ଏନ୍‌ଆଇଏ’ କାର୍ଯ୍ୟାଳୟରେ ହାଜର ହେବାକୁ କହିଛନ୍ତି।

publive-image Image Courtesy of NDTV

ଉପରୋକ୍ତ ଅଞ୍ଚଳଗୁଡ଼ିକରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ମିଳିଥିବା ସୂଚନାକୁ ଆଧାର କରି ଚଢ଼ଉ ଚାଲିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ତଲାସ ବେଳେ ‘ଏନ୍‌ଆଇଏ’ ଅଧିକାରୀମାନେ ‘ପିଏଫ୍‌ଆଇ’ର ଜିଲ୍ଲା ଆବାହକ ଶାହଦୁଲ୍ଲା ଏବଂ ସଦସ୍ୟ ମହମ୍ମଦ୍‌ ଇମ୍ରାନ୍‌ ଏବଂ ମହମ୍ମଦ୍‌ ଅବ୍ଦୁଲ୍‌ ମୋବିନ୍‌ଙ୍କୁ ଜେରା କରିବା ପାଇଁ ନେଇଯାଇଛନ୍ତି। କରାଟେ ଶିଖାଇବା ନାଁରେ ସେମାନେ ହିଂସା ଉଦ୍ରେକ ଏବଂ ବେଆଇନ କାର୍ଯ୍ୟକଳାପ ନିମନ୍ତେ ତାଲିମ ଦେଉଛନ୍ତି।

ନନ୍ଦିୟାଲ୍‌ ଓ କୁର୍ଣ୍ଣୂଲ୍‌ରେ ‘ଏନ୍‌ଆଇଏ’ ଟିମ୍‌ କେତେକ ସ୍ଥାନରେ ଚଢ଼ାଉ କରୁଥିବା ବେଳେ ସ୍ଥାନୀୟ ଲୋକେ ଉତ୍‌କ୍ଷିପ୍ତ ହୋଇ ସେମାନେ ଫେରି ଯାଆନ୍ତୁ ବୋଲି ଚିତ୍କାର କରୁଛନ୍ତି।

ସେହିପରି, ନିଜାମାବାଦ୍‌ରେ ‘ଏନ୍‌ଆଇଏ’ ଟିମ୍‌ ଶାହିଦ୍‌ ଚୌସିସ୍‌ ନାମରେ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇ ତାଙ୍କ ପାସ୍‌ପୋର୍ଟ ଓ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଜବତ କରିଛି। ତାଙ୍କୁ ମଧ୍ୟ ସୋମବାର ଦିନ ହାଇଦ୍ରାବାଦ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe