ଗ୍ୟାଙ୍ଗଷ୍ଟର ଛୋଟା ସକିଲର ୨ ସହଯୋଗୀଙ୍କୁ ଜେଲ ପଠାଇଲେ ଏନଆଇଏ ସ୍ୱତନ୍ତ୍ର ଅଦାଲତ 

Advertisment
କହ୍ନୈୟାଲାଲ ହତ୍ୟା ମାମଲା : ମୁନାଓ୍ବର ହୁସେନକୁ ଗିରଫ କରାଯାଇନାହିଁ : ଏନଆଇଏ

Image Courtesy: MidDay

ମୁମ୍ବାଇ: ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନଆଇଏ)ର ସ୍ୱତନ୍ତ୍ର ଅଦାଲତ ଶୁକ୍ରବାର ଗ୍ୟାଙ୍ଗଷ୍ଟର ଛୋଟା ସକିଲର ଦୁଇ ସହଯୋଗୀ ଆରିଫ ଅବୁବାକର ଶେଖ ଏବଂ ତା’ ଭାଇ ଶବ୍ଦୀର ଅବୁବାକର ଶେଖଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ପଳାତକ ଅଣ୍ଡରୱାର୍ଲ୍‌ଡ ଡନ୍‌ ଦାଉଦ ଇବ୍ରାହିମ ଦ୍ୱାରା ନିୟନ୍ତ୍ରିତ ଡି-କମ୍ପାନିର ବେଆଇନ କାର୍ଯ୍ୟକଳାପ ଏବଂ ଆର୍ଥିକ କାରବାର ପରିଚାଳନା ଅଭିଯୋଗରେ ଏମାନଙ୍କୁ ଗିରଫ କରା ଯାଇଥିଲା।

ଏନଆଇଏ ଦୁଇ ଗିରଫ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ବିଚାରପତି ପ୍ରଶାନ୍ତ ସିତ୍ରେଙ୍କ ଅଦାଲତରେ ହାଜର କରିଥିଲା ଏବଂ ଦୁହିଁଙ୍କ ଅଧିକ ହେପାଜତ ମାଗି ନଥିଲା। ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ବିରୋଧରେ ଦାୟର ହୋଇଥିବା ଏକ ମାମଲାରେ ଏନଆଇଏ ଚଢାଉ ଆରମ୍ଭ କରିବା ପରେ ମେ ୧୨ରେ ଏ ଦୁହିଁଙ୍କୁ ଗିରଫ କରାଯାଇଥିଲା। ସେମାନେ ମୁମ୍ବାଇର ପଶ୍ଚିମ ଉପାନ୍ତ ଅଞ୍ଚଳରେ ଡି କମ୍ପାନିର ବେଆଇନ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନରେ ଜଡିତ ଥିଲେ। ସ୍ୱତନ୍ତ୍ର ଏନଆଇଏ ଅଦାଲତ ସେମାନଙ୍କୁ ମେ ୨୦ ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ପଠାଇଥିଲେ।

ଦାଉଦ ଏବଂ ତା’ର ସହଯୋଗୀଙ୍କ ବିରୋଧରେ ଚଳିତ ବର୍ଷ ପ୍ରାରମ୍ଭରେ ପଞ୍ଜିକୃତ ହୋଇଥିବା ଏକ ମାମଲାରେ ଏନଆଇଏ ଦ୍ୱାରା ସେମାନଙ୍କୁ ଗିରଫ କରାଯାଇଥିଲା। ଏନଆଇଏ ଅଭିଯୋଗ କରିଛି ଯେ ଦାଉଦର ସହଯୋଗୀ, ପଳାତକ ଗ୍ୟାଙ୍ଗଷ୍ଟର ଛୋଟା ସକିଲ ଆତଙ୍କବାଦକୁ ଉତ୍ସାହିତ କରିବା ଏବଂ ଭାରତରେ ରାଜନୈତିକ ନେତାମାନଙ୍କୁ ଟାର୍ଗେଟ କରିବା କାର୍ଯ୍ୟକଳାପରେ ଜଡିତ ଥିଲା।

ଏନଆଇଏ ଏହା ମଧ୍ୟ କହିଛି ଯେ ଦାଉଦର ଗ୍ୟାଙ୍ଗ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ନିଶା ଦ୍ରବ୍ୟ, ଆତଙ୍କବାଦ, ମନି ଲଣ୍ଡରିଂ, ନକଲି ମୁଦ୍ରା ପ୍ରସାର ଏବଂ ସମ୍ପତ୍ତିର ଅନଧିକୃତ ଦଖଲରେ ଜଡିତ ଥିଲା। ଏହି ଗ୍ୟାଙ୍ଗ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ ଏବଂ ଲସ୍କର-ଏ-ତୈବା (ଏଲଇଟି), ଜୈଶ-ଏ-ମହମ୍ମଦ (ଜେଇଏମ) ଏବଂ ଅଲ କାଏଦା ସମେତ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ସକ୍ରିୟ ସହଯୋଗରେ କାର୍ଯ୍ୟ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe