ନାଇଜେରିଆରେ ୩୦୦ ସ୍କୁଲ୍‌ ବାଳିକାଙ୍କୁ ଅପହରଣ କରିନେଲେ ବନ୍ଧୁକଧାରୀ

Advertisment
ନାଇଜେରିଆରେ ୩୦୦ ସ୍କୁଲ୍‌ ବାଳିକାଙ୍କୁ ଅପହରଣ କରିନେଲେ ବନ୍ଧୁକଧାରୀ

Image Courtesy of India Today

ଲେଗସ୍‌: ଶୁକ୍ରବାର ବଡ଼ି ଭୋର୍‌ ସମୟରେ ଉତ୍ତର ନାଇଜେରିଆସ୍ଥିତ ଏକ ବିଦ୍ୟାଳୟରେ ବନ୍ଧୁକଧାରୀଙ୍କର ଗୋଟାଏ ବଡ଼ ଦଳ ଚଢ଼ାଉ କରିବା ପରେ ଅନେକ ବାଳିକା ନିଖୋଜ ହୋଇଥିବା କଥା ସ୍ଥାନୀୟ ବାସିନ୍ଦାମାନେ କହୁଛନ୍ତି।

ପ୍ରାପ୍ତ ତଥ୍ୟାନୁସାରେ, ଉତ୍ତର ନାଇଜେରିଆର ଜାମ୍ଫାରା ରାଜ୍ୟରେ ଥିବା ‘ଗଭର୍ଣ୍ଣମେଣ୍ଟ୍‌ ସେକେଣ୍ଡାରି ଜାଙ୍ଗେବି ସ୍କୁଲ୍‌’ରେ ଏହି ସଦ୍ୟତମ ସ୍କୁଲ୍‌ପିଲା ଗଣ-ଅପହରଣ କାଣ୍ଡ ଘଟିଛି।

ନାସିରୁ ଅବ୍ଦୁଲାହି ନାମରେ ଜଣେ ବ୍ୟକ୍ତି ଏକ ସମ୍ବାଦ ସରବରାହ ସଂସ୍ଥାନକୁ କହିଛନ୍ତି ଯେ, ୩୦୦ ସ୍କୁଲ୍‌ ଝିଅ ନିଖୋଜ ହୋଇଥିବା କଥା ରେକର୍ଡରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କର ୧୦ ଓ ୧୩ ବର୍ଷୀୟ ଦୁଇଜଣ ଝିଅ।

publive-image Image Courtesy of The Advocate-Hepburn

ମୁସା ମୁସ୍ତାଫା ନାମରେ ଅନ୍ୟ ଜଣେ ବାସିନ୍ଦା କହନ୍ତି, ସେନାର ହସ୍ତକ୍ଷେପକୁ ପ୍ରତିରୋଧ କରିବା ପାଇଁ ନିକଟରେ ଥିବା ଏକ ସେନା ଛାଉଣି ଏବଂ ଚେକ୍‌ପଏଣ୍ଟ୍‌ରେ ମଧ୍ୟ ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ। ଏଥିରେ କେହି ମୃତାହତ ହୋଇଛନ୍ତି କି, ନାହିଁ, ତାହା ହଠାତ୍‌ ଜଣାପଡ଼ିନାହିଁ।
ଜାମ୍ଫାରା ରାଜ୍ୟରେ ଥିବା ଏହିଭଳି ବହୁସଂଖ୍ୟକ ଅସ୍ତ୍ରଧାରୀ ବ୍ୟକ୍ତିଙ୍କୁ ସରକାର ଦସ୍ୟୁ (ବ୍ୟାଣ୍ଡିଟ୍‌) ବୋଲି କହୁଛନ୍ତି। ଅର୍ଥ ଏବଂ ଜେଲ୍‌ରୁ ସେମାନଙ୍କ ସଦସ୍ୟମାନଙ୍କୁ ମୁକୁଳାଇବା ଲାଗି ସେମାନେ ଅପହରଣ କରୁଛନ୍ତି।

ନାଇଜେରିଆରେ ଥିବା ‘ୟୁନିସେଫ୍‌’ର ପ୍ରତିନିଧି ପିଟର୍‌ ହକିନ୍‌ସ୍‌ କହନ୍ତି, ନାଇଜେରିଆର ସ୍କୁଲ୍‌ ପିଲାଙ୍କ ଉପରେ ହୋଇଥିବା ଏହି ପାଶବିକ ଆକ୍ରମଣ ଯୋଗୁଁ ଆମେ ଦୁଃଖିତ ଏବଂ କ୍ରୋଧିତ। ଏହା ଗୋଟାଏ ଭୟାବହ ଶିଶୁ ଅଧିକାର ଉଲ୍ଲଂଘନ ତଥା ଅପହୃତ ପିଲାଙ୍କ ନିମନ୍ତେ ଗୋଟାଏ ଆତଙ୍କଜନକ ଅନୁଭୂତି। ଅପହୃତ ପିଲାମାନଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ସେ କହିଛନ୍ତି।

ବିଗତ କେତେ ବର୍ଷ ଧରି ଏହି ପଶ୍ଚିମ ଆଫ୍ରିକୀୟ ଦେଶରେ ଏ ଭଳି ଏକାଧିକ ଆକ୍ରମଣ ଏବଂ ଅପହରଣ କାଣ୍ଡ ଘଟିଯାଇଛି।
ପ୍ରାୟ ଦୁଇ ସପ୍ତାହ ତଳେ, ନିଗର୍‌ ରାଜ୍ୟର କାଗାରାସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ବନ୍ଧୁକଧାରୀମାନେ ୨୭ଜଣ ଛାତ୍ରଛାତ୍ରୀଙ୍କ ସମେତ ୪୨ଜଣଙ୍କୁ ଅପହରଣ କରି ନେଇଛନ୍ତି।

ସ୍ମରଣଯୋଗ୍ୟ, ୨୦୧୪ ଏପ୍ରିଲ୍‌ରେ ‘ବୋକୋ ହାରାମ୍‌’ ନାମକ ଜିହାଦୀ ସଂଗଠନ ବୋର୍ଣ୍ଣୋ ରାଜ୍ୟରେ ଥିବା ସେକେଣ୍ଡାରି ସ୍କୁଲ୍‌ରୁ ୨୭୬ଜଣ ବାଳିକାଙ୍କୁ ଅପହରଣ କରି ନେଇଥିଲା। ସେମାନଙ୍କ ମଧ୍ୟରୁ ଏବେ ବି ଶତାଧିକ ବାଳିକାଙ୍କର ପତ୍ତା ମିଳୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe