Image Courtesy of NDTV
କିବ୍: ସମ୍ପ୍ରତି ୟୁକ୍ରେନ୍ରେ ପ୍ରବଳ ଶୀତ ପଡ଼ିଥିବା ବେଳେ ମୂଷାମାନଙ୍କ ଉତ୍ପାତ ୟୁକ୍ରେନୀୟ ସୈନିକମାନଙ୍କୁ ଏଭଳି ବ୍ୟତିବ୍ୟସ୍ତ କରିପକାଉଛି ଯେ, ସେମାନେ ପ୍ରଥମ ବିଶ୍ବଯୁଦ୍ଧର ସମୟର ‘ଟ୍ରେଞ୍ଚ୍ ୱାର୍ଫେୟାର୍’ ବା ଖାଇରେ ପଶି ଯୁଦ୍ଧ କରିବା ଭଳି ଭୟାନକ ପରିସ୍ଥିତିରେ ପଡ଼ିଛନ୍ତି ବୋଲି ଅନୁଭବ କରୁଥିବା କଥା ‘ସିଏନ୍ଏନ୍’ ରିପୋର୍ଟ କରିଛି।
ଅପରିବର୍ତ୍ତିତ ଯୁଦ୍ଧ ପରିସ୍ଥିତି ଓ ପ୍ରବଳ ଶୀତ ଖାଲି ସୈନିକମାନଙ୍କ ମଧ୍ୟରେ ରୋଗ ସଂକ୍ରମଣ କରୁନାହିଁ, ଯୁଦ୍ଧ ଅଭିଯାନରେ ବି ବାଧା ସୃଷ୍ଟି କରୁଛି।
କିରା ନାମ୍ନୀ ଜଣେ ମହିଳା ସୈନିକ କହିଛନ୍ତି, ଗତବର୍ଷ ଦକ୍ଷିଣାଞ୍ଚଳ ଜାପୋରିଜ୍ଝିଆରେ ମୂଷା ମହାମାରୀ ସଂକ୍ରମଣ ହୋଇଥିଲା। ଏବେ ମୂଷାମାନେ ପୋଷାକପତ୍ର ଉପରେ ଚଢ଼ିବା, ଆଙ୍ଗୁଠି କାମୁଡ଼ିବା ଯୋଗୁଁ ସୈନିକମାନେ ରାତିରେ ଶୋଇପାରୁ ନାହାନ୍ତି।
Image Courtesy of The Print‘ସିଏନ୍ଏନ୍’ ରିପୋର୍ଟରେ ଉଲ୍ଲେଖ ଅଛି, କିରାଙ୍କୁ ମିଶାଇ ଗୋଟାଏ ସୈନ୍ୟ ଆଶ୍ରୟସ୍ଥଳ ବା ବଙ୍କର୍ରେ ୪ଜଣ ସୈନିକ ରହୁଛନ୍ତି। କିନ୍ତୁ, ସେଠାରେ ସେମାନଙ୍କ ସହିତ ରହୁଛନ୍ତି ପ୍ରାୟ ୧୦୦୦ ମୂଷା। ସୈନିକମାନଙ୍କର ମନେ ହେଉଛି, ସତେ ଅବା ସେମାନେ ନିଜ ଘରେ ନିଜେ ଅତିଥି ଭାବେ ରହୁଛନ୍ତି।
ବଙ୍କର୍ ଭିତରୁ ମୂଷାଙ୍କୁ ତଡ଼ିବା ଲାଗି କିରା ଓ ତାଙ୍କ ସାଥୀ ସୈନିକମାନେ ବିଷ ପ୍ରୟୋଗଠାରୁ ଆରମ୍ଭ କରି ପ୍ରାର୍ଥନା ପର୍ଯ୍ୟନ୍ତ ସବୁ କରିସାରିଲେଣି। କିନ୍ତୁ, ବଙ୍କର୍ ଭିତରକୁ ମୂଷାଙ୍କ ଆଗମନର ଅବସାନ ଘଟୁନାହିଁ।
ଶେଷକୁ ସେମାନେ ‘ବୁସିଆ’ ନାମରେ ଗୋଟାଏ ବିରାଡ଼ିକୁ ନେଇ ବଙ୍କର୍ରେ ରଖିଲେ। ପ୍ରଥମେ ପ୍ରଥମେ ସେ ଗୁଡ଼ାଏ ମୂଷା ନିପାତ କଲା। କିନ୍ତୁ, ମୂଷାଙ୍କ ସଂଖ୍ୟା ଏତେ ବଢ଼ିଲା ଯେ, ସେ ବି ଅଣାବଣା ହୋଇଗଲା।
Follow Us