ଆମେରିକାର ମାସାଚ୍ୟୁଟସରେ ବାହୁଡ଼ା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

Advertisment
ଆମେରିକାର ମାସାଚ୍ୟୁଟସରେ ବାହୁଡ଼ା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ମାସାଚ୍ୟୁଟସ: ଆମେରିକାର ମାସାଚ୍ୟୁଟସଠାରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା, ବାହୁଡା଼ପର୍ବ, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ନିଉଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିଉ ଇଂଲଣ୍ଡ ଶିରିଡ଼ି ସାଇ ପରିବାରର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ଗ୍ରେଟର ବୋଷ୍ଟନର ଗ୍ରୋଟନସ୍ଥିତ ୯୯ ନଂ. ଶିରିଡ଼ିୱେଠାରେ ଅବସ୍ଥିତ ନିଉ ଇଂଲଣ୍ଡ ଶିରିଡ଼ି ସାଇମନ୍ଦିରରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ମୁଖ୍ୟ ପୂଜାରୀ ପବନ ଆଚାର୍ଯ୍ୟଙ୍କ ଦ୍ଵାରା ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା। ଏହି ଉତ୍ସବରେ ବୋଷ୍ଟନ, ମାସାଚ୍ୟୁଟସ ତଥା ନିକଟବର୍ତ୍ତୀ ରାଜ୍ୟ ଯଥା ରୋଡସଆଇଲ୍ୟାଣ୍ଡ, କନେକ୍ଟିକଟ, ନିଉ ହାମ୍ପସାୟାର ଏବଂ ମେନଠାରେ ବସବାସ କରୁଥିବା ପ୍ରାୟ ୫୦୦ ଓଡ଼ିଆ ଓ ଅଣ ଓଡ଼ିଆ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ରଙ୍ଗବେରଙ୍ଗର ପିପିଲି ଚାନ୍ଦୁଆରେ ରଥ ସୁସଜ୍ଜିତ ହୋଇଥିଲା। ଅପରାହ୍ନରେ ଦିଅଁମାନଙ୍କୁ ପହଣ୍ଡି କରାଯାଇ  ରଥ ଉପରକୁ ନିଆ ଯାଇଥିଲା। ମନ୍ଦିରର ଟ୍ରଷ୍ଟି ନିରଞ୍ଜନ ସେନାପତିଙ୍କ ତତ୍ତ୍ଵାବଧାନରେ ଆମେରିକୀୟ ବଢେଇ ଏହି ରଥଟିକୁ ନିର୍ମାଣ କରିଥିଲେ।

publive-image

ଉପସ୍ଥିତ ଶ୍ରଦ୍ଧାଳୁ ପାରମ୍ପରିକ ଛେରାପହଁରା କାର୍ଯ୍ୟ କରିଥିଲେ। ଶ୍ରଦ୍ଧାଳୁମାନଙ୍କର ହରିବୋଲ, ହୁଳହୁଳି, ଜୟଜଗନ୍ନାଥ ଧ୍ଵନି ଏବଂ ବାଜାବାଜଣା, ଭଜନ, କୀର୍ତ୍ତନରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ରଥକୁ ମନ୍ଦିର ପରିସରରୁ ପ୍ରାୟ ୨ କମି ଟାଣି ସାଇମନ୍ଦିର ପରିସରକୁ ନିଆଯାଇଥିଲା। ମାସାଚ୍ୟୁଟସରେ ଚତୁଦ୍ଧାମୂର୍ତ୍ତିଙ୍କ ଏଭଳି ବାହୁଡା ଯାତ୍ରା ଅଞ୍ଚଳରେ ଏକ ଧର୍ମୀୟ ଭାବନା ସୃଷ୍ଟି କରିଥିଲା।

ସନ୍ଧ୍ୟାରେ ଦିଅଁମାନଙ୍କୁ ପୁରୀ ସୁନାବେଶ ଶୈଳୀରେ ସଜାଯିବା ପରେ ଆଳତି ହୋଇଥିଲା। ପରେ ପୁରୀ ଶୈଳୀରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।  ଶ୍ୟାମା ଗୁନ୍ଦଳା, ସୁନୀତା ଗୁନ୍ଦଳା, ସୁଧା ମିଶ୍ର, ଦିଲ୍ଲୀପ ପ୍ରଧାନ ଏବଂ ରାଗେଶ୍ୱରୀପ୍ରଧାନଙ୍କ ଦ୍ଵାରା ସୁମଧୁର ଭଜନ ପରିବେଷିତ ହୋଇଥିଲା। ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଜୟଶ୍ରୀ କର ଏବଂ ମୌଲି ପାଲଙ୍କର ଶିକ୍ଷ୍ୟାମାନଙ୍କ ଦ୍ୱାରା ପରିବେଷିତ ଉଚ୍ଚକୋଟୀର ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଏଥି ସହିତ ଶାସ୍ତ୍ରୀୟ ନୃତ୍ୟ ଏବଂ ଭକ୍ତି ସଙ୍ଗୀତ ପରିବେଷଣ କରି ସେମାନଙ୍କର ଅନନ୍ୟ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିଥିଲେ। ଶ୍ୟାମଳା ବାଙ୍ଗାଲୋର, ଅନୁଶା ମୁକୁନ୍ଦ, ଶ୍ରୁତି ନଞ୍ଜାଗୁଡ଼, ମୀରା ପାଟିଲ, ଜୟନ୍ତୀ ଘଟରାଜୁ, ନିଥିଲା କୃଷ୍ଣକୁମାର, ରୁତା ସିନ୍ଧେ ଏବଂ ଶ୍ରୁତି ଲକ୍ଷ୍ମୀନାରାୟଣ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଅଧିବେଶନକୁ ବିଶ୍ଵଭୂଷଣ ସାହୁ ଏବଂ ରଶ୍ମିରଞ୍ଜନ ରଥ ଉପସ୍ଥାପନା ଓ ସଂଯୋଜନା କରିଥିଲେ। ରଥଯାତ୍ରାର ପ୍ରଧାନ ଆକର୍ଷଣ ପୁରୀର ଆନନ୍ଦବଜାର ଢଙ୍ଗରେ ପ୍ରସ୍ତୁତ ଛପନ ଭୋଗ ଲାଗି ହୋଇଥିଲା।

publive-image

ସୁଜାତା ଧଳଙ୍କର ମାର୍ଗଦର୍ଶନରେ ମନ୍ଦିରର ପାକଶାଳାରେ ସ୍ବେଚ୍ଛାସେବୀମାନଙ୍କ ଦ୍ଵାରା ବନାଯାଇଥିବା ଏହି ସ୍ଵାଦିଷ୍ଟ ମହାପ୍ରସାଦକୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା। ସମଗ୍ର ଅୟୋଜନକୁ ସୂଚାରୁ ରୂପେ ସମ୍ପାଦନା ଏବଂ ବ୍ୟାପକ ଭାବେ ସଫଳ କରାଇବାରେ ମୁଖ୍ୟ ସଙ୍ଗଠକମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂହ, ନୀଳକଣ୍ଠ ମିଶ୍ର, ସନ୍ଦୀପ କୌସିକ୍, ସୂର୍ଯ୍ୟ କୋଡୁକୁଲା, ଚେନ୍ନା କେଶବ, ନିରଞ୍ଜନ ସେନାପତି, ପ୍ରଦୀପ ଧଳ, ବିଶ୍ଵଭୂଷଣ ସାହୁ, ଅରୁଣ ମହାନ୍ତି, ଜୟଶ୍ରୀ ପଟେଲ, କୁମାରପଟୁଲା, ରାଜେଶ ସିଂହ, ନିଶିକାନ୍ତ ଭଦ୍ର, ଦିଲ୍ଲୀପ ବେହେରା, ସୁଜାତା ଧଳ, ନିଶିକାନ୍ତ ସାହୁ, ବିଜୟ ବଳ, ଅମଲଦତ୍ତ ଏବଂ ନଗେନ୍ଦ୍ର ନାଟ୍ଟୀ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe