କେରଳରେ ନିପା ଆତଙ୍କ:୧୨ ମୃତ

Advertisment
କେରଳରେ ନିପା ଆତଙ୍କ:୧୨ ମୃତ

ଥିରୁବନନ୍ତପୁରମ : କେରଳରେ ‘ନିପା’ ଭୂତାଣୁ ଏବେ ଆତଙ୍କ ଖେଳାଇ ଦେଇଛି। ନିପା ଭୁତାଣୁ ଜନିତ ଜ୍ୱର ଯୋଗୁଁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨ ଟପିଥିବା ବେଳେ ଆହୁରି ୨୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ କେନ୍ଦ୍ରୀୟ ରୋଗ ନିୟନ୍ତ୍ରକ ସଂସ୍ଥାନକୁ କେରଳ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ, ଏହି ରୋଗ ବ୍ୟାପିଥିବା ଗ୍ରାମ ଗୁଡ଼ିକରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି। ଏହି ଭୂତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଡାକ୍ତରଖାନା ଗୁଡ଼ିକରେ ସ୍ୱତନ୍ତ୍ର ଓ୍ଵାର୍ଡର ବନ୍ଦୋବସ୍ତ କରାଯାଉଥିବା କେରଳ ସରକାର କହିଛନ୍ତି। ତେବେ ବାଦୁଡ଼ି, ଘୁଷୁରି ଏବଂ ଅନ୍ୟ ଜୀବ ଦ୍ୱାରା ବ୍ୟାପୁଥିବା ଏହି ‘ନିପା’ ଭୂତାଣୁ ପ୍ରଥମ ଥର ପାଇଁ କେରଳରେ ଚିହ୍ନଟ ହୋଇଛି।

ମାରାତ୍ମକ ‘ନିପା’ ଭୂତାଣୁ ଜନିତ ରୋଗ ହେତୁ ମୃତୁସଂଖ୍ୟା ଆଗକୁ ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ନିପା ଭାଇରସ୍‌ ହେତୁ କେବଳ କୋଝିକୋଡ଼ରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପୁଣେ ସ୍ଥିତ ନ୍ୟାସନାଲ୍‌ ଭାଇରୋଲୋଜି ଇନଷ୍ଟିଚ୍ୟୁଟ୍‌ (ଜାତୀୟ ଭୂତାଣୁ ବିଜ୍ଞାନ ଅଧ୍ୟୟନ ଅନୁଷ୍ଠାନ)ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ନିପା ଭୂତାଣୁରେ ଆକ୍ରାନ୍ତ ଯୋଗୁଁ ଏହି ମୃତ୍ୟୁ ହେଉଛି। ତେବେ ଏହି ନିପା ଭୂତାଣୁ ଜନିତ ରୋଗର ଚିକିତ୍ସା ପାଇଁ କୌଣସି ପ୍ରତିଷେଧକ ବା ଔଷଧ ନାହିଁ। ଗୃହପାଳିତ ପଶୁମାନଙ୍କୁ ମଧ୍ୟ ଅବଜରବେସନ(ଅବଲୋକନ)ରେ ରଖାଯାଇଛି ବୋଲି ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ରୋଗ ନବ୍ୟାପିବା ପାଇଁ ମର ଶରୀରକୁ ବୈଦ୍ୟୁତ୍ୟିକ ଚୁଲ୍ଲାରେ ପୋଡ଼ାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଭାରତର ବାଂଲାଦେଶ ସୀମା ସଂଲଗ୍ନ ପଶ୍ଚିମବଙ୍ଗରେ ପ୍ରଥମେ ୨୦୦୧ ଏବଂ ପରେ ୨୦୦୭ ମସିହାରେ ଦୁଇଥର ଏହି ନିପା ଭୂତାଣୁ ଯୋଗୁଁ ୭୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe