Image Source: Jammu News Links
ନୂଆଦିଲ୍ଲୀ: ନିର୍ଭୟା ଦୋଷୀମାନଙ୍କ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଏବଂ ସେମାନଙ୍କୁ ଏକସଂଗରେ ଫାଶୀ ଦେବା ମାମଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ହୋଇଥିବା ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ। ଫାଶୀ ଉପରେ ଥିବା ରହିତାଦେଶ ଉଠାଇ ତୁରନ୍ତ ଦୋଷୀମାନଙ୍କୁ ଫାଶୀ ଦେବାପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ ଏ ନେଇ ସରକାର ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯେଉଁ ଦୋଷୀମାନଙ୍କ ପାଖରେ କୌଣସି ନ୍ୟାୟିକ ବିକଳ୍ପ ନାହିଁ ସେମାନଙ୍କୁ ଫାଶୀରେ ଝୁଲାଇବାକୁ ସରକାର ହାଇକୋର୍ଟରେ ଦୃଢ଼ ଯୁକ୍ତି ରଖିଥିଲେ। ଆସନ୍ତାକାଲି ସୁପ୍ରିମ୍ କୋର୍ଟଙ୍କ ରାୟ ଦୋଷୀଙ୍କ ଫାଶୀ ତାରିଖ ଧାର୍ଯ୍ୟ କରିବାରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଇଛି। ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାପାଇଁ ୨ ଥର ଡେଥ୍ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ତୃତୀୟ ଡେଥ୍ ୱାରେଣ୍ଟ ଜାରି କରାଯିବା ପାଇଁ ତିହାର ଜେଲ୍ ପ୍ରଶାସନ ପକ୍ଷରୁ ଆଜି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଆବେଦନ କରାଯାଇଛି। ବିଚାରପତି ଧର୍ମେନ୍ଦ୍ର ରାଣା ଏହି ମାମଲା ଉପରେ ୪ ଦୋଷୀଙ୍କୁ ଆସନ୍ତାକାଲି ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି। ଗତକାଲି ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ କହିଥିଲେ ଯେ ସବୁ ନ୍ୟାୟିକ ବିକଳ୍ପ ଶେଷ ହେବାପରେ ୪ ଦୋଷୀଙ୍କୁ ଏକସଙ୍ଗରେ ଫାଶୀ ଦିଆଯିବ । ଦୋଷୀମାନେ ସମସ୍ତ ନ୍ୟାୟିକ ବିକଳ୍ପର ସୁଯୋଗ ସପ୍ତାହକ ମଧ୍ୟରେ ନେବାକୁ ହେବ ବୋଲି ହାଇକୋର୍ଟ ସମୟସମୀ ଧାର୍ଯ୍ୟ କରିଥିଲୋ। ତେବେ ୩ ଜଣ ଦୋଷୀଙ୍କ ପାଖରେ କୌଣସି ବିକଳ୍ପ ନଥିବାରୁ ସେମାନଙ୍କୁ ତୁରନ୍ତ ଫାଶୀ ଦେବା ଉପରେ ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଥିଲେ।
Follow Us