ଚେନ୍ନାଇ: ସ୍ଥଳ ଯୁଦ୍ଧରେ ଲଢ଼ୁଆ ଟ୍ୟାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଶତ୍ରୁ ସେନାକୁ ସ୍ଥଳଭାଗରେ ଅଗ୍ରସର ହେବାକୁ ନ ଦେବା କିମ୍ବା ଶତ୍ରୁପକ୍ଷର ସୀମା ଭିତରେ ଅଗ୍ରସର ହେବା କ୍ଷେତ୍ରରେ ଟ୍ୟାଙ୍କ ଆବଶ୍ୟକ କରିଥାଏ ସେନା। ଏବେ ଭାରତୀୟ ସେନାର ଲଢ଼ୁଆ ଟ୍ୟାଙ୍କକୁ ମିଳିଛି ଶକ୍ତିଶାଳୀ ଇଂଜିନ୍। ଏହାଦ୍ୱାରା ପାକିସ୍ତାନ୍ ଓ ଚୀନ ସହ ଥିବା ଶହ ଶହ କିଲୋମିଟର ସ୍ଥଳସୀମାକୁ ସୁରକ୍ଷିତ କରିବାରେ ଭାରତୀୟ ସେନା ଅଧିକ ପ୍ରଭାବଶାଳୀ ହୋଇ ଉଠିବ।
ମିଳିଥିବା ସୂଚନା ଅନୁଯାୟୀ, ସେନାରେ ସାମିଲ୍ ଥିବା ଲଢ଼ୁଆ ଟ୍ୟାଙ୍କ୍ ଭୀଷ୍ମ ଓ ଅଜେୟ ଲାଗି ସ୍ୱଳ୍ପୀୟ ଜ୍ଞାନ କୌଶଳରେ ନିର୍ମିତ ଶକ୍ତିଶାଳୀ ଇଂଜିନ୍ ସେନାକୁ ହସ୍ତାନ୍ତର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସ୍ୱତନ୍ତ୍ର ଉତ୍ସବରେ ଅର୍ଡିନାନ୍ସ ଫାକ୍ଟି୍ରବୋର୍ଡ ଅଧିନରେ ଥିବା ଅଭାଡ଼ି ଇଂଜିନ୍ ଫାକ୍ଟ୍ରିରେ ନିର୍ମିତ ଶକ୍ତିଶାଳୀ ଇଂଜିନ୍ ସେନାର ଉପାଧ୍ୟକ୍ଷ ଦେବରାଜ୍ ଅନ୍ବୁଙ୍କୁ ହସ୍ତାନ୍ତର କରିଛନ୍ତି। ‘ମେକ୍ ଇନ୍ ଇଣ୍ଡିଆ’କାର୍ଯ୍ୟକ୍ରମ ଅଧିନରେ ନିର୍ମିତ ଏହି ଇଂଜିନ୍ ଦୁଇଟି (ଭି୯୨ଏସ୍ ୨ ଏବଂ ଭି-୪୬-୬) ଋଷୀୟ ଜ୍ଞାନ କୌଶଳ ଆଧାରିତ। ଅତୀତରେ ଏହି ଇଂଜିନ୍ ଭାରତରେ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର କେତେକ ଯନ୍ତ୍ରାଂଶ ମସ୍କୋରୁ ଆମଦାନି କରାଯାଇଥିଲା। ମାତ୍ର ସେନାକୁ ହସ୍ତାନ୍ତର ହୋଇଥିବା ଇଂଜିନ୍ଟି ସଂପୂର୍ଣ୍ଣ ଭାବେ ଭାରତରେ ତିଆରି। ଏହା ଦ୍ୱାରା ପ୍ରତିବର୍ଷ ୮୦ କୋଟି ଟଙ୍କା ସଂଚୟ ହେବ ବୋଲି ଆଶା କରାଯାଉଛି।
Follow Us