ନିର୍ଭୟା ମାମଲା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

Advertisment
ନିର୍ଭୟା ମାମଲା: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

NDTV.com

ନୂଆଦିଲ୍ଲୀ: ୨୦୧୨ ମସିହାର ନିର୍ଭୟା‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ଅକ୍ଷୟ କୁମାର ସିଂହର ପୁନଃ ବିଚାର ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇପାରିନି। ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େ, ଜଷ୍ଟିସ୍‌ ଆର ଭାନୁମତୀ , ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଖଣ୍ଡପୀଠରେ ଅକ୍ଷୟର ପୁନଃ ବିଚାର ଆବେଦନ ଶୁଣାଣି ଥିଲା। କିନ୍ତୁ ପ୍ରଧାନ ବିଚାରପତି ବୋବ୍‌ଡେ ଉକ୍ତ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ତାଙ୍କର ଜଣେ ପରିବାର ସଦସ୍ୟ ପ୍ରଥମେ ଉକ୍ତ ମାମଲାରେ ପୀଡ଼ିତାଙ୍କ ମା’ଙ୍କୁ ପ୍ରତିନିଧିତ୍ବ କରିଥିଲେ। ତେଣୁ ଅନ୍ୟ ଏକ ଖଣ୍ଡପୀଠରେ ଉକ୍ତ ମାମଲାର ଶୁଣାଣି ହେଲେ ଠିକ୍‌ ହେବ ବୋଲି ହୃଦ୍‌ବୋଧ କରି ବୋବ୍‌ଡେ ଶୁଣାଣିରୁ ଓହରି ଯାଇଛନ୍ତି। ଆସନ୍ତାକାଲି ସକାଳ ୧୦ଟା ୩୦ରେ ଅନ୍ୟ ଏକ ଖଣ୍ଡପୀଠରେ ପୁନଃ ବିଚାର ଆବେଦନର ଶୁଣାଣି ହେବ। ନିର୍ଭୟା ମାମଲାରେ ଦୋଷୀ ଅକ୍ଷୟ କୁମାର ସିଂହ ସମେତ ଅନ୍ୟମାନଙ୍କ ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ୨୦୧୭ରେ କାଏମ ରଖିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଂଜ କରି ଅକ୍ଷୟ କୁମାର ପୁନଃ ବିଚାର ଆବେଦନ କରିଛି। ଅନ୍ୟପକ୍ଷେ ମାମଲାରେ ଅନ୍ୟ ୩ ଜଣ ଦୋଷୀ ମୁକେଶ, ପୱନ ଗୁପ୍ତା ଏବଂ ବିନୟ ଶର୍ମାର ‌ପୁନଃ ବିଚାର ଆବେଦନ ସୁପ୍ରିମକୋର୍ଟ ପୂର୍ବରୁ ଖାରଜ କରିଦେଇଥିଲେ। ମାମଲାରେ ସମୁଦାୟ ୬ ଜଣ ଦୋଷୀଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରାମ ସିଂହ ଜେଲ୍‌ରେ ଆତ୍ମହତ୍ୟା କରିସାରିଛି। ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଜଣେ ନାବାଳକ। ସେ ୩ ବର୍ଷ ବାଳ ସୁଧାର ଗୃହରେ ରହିବା ପରେ ନିକଟରେ ମୁକୁଳିଛି।

ଜଷ୍ଟିସ୍‌ ବୋବ୍‌ଡେ ମାମଲାରୁ ଓହରିଯିବାପର ପୀଡ଼ିତାଙ୍କ ମା’ କହିଛନ୍ତି, ଆଜି ଦୋଷୀର ରିଭ୍ୟୁ ପିଟିସନ୍‌ ଖାରଜ ହେବ ବୋଲି ସେମାନେ ଆଶା ରଖିଥିଲେ। କିନ୍ତୁ ୭ ବର୍ଷର ଅପେକ୍ଷା ପରେ ସେମାନଙ୍କୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଆସନ୍ତାକାଲି ଦୋଷୀର ପୁନଃ ବିଚାର ଆବେଦନ ଖାରଜ ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଦୋଷୀଙ୍କୁ ଖୁବ୍‌ ଶୀଘ୍ର ମୃତ୍ୟୁଦଣ୍ଡ ହେବ ବୋଲି ନିର୍ଭୟାଙ୍କ ମା’ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe